ଋଷ ଉପରେ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ନାଟୋ!

ମସ୍କୋ: ଭୟଙ୍କର ହେବାରେ ଲାଗିଛି ଯୁଦ୍ଧ । ୟୁକ୍ରେନର ବିଭିନ୍ନ ଷ୍ଟ୍ରାଟେଜିକ ବେସରେ ଋଷର ମିସାଇଲ ବର୍ଷା । ସେପଟେ ଘନେଇଲା ଆଣବିକ ଆକ୍ରମଣର ବିପଦ । ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଜାଁ ୟେଭିସ ଡ୍ରିଏନ କହିଛନ୍ତି, ଋଷ ଜାଣିରଖିବା ଆବଶ୍ୟକ ଯେ ନାଟୋ ରାଷ୍ଟ୍ରଗୋଷ୍ଠୀ ନିକଟରେ ଆଣବିକ ଅସ୍ତ୍ର ରହିଛି । ଏପରିକି ଋଷ ବିରୋଧରେ କୌଣସି ମୁହୂର୍ତ୍ତରେ ଆଣବିକ ଅସ୍ତ୍ର ପ୍ରୟୋଗ କରାଯାଇପାରେ ବୋଲି ସେ ଆଭାସ ଦେଇଛନ୍ତି । ତେଣେ ୟୁକ୍ରେନର ତିନି ପଟୁ ଷଣ୍ଢୁଆସୀ ଆକ୍ରମଣ କରୁଛନ୍ତି ଋଷ ସୈନ୍ୟ । ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ରାଜଧାନୀ କିଭକୁ ଅକ୍ତିଆର କରିବା ଲାଗି ଜୋରଦାର ଷ୍ଟ୍ରାଇକ ।

ଋଷ ଦାବି କରିଛି ଆକ୍ରମଣର ପ୍ରଥମ ଦିନରେ ହିଁ ଧ୍ୱଂସ ହୋଇଛି ୟୁକ୍ରେନର ୮୩ଟି ଘାଟି । ଏହା ସହ ୨୦୦ରୁ ଅଧିକ ଥର ବିଭିନ୍ନ କୌଶଳଗତ ସ୍ଥାନରେ କରାଯାଇଛି ହମଲା । ସୁଖୋଇ ଯୁଦ୍ଧବିମାନ ଜରିଆରେ ୟୁକ୍ରେନ ରାଜଧାନୀ କିଭ ଓ ଅନ୍ୟାନ୍ୟ ଅଞ୍ଚଳରେ ବୋମା ବର୍ଷଣ କରାଯାଉଛି ଏବଂ ଖୋଲା ହେଲିକପ୍ଟରରୁ ଗୁଳିମାଡ କରାଯାଉଥିବା ପରିଲକ୍ଷିତ ହୋଇଛି । କୃଷ୍ଣ ସାଗର ଓ ଆଜୋଭ ସମୁଦ୍ରକୁ ସମ୍ପୂର୍ଣ୍ଣ କବଜା କରିଛନ୍ତି ଋଷ ଓ ସହଯୋଗୀ ବେଲାଋଷ । ୟୁକ୍ରେନର ସମି, ଖରକିଭ, ଖେରସନ, ଓଡେଶାରେ ଜୋରଦାର ସଂଘର୍ଷ ଚାଲିଥିବାବେଳେ ବହୁ ଲୋକ ମୃତାହତ ହୋଇଥିବା ସୂଚନା ମିଳିଛି ।

ଋଷୀୟ ସୈନ୍ୟ ୟୁକ୍ରେନର ଚର୍ଣ୍ଣୋବିଲ ଆଣବିକ କାରଖାନାକୁ କବଜାକୁ ନେଇଛନ୍ତି । କିଭ୍ ଅଞ୍ଚଳର ହୋସ୍ତୋମେଲ ବିମାନ ବନ୍ଦରକୁ ବି ସିଜ୍ କରିଛନ୍ତି ଋଷ ସୈନ୍ୟ । ଋଷ ବିରୋଧରେ ଜୋରଦାର ଆକ୍ରମଣ କରିବା ଲାଗି ନିଜ ସୈନ୍ୟବାହିନୀ ଓ ପ୍ରତିରକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ନିଜ ଦେଶକୁ ରକ୍ଷା କରିବା ଲାଗି ଆଗେଇ ଆସିବା ଲାଗି ନାଗରିକଙ୍କୁ ସେ ଆହ୍ବାନ ଦେଇଛନ୍ତି । ଖାରକିଭରେ ୪ଟି ଋଷୀୟ ଟ୍ୟାଙ୍କକୁ ନଷ୍ଟ କରିଥିବା ସହ ଲୁହାନସ୍କରେ ୫୦ ସୈନ୍ୟ ପ୍ରାଣ ହରାଇଥିବା ଦାବି କରିଛନ୍ତି ୟୁକ୍ରେନ । ୟୁକ୍ରେନର ୨ଟି ବିମାନକୁ ଖସାଇ ଦେଇଥିବା ଦାବି କରିଛନ୍ତି ବିଦ୍ରୋହୀ । ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପୁଣି ଥରେ ଋଷକୁ ଚେତାବନୀ ଦେଇଛନ୍ତି । ୟୁକ୍ରେନ ଉପରେ ଆକ୍ରମଣର ଫଳାଫଳ ଭୟଙ୍କର ହେବ ବୋଲି ସେ ସୂଚନା ଦେଇଛନ୍ତି । ଆକ୍ରମଣ ବିରୋଧରେ ଋଷର ବିଭିନ୍ନ ସ୍ଥାନରେ ହୋଇଥିବା ବିକ୍ଷୋଭରେ ୧୭୦୦ରୁ ଅଧିକ ୟୁକ୍ରେନ ସପକ୍ଷବାଦୀଙ୍କୁ ଅଟକ ରଖିଛି ଋଷ ।

Leave a Reply