ଚାଉଳରୁ ପାସ୍ତା ଓ ନୁଡଲସ୍ ପ୍ରସ୍ତୁତ କରିବେ ମହିଳା: ଇରି ଦେବ ପ୍ରଶିକ୍ଷଣ, ମିଶନ ଶକ୍ତି ସହ ଚୁକ୍ତି

ଭୁବନେଶ୍ବର: କୃଷି ପ୍ରଗତିରେ ମହିଳା । କୃଷି ଅର୍ଥନୀତିର କର୍ଣ୍ଣଧାର ସାଜିଛନ୍ତି ମିଶନ ଶକ୍ତି ମହିଳା । ଏଣିକି ଚାଉଳରୁ ପ୍ରସ୍ତୁତ ହେବ ବିଦେଶୀ ଖାଦ୍ୟ ପାସ୍ତା ଓ ନୁଡଲ୍ସ୍ । ଏଥିପାଇଁ ମିଶନ ଶକ୍ତି ମହିଳା ନେବେ ପ୍ରଶିକ୍ଷଣ । କୃଷି ଓଡ଼ିଶା ମହୋତ୍ସବରେ ଏ ନେଇ ଫିଲିପାଇନ୍ସର ଇରି ସଂସ୍ଥା ସହ ମିଶନ ଶକ୍ତି ବିଭାଗ ବୁଝାମଣା ପତ୍ର ସ୍ବାକ୍ଷର କରିଛି ।

କୃଷି ବିକାଶ ଓ ବିପଣନରେ ମିଶନ ଶକ୍ତି ମହିଳାଙ୍କ ବଡ଼ ଅବଦାନ । ମିଲେଟ୍ସରୁ ମକା ମିଶନ, ମୋ ପୋଖରୀରୁ ଧାନ ସଂଗ୍ରହ । ସବୁଠି ମିଶନ ଶକ୍ତିର ସଫଳତା । ରାଜ୍ୟର କୃଷି ବିକାଶ ପାଇଁ କୃଷି ବିଭାଗ ସହିତ ତାଳ ଦେଇ କାମ କରିଆସୁଛି ମିଶନ ଶକ୍ତି । ଏଣିକି ଚାଉଳରୁ ପ୍ରସ୍ତୁତ ହେବ ବିଦେଶୀ ଖାଦ୍ୟ ପାସ୍ତା ଓ ନୁଡଲସ୍ । ଫିଲିପାଇନ୍ସ ମାନିଲାର ଇରି ସଂସ୍ଥା ମିଶନ ଶକ୍ତି ମହିଳାଙ୍କୁ ଦେବ ପ୍ରଶିକ୍ଷଣ । ଏ ନେଇ ମିଶନ ଶକ୍ତି ବିଭାଗ ଓ ଇରୀ ମଧ୍ୟରେ ସ୍ବାକ୍ଷରିତ ହୋଇଛି ବୁଝାମଣା ପତ୍ର । ମିଶନ ଶକ୍ତି ମହିଳାଙ୍କୁ କୃଷି ସହାୟତା ପ୍ରଦାନରେ ବି ରାଜ୍ୟ ସରକାର ରେକର୍ଡ଼ କରିଛନ୍ତି । ୭୫ ପ୍ରତିଶତ ରିହାତିରେ କୃଷି ଯାନ୍ତ୍ରିକିକରଣ ପାଇଁ ୧୬ ହଜାର ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଦାନ କରାଯାଇଛି ସହାୟତା । ଚଳିତବର୍ଷ ମକା ମିଶନ ଜରିଆରେ ୧୦ଟି ଜିଲ୍ଲାରେ ମିଶନ ଶକ୍ତି ମହିଳାଙ୍କୁ କୃଷି ଉଦ୍ୟୋଗ ପାଇଁ ଦିଆଯାଇପାରିଛି ସହାୟତା ।

ଫାର୍ମ ମେକାନିଜିମରେ ଓଡ଼ିଶା ଚଳିତବର୍ଷ ରେକର୍ଡ କରିଛି । ମହିଳା ଚାଷୀଙ୍କ ପାଇଁ ପ୍ରଥମ ଥର ପାଇଁ ବଜାରକୁ ଆସିଛି ରିମୋଟ୍ ସେନ୍ସିଂ ପାଓ୍ବାର ଟିଲର୍ । ପ୍ରଚଣ୍ଡ ଖରାରେ ବିଲରେ କାଦୁଅ କରିବା ହେଉ କି ହଳ,  ସବୁ କିଛି କରିହେବ ରିମୋଟ ଯୋଗେ । ସେପଟେ ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଯୋଜନାରେ ବାୟୋଫ୍ଲକ୍ ଓ ପଞ୍ଜୁରୀ ମାଛ ଚାଷ, କ୍ଷାର ପାଣି କଙ୍କଡ଼ା, ହଲିଷ୍ଟିନ୍ ଗାଈ, ରଙ୍ଗୀନ୍ ବାର୍ଡ, ଧଳା ଘୁଷୁରୀ, ଅଣ୍ଡାଦିଆ କୁକୁଡ଼ା ଚାଷ ପାଇଁ ସରକାର ଯୋଗାଉଛନ୍ତି ସବସିଡ । କୃଷି ଯାନ୍ତ୍ରିକୀକରଣ ଯୋଜନାରେ ଉନ୍ନତ ମାନର ଟ୍ରାକ୍ଟର, ଧାନ ଅମଳ ମେସିନ୍, ରୁଆ ମେସିନ୍ ପାଇଁ ଦିଆଯାଉଛି ସବସିଡି । ଚଳିତବର୍ଷ ରାଜ୍ୟ ସରକାର ୧୪ ଶହ କୋଟି ଟଙ୍କାର କୃଷି ଯନ୍ତ୍ରପାତି ରିହାତିରେ ଯୋଗାଇ ଦେଉଛନ୍ତି ।