spot_img

Latest Posts

ଦେଶମୁଖଙ୍କୁ ନେଇ ମହାରାଷ୍ଟ୍ର ରାଜନୀତିରେ ଝଡ଼, ରାଜ୍ୟପାଳଙ୍କୁ ଭେଟିଲେ ବିରୋଧୀ

ମୁମ୍ବାଇ: ମହାରାଷ୍ଟ୍ର ମହାସଙ୍କଟ ନେଇ ମହାବୈଠକ ଜାରି ରହିଛି । ସଚିନ ୱାଜେ ଓ ପୂର୍ବତନ ପୋଲିସ କମିସନର ପରମବୀର ସିଂଙ୍କ ଚିଠିକୁ ନେଇ ଜାରି ରହିଥିବା ବିବାଦ ମହାରାଷ୍ଟ୍ର ସରକାରଙ୍କୁ ମୁମ୍ବାଇରୁ ଦିଲ୍ଲୀ ପର୍ଯ୍ୟନ୍ତ ଘେରିଛନ୍ତି ବିରୋଧୀ। ସେପଟେ ଆଜି ଏହି ବିବାଦ ନେଇ ରାଜ୍ୟପାଳଙ୍କୁ ଭେଟିବାକୁ ପହଞ୍ଚିଛନ୍ତି ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ବିଜେପିର ଅନ୍ୟ ବରିଷ୍ଠ ନେତା। ସଚିନ ୱାଜେ ଓ ଅନୀଲ ଦେଶମୁଖ ପ୍ରସଙ୍ଗରେ ଉଦ୍ଧବ ସରକାରଙ୍କୁ ରିପୋର୍ଟ ମାଗିପାରନ୍ତି ରାଜ୍ୟପାଳ।

ମହାରାଷ୍ଟ୍ରରେ ବଡ଼ ପଦରେ ନିଯୁକ୍ତି ପାଇଁ ହେଉଥିବା ଲାଞ୍ଚ କାରବାରର ତଦନ୍ତ ଦାବି କରି ଗତକାଲି କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଥିଲେ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ।  ସେପଟେ ଆଜି ପରମବୀର ସିଂଙ୍କ ପିଟିସନ ଉପରେ  ଶୁଣାଣି କରିବେ ସୁପ୍ରିମକୋର୍ଟ। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନାଁରେ ପରମବୀର ସିଂ ଆଣିଥିବା ଅଭିଯୋଗର ତଦନ୍ତ ନେଇ ଆଜି ରାୟ ଆସିପାରେ । ଅନ୍ୟପଟେ ମହାରାଷ୍ଟ୍ର ସରକାର ଭାଙ୍ଗିବାକୁ ଉଦ୍ୟମ କରାଯାଉଥିବା କହି ବିଜେପି ଉପରେ ଏନସିପି ପ୍ରବକ୍ତା ନୱାବ ମଲିକ ବର୍ଷିଛନ୍ତି।

ସୂଚନାଯୋଗ୍ୟ, ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ଚିଠି ଲେଖି ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ୍ ଦେଶମୁଖଙ୍କ ଉପରେ ଭ୍ରଷ୍ଟାଚାରର ଅଭିଯୋଗ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ଗୃହମନ୍ତ୍ରୀ ମାସକୁ ୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ କରୁଥିଲେ। ଏଭଳି ଅଭିଯୋଗ ପରେ ମହାରାଷ୍ଟ୍ର ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ଏହି ଘଟଣାରେ ଅନୀଲ ଦେଶମୁଖଙ୍କ ଇସ୍ତଫା ଦାବି କରିଛି ବିରୋଧୀ ବିଜେପି। ଅନ୍ୟପଟେ ମଧ୍ୟପ୍ରଦେଶ ଭଳି ମହାରାଷ୍ଟ୍ରରେ ସରକାର ଭାଙ୍ଗିବାକୁ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଶିବସେନା ମଧ୍ୟ ବିଜେପିକୁ ସମାଲୋଚନା କରିଛି।

Latest Posts

Don't Miss