ଶିବସେନା ଉଦ୍ଧବ ଗୋଷ୍ଠୀକୁ ଝଟକା, ଏକନାଥ କ୍ୟାମ୍ପରେ ସାମିଲ ସାଂସଦ ଗଜାନନ

ମୁମ୍ବାଇ: ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀକୁ ପୁଣି ବଡ଼ ଧରଣର ଧକ୍କା । ଏକନାଥ ସିନ୍ଦେ କ୍ୟାମ୍ପରେ ସାମିଲ ହେଲେ ସାଂସଦ ଗଜାନନ କୀର୍ତ୍ତିକାର । ସିନ୍ଦେ ନେତୃତ୍ବାଧୀନ ବାଲାସାହେବ ଶିବସେନା ଦଳରେ ସାମିଲ ହେବାରେ ମୁମ୍ବାଇ ନର୍ଥ ଓ୍ବେଷ୍ଟ ଏମପି ଗଜାନନ ହେଉଛନ୍ତି ତ୍ରୟୋଦଶ ସାଂସଦ । ଶିବସେନାର ମୋଟ ୧୮ ଜଣ ସାଂସଦ ନିର୍ବାଚିତ ହୋଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା ୧୩ ଜଣ ସାଂସଦ ସିନ୍ଦେ ଶିବିରରେ ସାମିଲ ହେଲେଣି ।

ସେହିପରି ଶିବସେନାର ମୋଟ ୫୬ ବିଧାୟକଙ୍କ ମଧ୍ୟରୁ ସିନ୍ଦେଙ୍କ ଗୋଷ୍ଠୀରେ ରହିଛନ୍ତି ୪୦ ବିଧାୟକ । କିଛି ମାସ ଧରି ଉଦ୍ଧବ ଠାକରେଙ୍କୁ ସମାଲୋଚନା କରିଆସୁଥିଲେ ଗଜାନନ । ସେ କହିଥିଲେ, ଏକନାଥ ସିନ୍ଦେଙ୍କୁ ଉଦ୍ଧବ ବୁଝିବାର ଆବଶ୍ୟକ ରହିଛି । ଶିବସେନାର ୩ ରାଜ୍ୟସଭା ସାଂସଦ ଉଦ୍ଧବ ଗୋଷ୍ଠୀ ସହ ଏବେ ରହିଛନ୍ତି ।