ଚିକିତ୍ସା ଅଭାବରୁ ଆଖି ବୁଜିଲେ ପ୍ରସୂତି ଏବଂ ଶିଶୁକନ୍ୟା

ଗଞ୍ଜାମ: ଚିକିତ୍ସା ଅଭାବରୁ ଆଖି ବୁଜିଲେ ପ୍ରସୂତି ଏବଂ ଶିଶୁକନ୍ୟା। ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅଭାବରୁ ଜଣେ ପ୍ରସୂତି ଏବଂ ଜନ୍ମିତ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜୟପୁର କଲୋନୀ ଦଳିତ ସାହିର ନମିତା ନାୟକ।

ନମିତା ଗର୍ଭବତୀ ଥିବା ବେଳେ ସ୍ୱାମୀ ସୁରେନ୍ଦ୍ର ନାୟକ କିଛିମାସ ପୂର୍ବେ ଦାଦନ ଶ୍ରମିକ ଭାବେ ମୁମ୍ବାଇ ଯାଇଥିଲେ। ସୋମବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ନମିତାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକେ ଅଟୋ ଯୋଗେ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଉପସ୍ଥିତ ଡାକ୍ତର ଯନ୍ତ୍ରଣା ଉପଶମ ପାଇଁ ମେଡିସିନ ଦେଇଥିଲେ। କିନ୍ତୁ ଯନ୍ତ୍ରଣା କମି ନଥିଲା। ପରେ ତାଙ୍କୁ ପ୍ରସବ କରାଯାଇଥିଲା। ତାଙ୍କର ଏକ ମୃତ ଶିଶୁକନ୍ୟା ଜନ୍ମ ହେବା ପରେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ରାତି ପ୍ରାୟ ୧୧ ଟାରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରାଜ୍ୟ ସରକାର ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବା ପାଇଁ ଦାବି ହୋଇଛି ।