ପୁଞ୍ଜିନିବେଶର ପ୍ରକୃଷ୍ଟ କ୍ଷେତ୍ର ହେବ ଓଡ଼ିଶା, ଶିଳ୍ପାୟନରେ ଉତ୍କର୍ଷ ଆଣିବ ୫-ଟି

1 min read

ଭୁବନେଶ୍ୱର:  ଶିଳ୍ପ ଅର୍ଥନୀତିକୁ ଗତିଶୀଳ କରାଏ  । ଏଥିସହ ସୃଷ୍ଟି କରିଥାଏ ରୋଜଗାର । ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ସହ ରୋଜଗାର ସୃଷ୍ଟି କରିବା ପାଇଁ ଆୟୋଜିତ ହେବାକୁ ଯାଉଛି ମେକ ଇନ ଓଡ଼ିଶା କନକ୍ଲେଭ । ଏଥିପାଇଁ ମଙ୍ଗଳବାର ଏଫଆଇସିସିଆଇ  ସହ ବୁଝାମଣା ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର । ରାଜ୍ୟକୁ ଦେଶ ବିଦେଶରୁ ପୁଞ୍ଜିପତିଙ୍କୁ  ନିବେଶ ପାଇଁ ଆକୃଷ୍ଟ କରିବାରେ ସହଯୋଗ କରିବ  ଏଫଆଇସିସିଆଇ ।

ଆସନ୍ତା ମେକ ଇନ ଓଡ଼ିଶା କନକ୍ଲେଭ ପାଇଁ FICCI ହେବ ଜାତୀୟ ଅଂଶୀଦାର  । ଇପିକଲ ଏମଡି ଏନ.ବି ଜୱାଲେ ଏବଂ ଏଫଆଇସିସିଆଇ ସାଧାରଣ ସମ୍ପାଦକ ଅରୁଣ ଚାୱଲାଙ୍କ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  କହିଛନ୍ତି, ସାମଗ୍ରିକ ଶିଳ୍ପାୟନରେ ୫-ଟି ବ୍ୟାପକ ପରିବର୍ତ୍ତନ ଆଣିଛି । ଏହି ଚୁକ୍ତି ଦ୍ୱାରା ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧିରେ ନୂଆ ଅଧ୍ୟାୟ ସୃଷ୍ଟି ହେବ  ।  ସକରାତ୍ମକ ଶିଳ୍ପନୀତି, ଉନ୍ନତ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ, ସଫଳତା ଦେଉଥିବା ପ୍ରଶାସନିକ ବ୍ୟବସ୍ଥାରେ ରାଜ୍ୟ ସମୃଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସର୍ବୋପରି ଶିଳ୍ପାୟନକୁ ୫-ଟି ପରିସରଭୁକ୍ତ ହୋଇଥିବାରୁ ଏହା ଆଗାମୀ ଦିନରେ ଉତ୍କର୍ଷ ଆଣିବ ବୋଲି ରାଜ୍ୟ ସରକାର ଆଶାବାଦୀ ।

ଅନୁରୂପ ଭାବେ ଓଡ଼ିଶାର ଶିଳ୍ପ ଅନୁକୂଳ ପରିବେଶକୁ ପ୍ରଶଂସା କରିଛି FICCI  । କୋଭିଡ ସମୟରେ ମଧ୍ୟ ପୁଞ୍ଜି ନିବେଶ ପାଇଁ ଆକୃଷ୍ଟ ହୋଇଛନ୍ତି ପୁଞ୍ଜିପତି  । ଗତ ଫେବ୍ରୁଆରୀରୁ ଅକ୍ଟୋବର ମଧ୍ୟରେ ୨୪ ହଜାର ୩ଶହ କୋଟିର ପୁଞ୍ଜିନିବେଶ ହୋଇସାରିଛି । ଶିଳ୍ପପତିଙ୍କ ପାଇଁ ପ୍ରସ୍ତୁତ ହୋଇଛି ସିଙ୍ଗଲ ଓ୍ୱଣ୍ଡୋ ବ୍ୟବସ୍ଥା ବୋଲି କହିଛି ଫିକ୍କି  । ପୂର୍ବରୁ ପ୍ରଥମ ଓ ଦ୍ୱିତୀୟ ମେକ୍ ଇନ ଓଡ଼ିଶା କନକ୍ଲେଭରୁ ରାଜ୍ୟକୁ ବ୍ୟାପକ ସଫଳତା ମିଳିଥିଲା । ଯେଉଁଥିରେ ୬ ଲକ୍ଷ କୋଟିର ପୁଞ୍ଜିନିବେଶ ହୋଇଛି  ।

Leave a Reply