ଅକ୍ସିଜେନ୍ ଟ୍ୟାଙ୍କ ଲିକ୍ ପରେ ଅମ୍ଲଜାନ ଅଭାବ, ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି

1 min read
Nasik Zakir Hussain Hospital Oxygen Tank Leak Patients Death Toll Increased To 22

ନାସିକ: ମହାରାଷ୍ଟ୍ରରେ ଅକ୍ସିଜେନ୍ ଅଭାବ ଲାଗି ରହିଥିବା ବେଳେ ନାସିକ ସହରରେ ଥିବା ଜାକିର ହୁସେନ୍ ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କର ଲିକ୍ ହୋଇଛି । ଫଳରେ ଅକ୍ସିଜେନ୍ ଅଭାବ କାରଣରୁ ୨୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବରଣ କରିଥିବା ସମସ୍ତ ରୋଗୀ ଭେଣ୍ଟିଲେଟରରେ ଥିଲେ । ଏସମ୍ପର୍କରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି । ରାଜେଶ ଟୋପେଙ୍କ ଅନୁସାରେ ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କର ଲିକ୍ ହୋଇଯାଇଥିଲା । ଫଳରେ ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଅକ୍ସିଜେନ୍ ମିଳିନଥିଲା ।

ଅନ୍ୟପକ୍ଷରେ ରାଜ୍ୟ ଖାଦ୍ୟ ମନ୍ତ୍ରୀ ରାଜେନ୍ଦ୍ର ଶିଙ୍ଗଣେଙ୍କ ଅନୁସାରେ ଏବେ ୨୫ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି । ରିପୋର୍ଟ ଅନୁସାରେ ଟ୍ୟାଙ୍କରକୁ ଭରା ଯାଉଥିବା ବେଳେ ଲିକ୍ ହୋଇଥିଲା । ଫଳରେ ହସ୍ପିଟାଲ ପରିସରରେ ଅକ୍ସିଜେନ୍ ବ୍ୟାପି ଯାଇଥିଲା । ରିପୋର୍ଟ ଅନୁସାରେ ଦୁର୍ଘଟଣା ଘଟିବା ବେଳେ ଭେଣ୍ଟିଲେଟରରେ ୨୫ରୁ ଅଧିକ ରୋଗୀ ଥିଲେ । ମହାରାଷ୍ଟ୍ର ସରକାରଙ୍କ ଅନୁସାରେ ଏବେ ୬୦ ଜଣ ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି । ଘଟଣାର ତଦନ୍ତ ପାଇଁ ଆଦେଶ ଦିଆଯାଇଛି ।

ସ୍ଥାନୀୟ ପ୍ରଶାସନ ଅନୁସାରେ, ଲିକ୍ କାରଣରୁ ଅକ୍ସିଜେନ୍ ସପ୍ଲାଏ ପ୍ରାୟ ଅଧ ଘଣ୍ଟା ଧରି ବନ୍ଦ ହୋଇ ଯାଇଥିଲା । ଏବେ ପ୍ରଶାସନ ଲିକେଜ୍ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ସିଜେନ ଲିକ୍ ବେଳେ ହସ୍ପିଟାଲରେ ୧୭୧ ଜଣ ରୋଗୀ ଥିଲେ । ଦୁର୍ଘଟଣା ପରେ ରୋଗୀମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।

Leave a Reply