ରେଳ ଲାଇନରେ ଧସିଲା ମାଟି, ଅନେକ ଟ୍ରେନ୍ ବାତିଲ

କୋରାପୁଟ: ଲଗାଣବର୍ଷାରେ ବେହାଲ କୋରାପୁଟ ।  ଜିଲ୍ଲା ବିଭିନ୍ନ ସ୍ଥାନରେ ଭୂସ୍ଖଳନ । କୋରାପୁଟ କିରଣ୍ଡାଲ ଲାଇନକୁ ରେଳ ଚଳାଚଳ ବନ୍ଦ ।  ମାଳିଗୁଡ଼ା ଠାରୁ ଜରଟି ରେଳ ଲାଇନରେ ମାଟି ଧସି ଅବରୋଧ କରିଛି । ସଫା କରିବାରେ ଲାଗି ପଡିଛନ୍ତି ରେଳ ବିଭାଗୀୟ କର୍ତ୍ତୃପକ୍ଷ। ଏପରି ସମସ୍ୟା ଯୋଗୁ  ଅନେକ ଟ୍ରେନ ବାତିଲ ହୋଇଥିବାବେଳେ ଆଜି ଠାରୁ ଅନେକ ଟ୍ରେନ ଜଗଦଲପୁର ପରିବର୍ତ୍ତେ କୋରାପୁଟରୁ ଯାତାୟାତ କରିବ ବୋଲି ୱାଲଟର ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି । ମାଲିଗୁଡ଼ା ରେଳ ଷ୍ଟେସନ ଓ ଜରଟି ରେଳ ଷ୍ଟେସନ ମଧ୍ୟରେ ୨୦୮/୨୦୯ କିଲୋମିଟର ରେଳ ଲାଇନରେ ଭୂସ୍ଖଳନ ହୋଇଛି । ରେଳ ବିଭାଗୀୟ ଉଚ୍ଚ ପଦାଧିକାରୀ, ଇଞ୍ଜିନିୟରଙ୍କ ସମସ୍ତ ଅଧିକାରୀ ଓ କର୍ମଚାରୀ ପହଞ୍ଚି ରେଳ ଲାଇନ୍ କିପରି ସ୍ଵାଭାବିକ କରାଯିବ ସେ ଦିଗରେ କାର୍ଯ୍ୟ ଜାରି ରଖିଛନ୍ତି   । ଘଟଣା ସ୍ଥଳରେ ୧୧ରୁ ଅଧିକ ଜେସିବି ମୁତୟନ ହୋଇଛି । ବର୍ଷା ସତ୍ୱେ ରେଳ ଲାଇନ ସ୍ଵାଭାବିକ ପାଇଁ  ଜୋରସୋର ରେ କାର୍ଯ୍ୟ ଜାରି ରହିଛି ।

ପ୍ରତି ବର୍ଷ ଏପରି ଅଘଟଣ ଘଟୁଛି । ଗତକାଲିର ପାସେଞ୍ଜର ଟ୍ରେନ ଯିବାର ୨ ମିନିଟ ପରେ ପାହାଡ଼ ଧସି ପଡିଥିଲା । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଯାତ୍ରୀ ଓ ଶ୍ରମିକ । ବାରମ୍ବାର ଏପରି ପାହାଡ଼ ରୁ ମାଟି ଅତଡ଼ା ଖସୁଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି ।

ଗତ ୨୪ ଘଣ୍ଟାରୁ ଅଧିକ ସମୟ ହେଲାଣି ବର୍ଷାରେ ମାଟି ଓ ପଥର ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଏହା ପୂର୍ବରୁ ଗତ ୨୦୨୩ ମସିହା ସେପ୍ଟେମ୍ବର ମାସ ୧୦ ତାରିଖରେ ମଧ୍ୟ ଏକ ବଡଧରଣର ଭୂସ୍ଖଳନ ହୋଇଥିଲା ।