ଘରେ ପଶି ନାବାଳିକାକୁ ଦୁଷ୍କର୍ମ କଲା ନାବାଳକ, ନିଜ ଦେହରେ ନିଆଁ ଲଗାଇଦେଲା ନାବାଳିକା

ରିଓ୍ୱା: ଦେଶରେ କରୋନା ପରି ନାରୀ ମାନଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ହାଥରସରେ ତିନି ତିନିଟି ଦୁଷ୍କର୍ମର ନିଆଁ ମନରୁ ନଲିଭୁଣୁ ପୁଣି ଆଉ ଗୋଟିଏ ଲୋମ ଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ଏଭଳି ଏକ ଘଟଣା ଯାହା ଆପଣମାନେ ଶୁଣିଲେ ଧର୍ଯ୍ୟହରା ହୋଇପଡ଼ିବେ । କାରଣ ମଧ୍ୟପ୍ରଦେଶର ରେୱାଠାରେ ଜଣେ ନାବାଳିକା ସହିତ ଦୁଷ୍କର୍ମ ହେବା ପରେ ନାବାଳିକା ନିଜ ଦେହରେ ନିଆଁ ଲଗାଇଦେଇଛି । ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା ନାବାଳିକା ।

ଏଠି ନାବାଳିକାକୁ ଗୋଟିଏ ନାବାଳକ ଦୁଷ୍କର୍ମ କରିଛି । ଦୁଷ୍କର୍ମ ପରେ ସମାଜରେ ଲାଜରୁ ବଞ୍ଚିବା ପାଇଁ ନିଜକୁ ନିଆଁ ମୁହଁକୁ ଠେଲି ଦେଇଛି ନାବାଳିକା । ସେପଟେ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ପୋଲିସ ଗିରଫ ମଧ୍ୟ କରିଛି ।

ଏଭଳି ଏକ ଲୋମ ହର୍ଷଣକାରୀ ଘଟଣା ରେୱା ଜିଲ୍ଲାର ଅତରେଲା ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି । ସୂଚନା ଅନୁଯାୟୀ, ଅକ୍ଟୋବର ୭ରେ ଜଣେ ୧୪ ବର୍ଷର ନାବାଳିକା ସହିତ ଏଭଳି ଘଟଣା ଘଟିଛି । ଘଟଣା ଘଟିବା ସମୟରେ ସମୟରେ ପରିବାର ଲୋକେ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ ପୀଡ଼ିତାଙ୍କ ବଡ ଭଉଣୀ ଛେଳି ଚରାଇବାକୁ ବିଲକୁ ଯାଇଥିଲା । ସନ୍ଧ୍ୟା ପ୍ରାୟ ୪ ଟା ବେଳେ ଗାଁର ଜଣେ ୧୫ ବର୍ଷୀୟ ନାବାଳକ ଘରେ ପଶି ପୀଡିତାଙ୍କୁ ଏକୁଟିଆ ପାଇ ବଳାତ୍କାର କରିଥିଲା ।

ଏହାପରେ ପୀଡ଼ିତା ଜଣକ ସେହି ସମୟରେ ହିଁ ନାବାଳକ ସାମ୍ନାରେ ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲା । ନାବାଳକ ଏହା ଦେଖି ଖୁବ୍‌ ଡରି ଯାଇଥିଲା ଏବଂ ନାବାଳିକା ଦେହରୁ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ସେତେବେଳକୁ ନାବାଳିକାର ଶରୀର ଅଧାରୁ ଅଧିକ ପୋଡ଼ି ଯାଇଥିଲା । ଏହା ଦେଖି ବାଳକ ଘଟଣାସ୍ଥଳରୁ ଖସି ପଳାଇଥିଲା । ପରିବାର ଲୋକ ସନ୍ଧ୍ୟାରେ ଫେରିବା ପରେ ସେମାନେ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ । ସେ ତୁରନ୍ତ ପୀଡିତାଙ୍କୁ ଚିକିତ୍ସା ପାଇଁ ଜାୱା କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।

ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ କରିବା ସହ ନାବାଳକକୁ ଗିରଫ କରିବା ପାଇଁ ଦାବି କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ନାବାଳକକୁ ଗିରଫ କରିଛି ।

Leave a Reply