IPL ନିଲାମୀରେ ଇତିହାସ: ୨୪ କୋଟି ୭୫ ଲକ୍ଷ ଟଙ୍କାରେ ବିକ୍ରି ହେଲେ ମିଚେଲ ଷ୍ଟାର୍କ

1 min read

ଦୁବାଇ: ଦୁବାଇରେ ଚାଲିଛି IPL ୨୦୨୪ ପାଇଁ ଖେଳାଳି ନିଲାମ । ନିଲାମୀରେ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କରିଛନ୍ତି IPLର ବିଭିନ୍ନ ଦଳ । ତେବେ ନିଲାମରେ ୨୪ କୋଟି ୭୫ ଲକ୍ଷ ଟଙ୍କାରେ ବିକ୍ରି ହୋଇ ଇତିହାସ ସୃଷ୍ଟି କରିଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ । କୋଲକାତା ନାଇଟ୍ ରାଇଡର୍ସ ମିଚେଲଙ୍କୁ ୨୪ କୋଟି ୭୫ ଲକ୍ଷ ଟଙ୍କାରେ କିଣିଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଅଷ୍ଟ୍ରେଲିଆ ଟିମର ବିଶ୍ବ ବିଜୟୀ ଅଧିନାୟକ ପାଟ କମିନ୍ସଙ୍କ ନିଲାମୀ ମିଚେଲଙ୍କ ପୂର୍ବରୁ ହୋଇଥିଲା । ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ୨୦ କୋଟି ୫୦ ଲକ୍ଷ ଟଙ୍କାରେ କିଣିଥିଲା । ଏହା ମଧ୍ୟ IPL ଇତିହାସରେ ସବୁଠାରୁ ବଡ଼ ଡାକ ଥିଲା । ହେଲେ ମାତ୍ର କିଛି ମିନିଟ ବ୍ୟବଧାନରେ ଏହି ରେକର୍ଡ ଭାଙ୍ଗି ଯାଇଥିଲା । ଆଉ କମିନ୍ସଙ୍କୁ ପଛରେ ପକାଇ ଅଷ୍ଟ୍ରେଲିଆ ଦଳର ତାଙ୍କ ସାଥୀ ଖେଳାଳି ମିଚେଲ ୨୪ କୋଟି ୭୫ ଲକ୍ଷ ଟଙ୍କାରେ ନିଲାମ ହୋଇ ନୂଆ ଇତିହାସ ଲେଖିଛନ୍ତି ।

ଆଉ କାହାକୁ କିଏ କିଣିଲେ କେତେ ଟଙ୍କାରେ ?

ଏହାପରେ ତୃତୀୟ ସର୍ବାଧିକ ନିଲାମୀ ଖେଳାଳି ନ୍ୟୁଜିଲାଣ୍ଡର ଡେରିଲ ମିଚେଲ ହୋଇଛନ୍ତି । ଚେନ୍ନାଇ ସୁପର କିଙ୍ଗସ ମିଚେଲଙ୍କୁ ୧୪ କୋଟି ଟଙ୍କାରେ କିଣିଛି । ଭାରତର ହର୍ଷଲ ପଟେଲଙ୍କୁ ପଞ୍ଜାବ କିଙ୍ଗସ ୧୧ କୋଟି ୭୫ ଲକ୍ଷରେ କିଣିଛି । ଉମେଶ ଯାଦବଙ୍କୁ ଗୁଜରାଟ ୫ କୋଟି ୮୦ ଲକ୍ଷ ଟଙ୍କାରେ କିଣିଛି । ସାର୍ଦ୍ଧୁଲ ଠାକୁରଙ୍କୁ ଚେନ୍ନାଇ ସୁପର କିଙ୍ଗସ ୪ କୋଟିରେ କିଣିଛି । ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ରଚିନ ରବୀନ୍ଦ୍ରଙ୍କୁ ସିଏସକେ ୧ କୋଟି ୮୦ଲକ୍ଷ ଟଙ୍କାରେ କିଣିଛି । ରଚିନ ରବୀନ୍ଦ୍ରଙ୍କ ବେସ୍ ପ୍ରାଇସ ଥିଲା ୫୦ ଲକ୍ଷ । ଶ୍ରୀଲଙ୍କାର ଷ୍ଟାର ଅଲରାଉଣ୍ଡର ଓ୍ବାନିନ୍ଦୁ ହସରଙ୍ଗାଙ୍କୁ ସନରାଇଜର୍ସ ହାଇଦ୍ରାବାଦ ଦେଢ କୋଟି ଟଙ୍କାରେ କିଣିଛି । ଅଷ୍ଟ୍ରେଲିଆ ଖେଳାଳି ଟ୍ରାଭିସ ହେଡଙ୍କୁ ସନରାଇଜର୍ସ ହାଇଦ୍ରାପାଦ ୬ କୋଟି ୮୦ ଲକ୍ଷରେ କିଣିଛି । ଇଂଲଣ୍ଡ ଖେଳାଳି ହ୍ୟାରି ବ୍ରୁକଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୪ କୋଟିରେ କିଣିଛି । ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ରୋବମନ ପାୱେଲଙ୍କୁ ରାଜସ୍ଥାନ ରୟାଲ୍ସ  ୭ କୋଟି ୪୦ ଲକ୍ଷରେ କିଣିଛି । ଦକ୍ଷିଣ ଆଫ୍ରିକାର ଗେରାଲ୍ଡ କୋଟଜିଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୫ କୋଟିରେ କିଣିଛି । ସେହିପରି ଆଫଗାନିସ୍ଥାନ ଷ୍ଟାର କ୍ରିକେଟର ଅଜମତୁଲ୍ଲା ଓମରଜଇଙ୍କୁ ଗୁଜରାଟ ଟାଇଟନ୍ସ ୫୦ ଲକ୍ଷରେ କିଣିଛି ।