‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ଲୋକ କଳାକାର ମାନଙ୍କ ଜରିଆରେ ଚାଲିବ ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମ। ଲୋକମାନେ ପାଇବେ ବିକାଶର ବାର୍ତ୍ତା, ରୂପାନ୍ତରିତ ଓଡିଶାର ବାର୍ତ୍ତା। ଏହାଦ୍ବାରା ଜନସାଧାରଣ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସଂପର୍କରେ ଜାଣିବା ସହିତ ସରକାରଙ୍କ କାର୍ଯ୍ୟକ୍ରମରେ, ବିକାଶ କାର୍ଯ୍ୟକ୍ରମରେ ସହଭାଗୀ ହୋଇପାରିବେ।

ଏହି ଅଭିଯାନରେ ଏକ ମାସ ଧରି ରାଜ୍ୟର ୫୧ ହଜାର ୧୬୮ଟି ଗାଁରେ ଦୁଇ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ସାରା ରାଜ୍ୟରେ ୨୨ ହଜାର ଲୋକ କଳାକାର ଦଳ ପଞ୍ଜୀକୃତ ହୋଇଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଲୋକ କଳାକାର ମାନଙ୍କର ଖୁବ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଆମର ଲୋକ କଳାକାର ମାନେ ବହୁତ ଭଲ କାମ କରୁଛନ୍ତି। ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ବାର୍ତ୍ତା ଆପଣ ମାନେ ଲୋକଙ୍କୁ ଦେଉଛନ୍ତି। ଏହାଦ୍ଵାରା ଆମର ଲୋକକଳାର ଆଦର ବଢୁଛି ଏବଂ ଆମ କଳାକାରମାନେ ମଧ୍ୟ ରୋଜଗାର ପାଉଛନ୍ତି।

ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କୁ ଆପଣମାନେ ସଶକ୍ତ କରୁଛନ୍ତି ବୋଲି ମତ ଦେବା ସହିତ ସେ କହିଛନ୍ତି ଯେ ମୋ ସରକାର କଳା ଓ କଳାକାରଙ୍କ ଉନ୍ନତି ପାଇଁ ସଂକଳ୍ପବଦ୍ଧ।  ଆମ କଳା ଓ କଳାକାର ମାନଙ୍କର ବିକାଶ ପାଇଁ ରାଜ୍ୟ ସରକାର ୨୦୧୦ରୁ କଳାକାର ସଂଘ ଗଠନ ହୋଇଛି। ଏହି ଉପକ୍ରମ ପ୍ରଥମେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିଲା ଏବେ ଏହା ସବୁ ଜିଲ୍ଲା ଓ ସବୁ ବ୍ଲକରେ କାର୍ଯ୍ୟକାରୀ ହୋଇପାରିଛି।