ପଦ ଯିବା ପରେ କହିଲେ ଶିବରାଜ, ନିଜ ପାଇଁ କିଛି ମାଗିବା ଅପେକ୍ଷା ମରିଯିବା ଭଲ

ଭୋପାଳ: ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଗଣମାଧ୍ୟମ ସାମନାରେ ମୁହଁ ଖୋଲିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ  । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ‘ମୁଁ ବିନମ୍ରତା ସହ କହୁଛି ଯେ ମୁଁ ନିଜ ପାଇଁ କିଛି ମାଗିବା ଅପେକ୍ଷା ମରିଯିବା ଭଲ  । ଏଥିପାଇଁ ମୁଁ ମନା କରିଥିଲି ଯେ ଦିଲ୍ଲୀ ଯିବିନାହିଁ  । ବରଂ ପାର୍ଟି ମୋତେ ଯାହା ଦାୟିତ୍ବ ଦେବ ଏଠାରେ ରହି ତାହା କରିବି ’ ।

ସେ ଆହୁରି ମଧ୍ୟ କହିଛନ୍ତି ଆଜି ଯାଏଁ ନିଜ ପାଇଁ କିଛି ନିଜେ ନିଷ୍ପତ୍ତି ନେଇ ନଥିଲି କି ନେଇନାହିଁ  । ଯାହା ବି କରିଛି ଦଳର ନିଷ୍ପତ୍ତି ଅନୁସାରେ କରିଛି  । ନୂଆ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କେବଳ ଗୋଟିଏ ଦାବି ରଖିଛି  । ‘‘ମୋତେ ଗଛ ଲଗାଇବାକୁ ଦିଅନ୍ତୁ ମୋ ପାଇଁ କିଛି ଜମି ଉପଲବ୍ଧ କରାନ୍ତୁ ’’ ।

ଶିବରାଜ ସିଂ ଚୌହ୍ବାନ ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି  । ବରିଷ୍ଠ ନେତା ନରେନ୍ଦ୍ର ସିଂ ତୋମାର ବିଧାନସଭାର ବାଚସ୍ପତି ପଦ ତୁଲାଇବେ ସେଥିପାଇଁ ତାଙ୍କୁ ବି ଶୁଭେଚ୍ଛା ଜଣାଇଛନ୍ତି ସିବରାଜ  । ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ନେତୃତ୍ବରେ ବିଜେପି ସରକାର ସବୁ ଅଧୁରା କାମ ଦ୍ରୁତଗତିରେ ସମ୍ପୂର୍ଣ୍ଣ କରିବ  । ତାଙ୍କୁ ସହଯୋଗ କରିବାକୁ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ  ।

ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେବା ଅବସରରେ ସେ କହିଛନ୍ତି ମୋତେ ଖୁସି ଲାଗୁଛି ଯେ ୨୦୨୩ରେ ବିଜେପି ରାଜ୍ୟରେ ବହୁମତରେ ସରକାର ଗଠନ କରିଛି  । ଏହି କିଛି ବର୍ଷ ମଧ୍ୟରେ ନିଜ ସାମର୍ଥ୍ୟ ଓ କ୍ଷମତା ବଳରେ ରାଜ୍ୟ ବିକାଶରେ ସହଯୋଗ କରିଛି  । ନୂଆ ସରକାର ଖୁବଶୀଘ୍ର ଜନକଲ୍ୟାଣକାରୀ ଯୋଜନା ଲାଗୁ କରିବାକୁ ଯାଉଛି  । ୨୦୨୩ରେ କେନ୍ଦ୍ର ଯୋଜନା ଓ ଲାଡଲୀର ଯୋଗଦାନ ଫଳରେ ମଧ୍ୟପ୍ରଦେଶରେ ପୁଣିଥରେ ବିଜେପି ବାଜିମାତ କରିବା ସମ୍ଭବ ହୋଇପାରିଛି  ।