ନବୀନ ଘୋଷଣା କରିଥିଲେ ୫୭ଟି ନୂଆ ଏନଏସି: ବିଜେପି ସରକାରରେ ବଦଳିଗଲା ତାଲିକା

୫୭ଟି ନୂଆ ଏନଏସି ପାଇଁ ନାଁ ଘୋଷଣା କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାପାଳମାନଙ୍କଠାରୁ ରିପୋର୍ଟ ଅଣାଯାଇ ଏ ଦିଗରେ କାର୍ଯ୍ୟକ୍ରମ ବି ଆରମ୍ଭ ହୋଇଥିଲା । ହେଲେ ବିଜେପି ସରକାରକୁ ଆସିବା ପରେ ବଦଳିଗଲା ତାଲିକା । ଗତକାଲି ସ୍ବାୟତ୍ତ ଶାସନ ଦିବସରେ ୧୬ଟି ଏନଏସିର ଘୋଷଣା କରିଛନ୍ତି ସରକାର । ସେଥିରେ ବଡ଼ମ୍ବା ଓ ନରସିଂହପୁର ପରି ଏନଏସିର ପୁନଃ ଘୋଷଣା କରାଯାଇଛି । ସେପଟେ ନବୀନ ପଟ୍ଟନାୟକ ଘୋଷଣା କରିଥିବା ୧୬ ଜିଲ୍ଲାର ୩୯ ଏନଏସି ବି ବାଦ ପଡ଼ିଛନ୍ତି । ଏପରିକି କଣ୍ଟାବାଂଜିକୁ ପୌର ପରିଷଦକୁ ଉନ୍ନୀତ କରିବା ନେଇ ପୂର୍ବ ସରକାରଙ୍କ ଘୋଷଣାକୁ ଅଣଦେଖା କରିଛନ୍ତି ସରକାର । କେବେ ସୁଦ୍ଧା ବାଦ୍ ପଡ଼ିଥିବା ୩୯ଟି ଏନଏସିକୁ ମାନ୍ୟତା ଦିଆଯିବ, ସେ ନେଇ ବିଜେଡି ପ୍ରଶ୍ନ କରିଛି । ଦଳୀୟ ଭିତ୍ତିରେ ଏନଏସି କରାଯାଇଥିବା ବିଜେଡି ଅଭିଯୋଗ କରିଛି । ଲୋକଙ୍କ ସୁବିଧା ନ ଦେଖି ବିଜେପିକୁ ସୁହାଇବା ପରି କାମ କରିଛନ୍ତି ସରକାର । ଅବଶିଷ୍ଟ ୩୯ ଟି ଏନଏସି କାର୍ଯ୍ୟକ୍ଷମ ନ ହେଲେ, ବିଜେଡି ରାଜରାସ୍ତାକୁ ଓଲ୍ହାଇ ବିଜେପି ସରକାରର ଅସଲ ମୁଖା ଖୋଲି ଦେବ ବୋଲି ଚେତାବନୀ ଦେଇଛି । ତେବେ ଏବେଠାରୁ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ମୁଣ୍ଡ ଟେକିଲାଣି । ଖଇରା ଓ ଟାଙ୍ଗୀରେ ଜନତାଙ୍କ ପ୍ରତିବାଦ ଜାରି ରହିଛି ।

ସେପଟେ ନବୀନ ସରକାର ନିର୍ବାଚନକୁ ଦୃଷ୍ଟିରେ ରଖି ଏନଏସି ଘୋଷଣା କରିଥିଲେ ବୋଲି ନଗର ଉନ୍ନୟନ ମନ୍ତ୍ରୀ ଉତ୍ତର ଦେଇଛନ୍ତି । ପୂର୍ବ ସରକାର ଘୋଷଣା କରିଥିଲେ ହେଲେ କାହିଁକି କାମ ଆଗେଇ ନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ବିରୋଧରେ ବିଜେଡି ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ଉତ୍ତରକୁ ପଢିଛି । ଗତ ସରକାର ଏନଏସି ଘୋଷଣା କରିଥିଲେ ବୋଲି ସେଥିରେ ସେ ସ୍ବୀକାର କରିଥିଲେ । ଏ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । ତାପରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହି ଉକ୍ତି ପ୍ରମାଣ କରୁଛି ଯେ ବିଜେଡି ସରକାର ସମୟରେ ଏନଏସି ମାନ୍ୟତା ପାଇଁ ପଦକ୍ଷେପ ନିଆଯାଇଥିଲା । ନିଜ ଅଞ୍ଚଳରେ ଲୋକେ ଚାହୁଁଛନ୍ତି ସହରୀ ସୁବିଧା । ଯେଉଁଥିରେ ପୌରାଞ୍ଚଳ ମାନ୍ୟତାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହୁଛି । ହେଲେ ପୁରୁଣା ସରକାରଙ୍କ ଘୋଷଣା ପରେ ନୂଆ ସରକାର ଏହାକୁ ବାଦ ଦେବା ରାଜନୈତିକ ଦିଗ ଆଡ଼କୁ ସଙ୍କେତ ଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି ।