ମଣ୍ଡି ଖୋଲିଲା ହେଲେ ଉଠିଲାନି ଧାନ, ନବରଙ୍ଗପୁର ଜିଲ୍ଲାରେ ଖରିଫ ଧାନ କିଣା ଆରମ୍ଭରୁ ବିଭ୍ରାଟ
ନନ୍ଦିଘୋଷ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରେ ମନ୍ତ୍ରୀ, ବିଧାୟକ ଓ ଜିଲ୍ଲାପାଳଙ୍କ ଦ୍ଵାରା ବହୁ ଆଡମ୍ବରରେ ହେଲା ମଣ୍ଡି ଉଦଘାଟନ । ହେଲେ ପ୍ରଥମ ଦିନରେ ମଣ୍ଡିରୁ ଉଠିପାରିଲାନି ମୁଠାଏ ଧାନ । ମିଲର୍ସଙ୍କ ସହ ପ୍ରଶାସନ ଏଯାଏଁ ଏଗ୍ରିମେଣ୍ଟ କରି ନଥିବାରୁ ଧାନ ଉଠିପାରିଲାନି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ମଣ୍ଡି ପରିଚାଳନ ଗତ ତ୍ରୁଟି କାରଣରୁ ଚାଷୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ତୀବ୍ର ଅସନ୍ତୋଷ ।
ନବରଙ୍ଗପୁର ଜିଲ୍ଲାରେ ଖରିଫ ଧାନ କିଣା ଆରମ୍ଭରୁ ବିଭ୍ରାଟ । ନବରଙ୍ଗପୁର ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ମୁଖ୍ୟ ବଜାର ପ୍ରାଙ୍ଗଣରେ ଧାନ ମଣ୍ଡି ଉଦଘାଟିତ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମଣ୍ଡି ଶୁଭାରମ୍ଭ କରିଛନ୍ତି । କିନ୍ତୁ ପ୍ରଥମ ଦିନରେ ମଣ୍ଡିରୁ ମୁଠାଏ ଧାନ ଉଠିପାରିଲାନାହିଁ । ବର୍ତ୍ତମାନ ସୁଦ୍ଧା ପ୍ରଶାସନ ମିଲର୍ସଙ୍କ ସହ ଏଗ୍ରିମେଣ୍ଟ କରି ନଥିବାରୁ ଧାନ ଉଠିପାରିଲାନି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ ଦେଢ ମାସ ବିଳମ୍ବରେ ମଣ୍ଡି ଖୋଲିଥିଲେ ସୁଦ୍ଧା ଅନେକ ଚାଷୀଙ୍କୁ ଟୋକନ ମଧ୍ୟ ମିଳିନି ।
ଜିଲ୍ଲାରେ ୨୦୨୫-୨୬ ଖରିଫ ବର୍ଷ ପାଇଁ ୫୮ଟି ଧାନ ମଣ୍ଡି ଖୋଲା ଯାଇଛି । ଧାନ କ୍ରୟ ଓ ବିକ୍ରୟ ୧୩ ଗୋଟି ଲ୍ୟାମ୍ପସ ୨ଟି ପାଣି ପଞ୍ଚାୟତ ଓ ୩୭ଟି SHG ଜରିଆରେ କରାଯିବାର ବ୍ୟବସ୍ଥା କରାଯାଇଛି । ମଣ୍ଡିରେ ଧାନ ବିକ୍ରି କରିବାକୁ ୫୦ ହଜାର ୯୧୯ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ହେଲେ ପ୍ରଶାସନର ମଣ୍ଡି ପରିଚାଳନା ଗତ ତ୍ରୁଟିରୁ ପ୍ରଥମ ଦିନରେ ଧାନ ଉଠିପାରିଲାନାହିଁ । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ୪୨ ଜଣ ମିଲର୍ସ ଧାନ କିଣିବା ପାଇଁ ଅଂଶଗ୍ରହଣ କରିଛନ୍ତି । ପ୍ରଥମ ଦିନରେ ଚାଷୀ ମଣ୍ଡିକୁ ଧାନ ଆଣି ନଥିବାରୁ ଧାନ କିଣାଯାଇନାହିଁ ବୋଲି ସଫେଇ ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।
ଧାନ କିଣା ଆରମ୍ଭରୁ ଝୁଣ୍ଟିଲାଣି ପ୍ରଶାସନ । ଆଗାମୀ ଦିନରେ ମଣ୍ଡିରୁ କେତେ ଶୀଘ୍ର ଧାନ ଉଠୁଛି ? କିଭଳି ଧାନ କିଣା ହେଉଛି ? ତାହା ଦେଖିବାକୁ ବାକି ରହିଲା ।

