କମ୍ପୁଛି ନବରଙ୍ଗପୁର ପ୍ରଚାର ମଇଦାନ

1 min read

ନବରଙ୍ଗପୁର: ରାଜ୍ୟ ରାଜନୀତିରେ ଗୁରୁତ୍ୱ ପୂର୍ଣ୍ଣ ବିଧାନସଭା କ୍ଷେତ୍ର ହେଉଛି ନବରଙ୍ଗପୁର ବିଧାନସଭା । ଏହି ନିର୍ବାଚନ ମଣ୍ଡଳୀ ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି,ନବରଙ୍ଗପୁର ବ୍ଲକ ଓ କୋଷଗୁମୁଡ଼ା ବ୍ଲକର ୧୦ଗୋଟି ପଞ୍ଚୟତକୁ ନେଇ ଗଠିତ। ୩, ୬୫, ୪୦୩ ଜନ ସଂଖ୍ୟା ରହିଥିବା ବେଳେ ୨, ୩୨, ୮୨୧ ଜଣ ଭୋଟର ରହିଛନ୍ତି। ଏହି ନିର୍ବାଚନ ମଣ୍ଡଳି ଦୀର୍ଘଦିନ ଧରି କଂଗ୍ରେସ କବଜାରେ ରହିଆସୁଥିଲା। ହେଲେ ୨୦୦୯  ମସିହାରେ କଂଗ୍ରେସ ଗଡ଼ ଭାଙ୍ଗି ବିଜେଡ଼ି ହାତକୁ ଚାଲିଯାଇଥିଲା ଏହି ନିର୍ବାଚନମଣ୍ଡଳି । ୨୦୧୯ରେ ମଧ୍ୟ ବିଜୁ ଜନତା ଦଳର ପ୍ରାର୍ଥୀ ସଦାଶିବ ପ୍ରଧାନୀ ୬ ହଜାର ୬୪ ଖଣ୍ଡ ଭୋଟ ପାଇ ବିଜେପି ପ୍ରାର୍ଥୀଙ୍କୁ ପରାଜୟ କରିଥିଲେ।

ଉଠୁଛି ପଢୁଛି ନବରଙ୍ଗପୁର । ପ୍ରଚାରରେ କମ୍ପୁଛି ନିର୍ବାଚନ ମଇଦାନ । ଭୋଟରଙ୍କ ମନ ଜିଣିବାକୁ ତିନି ପ୍ରମୁଖ ଦଳ ପ୍ରାର୍ଥୀଙ୍କ ପ୍ରତିଶ୍ରୁତିର ପାହାଡ । ବହୁ ଚର୍ଚ୍ଚିତ ନବରଙ୍ଗପୁର ନିର୍ବାଚନମଣ୍ଡଳି ୨୦୦୯ ମସିହାରେ ଅନୁସୂଚିତ ଜନଜାତି ବର୍ଗର ଲୋକ ମାନଙ୍କ ପାଇଁ ସଂରକ୍ଷିତ ରହିଥିଲା । ଫଳରେ ଏଠି ଭଶୁଡି ପଡିଥିଲା କଂଗ୍ରେସର ଦୁର୍ଗ । ନଅ ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଥିବା ହାବିବୁଲ୍ଲା ଖାଁଙ୍କ ସମୟରେ ଅଞ୍ଚଳର କୌଣସି ଆଖିଦୃଷ୍ଟିଆ ବିକାଶ ହୋଇନଥିବା କହିଥିଲେ ଭୋଟର । ଶେଷରେ ଏହି ଆସନରେ ବିଜେଡିରୁ ପ୍ରାର୍ଥୀ ହୋଇ ମନୋହର ରନ୍ଧାରୀ କଂଗ୍ରେସ ଦଳର ପ୍ରାର୍ଥୀ ସଦନ ନାୟକଙ୍କୁ ୩, ୩୩୪ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ।

ସେହି ଦିନ ଠାରୁ ବିଜେଡ଼ି କବଜାରେ ଏହି ନିର୍ବାଚନ ମଣ୍ଡଳୀ । ୨୦୦୯ରେ ଏହି ଅସନରୁ ବିଜେଡିର ମନୋହର ରନ୍ଧାରୀ ୫୧, ୪୪୮ ଭୋଟ ପାଇ କଂଗ୍ରେସର ସଦନ ନାୟକଙ୍କୁ ପରାସ୍ତ କରିଥିଲେ। ସେହିଭଳି ୨୦୧୪ରେ ମନୋହର ରନ୍ଧାରୀ ୭୬, ୭୫୯ଟି ଭୋଟ ପାଇ କଂଗ୍ରେସର ସଦନ ନାୟକଙ୍କ ଠାରୁ ବିଜୟୀ ହୋଇଥିଲେ । ୨୦୧୯ରେ ମଧ୍ୟ ବିଜୁ ଜନତା ଦଳର ପ୍ରାର୍ଥୀ ସଦାଶିବ ପ୍ରଧାନୀ ୬ ହଜାର ୬୪ ଖଣ୍ଡ ଭୋଟ ପାଇ ବିଜେପି ପ୍ରାର୍ଥୀ ଗୌରୀ ଶଙ୍କର ମାଝୀଙ୍କୁ ପରାଜୟ କରିଥିଲେ।

ନବରଙ୍ଗପୁର ନିର୍ବାଚନମଣ୍ଡଳି  ମୁଖ୍ୟ ରାଜନୈତିକ ମୁଦ୍ଦା ଜଳସେଚନ, ଶିକ୍ଷା ସ୍ୱାସ୍ଥ୍ୟ ଓ ଗମନାଗମନ । ଲୋକଙ୍କ ମୁଖ୍ୟ ଭରଷା ହେଉଛି ଚାଷ । ପାର୍ବତୀଗିରୀ ଉଠାଜଳ ସେଚନ ଯୋଜନାରେ ୧୮ଶହ ୫୦ କୋଟି ଟଙ୍କା ବ୍ୟୟରେ ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ଜଳସେଚନ ପାଇଁ ବ୍ୟବସ୍ଥା କରାଯାଇଛି। ସେହିଭଳି ତୁରୀ ଗୁଣ୍ଠା ଠାରେ ନଦୀ ସଂଯୋଗୀକରଣ ମାଧ୍ୟମରେ ଜଳସେଚନ ବ୍ୟବସ୍ଥା କରି ଚର୍ଚ୍ଚାରେ ରହିଛନ୍ତି ରାଜ୍ୟସରକାର । ଚାଷୀଙ୍କ ଧାନ ବିକ୍ରି ବଟା ପାଇଁ ମଣ୍ଡିର  ସୁବ୍ୟବସ୍ଥା, ମକା ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମକା ମିଶନ କାର୍ଯ୍ୟକ୍ରମ ବେଶ ସଫଳତା ପାଇଛି । ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଗାଁକୁ ଗାଁ ଯୋଡିବା ସହ ଗମନାଗମନକୁ ସୁଦୃଢ କରାଯାଇଛି ।  ଶିକ୍ଷାକୁ ଗୁରୁତ୍ୱ ଦେଇ ଫାଇଭ-ଟି ସ୍କୁଲ ରୂପାନ୍ତରଣ ଯୋଜନାରେ ସମସ୍ତ ସ୍କୁଲକୁ ରୂପାନ୍ତରିତ କରାଯାଇଛି । ସ୍ବାସ୍ଥ୍ୟକ୍ଷେତ୍ରକୁ ଗୁରୁତ୍ବ ଦିଆଯାଇ CHC, PHC, ଓ  ସମସ୍ତ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତ କରାଯାଇଥିବା କହିଛନ୍ତି ବିଧାୟକ ।

ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି  ସଦାଶିବ ପ୍ରଧାନୀଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀ । ସେହିଭଳି ବିଜେପିର ଯୋଦ୍ଧା ସାଜିଛନ୍ତି ଗୌରୀଶଙ୍କର ମାଝୀ ଓ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ  ପ୍ରଧାନୀ। ବିଜେଡି ପ୍ରାର୍ଥୀ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ମୁଦ୍ଦା କରି ରଣାଙ୍ଗନାକୁ ଓହ୍ଳାଇଥିବା ବେଳେ କଂଗ୍ରସ ଓ ବିଜେପି ମଧ୍ୟ ଭୋଟରଙ୍କୁ ଆକୃଷ୍ଟ କରିବାକୁ ନାନା ପ୍ରତିଶ୍ରୁତି ଦେଉଥିବା ଦେଖିବାକୁ ମିଳିଛି। ଯୋଜନା ହିଁ ନିର୍ଣ୍ଣାୟକ ପାଲଟିବ ବୋଲି ରାଜନୈତିକ ବିଶେଷଜ୍ଞ ମତ ରଖିଛନ୍ତି ।