ନବରଙ୍ଗପୁରରେ ଫଳୁଛି ଜାପାନ ମାଟିର ମିୟାଜାକି ଆମ୍ବ, ବିଶ୍ଵ ବଜାରରେ ଦାମ ରହିଛି ଲକ୍ଷେରୁ ୪ ଲକ୍ଷ

ନନ୍ଦିଘୋଷ ବ୍ୟୁରୋ: ଉପାନ୍ତ ନବରଙ୍ଗପୁର ଜିଲ୍ଲାରେ ଚାଷ ହୋଇଛି ଦାମୀ ଆମ୍ବ । ଯାହାର ଭାରତୀୟ ବଜାର ମୂଲ୍ୟ କିଲୋଗ୍ରାମ ପ୍ରତି ଲକ୍ଷେରୁ ୪ ଲକ୍ଷ ଟଙ୍କା । ଆମ୍ବଟି ଦେଖିବାକୁ ଯେମିତି ସୁନ୍ଦର, ସେମିତି ସୁସ୍ଵାଦୁ । ନବରଙ୍ଗପୁର ସହରର ଚାଷୀ ସୁଧାଂଶୁ ପାଢ଼ୀ ପରୀକ୍ଷାମୂଳକ ଭାବେ ଜାପାନର ମିଆଜାକି ଆମ୍ବ ଗଛ ଲଗାଇ ସଫଳ ହୋଇଛନ୍ତି । ଚଳିତ ବର୍ଷ ଏହି ଗଛରେ ଆମ୍ବ ଫଳିଥିବାରୁ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ତାହାର ଆଗ୍ରହ ବଢ଼ିଛି।

ନବରଙ୍ଗପୁରରେ ଫଳୁଛି ବିଦେଶୀ ଆମ୍ବ । ଦେଖିବାକୁ ଯେମିତି ସୁନ୍ଦର, ସ୍ଵାଦ ବି ସେମିତି ନିଆରା । ଏହା ହେଉଛି ଜାପାନ ମାଟିର ଲକ୍ଷେ ଟଙ୍କିଆ ମିୟାଜାକି ଆମ୍ବ । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ବିଶ୍ଵ ବଜାରରେ କିଲୋଗ୍ରାମ ପ୍ରତି ମୂଲ୍ୟ ୧ ଲକ୍ଷ ଟଙ୍କାରୁ ୪ଲକ୍ଷ ଟଙ୍କା ରହିଥାଏ । ଏହି ମିୟାଜାକି ଆମ୍ବ ଏବେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ଡେଙ୍ଗା ତୋଟା ଗୁଡ଼ା ଗାଁରେ ଶୋଭା ବର୍ଦ୍ଧନ କରୁଛି ।

ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ ଚାଷୀ ସୁଧାଂଶୁ ପାଢ଼ୀ ପରୀକ୍ଷାମୂଳକ ଭାବେ ନିଜ ଫାର୍ମରେ ଚାଷ କରିଛନ୍ତି ମିୟାଜାକି ଆମ୍ବ । ମାତ୍ର ୬ ରୁ ୭ ଫୁଟ ଉଚ୍ଚତା ବିଶିଷ୍ଟ ଗଛରେ ଆମ୍ବ ଫଳିଛି । ଗୋଟିଏ ଗୋଟିଏ ଆମ୍ବ, ଅଧାରୁ ଏକ କେଜି ଓଜନର ହେଲାଣି । ସ୍ଥାନୀୟ ଅଞ୍ଚଳରେ ଏତେ ଟଙ୍କା ମୂଲ୍ୟର ଆମ୍ବ ବିକ୍ରି ପାଇଁ ବଜାର ସୁବିଧା ନାହିଁ । କିନ୍ତୁ ସାହସ ଜୁଟାଇ ଆମ୍ବ ଗଛ ଲଗାଇଛନ୍ତି ସୁଧାଂଶୁ କହିଛନ୍ତି ।

ନବରଙ୍ଗପୁର ଜିଲ୍ଲାରେ ଡ୍ରାଗନ ଫଳ ଚାଷ କରି ଚର୍ଚ୍ଚାରେ ରହିଥିଲେ ସୁଧାଂଶୁ । ଏହା ସହିତ ସୁଧାଂଶୁ ନିଜ ଫାର୍ମରେ କେଶର, ଚଉସା, ଆଲ ଫାନ ସୋ’ ଆମ୍ବ ସହ ପିଜୁଳି ଚାଷ କରନ୍ତି । ଗତ ୨୦୨୨ ମସିହାରେ ଏକ ନର୍ସରୀରୁ ୨୧ ହଜାର ଟଙ୍କାରେ ୧୧ ଟି ମିୟାଜାକି ଆମ୍ବ ଚାରା ଆଣି ନିଜ ଫାର୍ମରେ ଲଗାଇଥିଲେ । ଜିଲ୍ଲା ଉଦ୍ୟାନ ବିଭାଗ ସହାୟତାରେ ବୁନ୍ଦା ଜଳ ସେଚନ ବ୍ୟବସ୍ଥା କରାଯାଇଛି । ଗଛକୁ ଉଭୟ ଖତ ସାର ସହ ପାଣି ନିୟମିତ ବ୍ୟବଧାନରେ ମିଳିପାରୁଥିବାରୁ ଦୁଇ ବର୍ଷ ମଧ୍ୟରେ ଗଛରେ ଫଳ ଧରିଛି ।

ସ୍ଥାନୀୟ ବଜାରରେ ଆମ୍ଵ ୫୦ରୁ ୧୦୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବାରୁ ଲକ୍ଷେ ଟଙ୍କା ମୂଲ୍ୟର ଆମ୍ବ ଫଳାଇ ଉଦ୍ୟାନ କୃଷି କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିଛନ୍ତି ସୁଧାଂଶୁ । ଆଗାମୀ ଦିନରେ ଏହି ଆମ୍ବର ବିକ୍ରି ପାଇଁ ବଜାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଉଦ୍ୟାନ କୃଷି ଉପନିର୍ଦ୍ଦେଶକ । ମିୟାଜାକି ଆମ୍ବର ଦର ବିଶ୍ଵ ବଜାରରେ ୧ ଲକ୍ଷ ଟଙ୍କାରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ସରକାରୀ ସ୍ତରରେ ଚାଷୀଙ୍କୁ ପ୍ରୋତ୍ସାହନ ସହିତ ବିକ୍ରି ପାଇଁ ବଜାର ସୁବିଧା କରାଇଲେ ଅଧିକରୁ ଅଧିକ ଚାଷୀ ଏହି ପ୍ରଜାତିର ଆମ୍ଵ ଚାଷ କରିବାକୁ ଆଗଭର ହେବେ ।