ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇବାକୁ ନବୀନ ନିବାସ ଭିଡ଼

1 min read

ଭୁବନେଶ୍ବର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ୧୭ଟି ସଂଗଠନର କର୍ମକର୍ତ୍ତା । ନିର୍ମାଣ ଶ୍ରମିକ, ଆଶା କର୍ମୀ, ଠିକା କର୍ମଚାରୀ, ଆଦିବାସୀ ଛାତ୍ର ହଷ୍ଟେଲ ପରିଚାଳିକା ସଂଘ, ଓଡ଼ିଶା ଆଉଟ ସୋର୍ସିଂ କର୍ମଚାରୀ ମହାସଂଘ ଓ ଏନଏନସି ଘୋଷଣା ହୋଇଥିବା  ବିଭିନ୍ନ ଅଂଚଳର ଲୋକ ପ୍ରତିନିଧି ଓ ସମର୍ଥକମାନେ ନବୀନ ନିବାସ ଆସି ଜଣାଇଛନ୍ତି ଧନ୍ଯବାଦ ।

ନବୀନ ନିବାସରେ ଖୁସିର ଲହର । ବ୍ୟାନର ପ୍ରଦର୍ଶନ ସହ ଓ ସୋସ୍ଲାନ ଦେଇ ଖୁସିବ୍ଯକ୍ତ କରିଛନ୍ତି ବିଭିନ୍ନ ସଂଗଠନର କର୍ମକର୍ତ୍ତା । କର୍ମଚାରୀଙ୍କ ଦୁଃଖ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ନିର୍ମାଣ ଶ୍ରମିକଙ୍କ ମାସିକ ପେନସନ ୫୦୦ ଟଙ୍କାରୁ ୧୦୦୦ ଟଙ୍କା ବୃଦ୍ଧି ହୋଇଥିବାବେଳେ ୮୦ ବର୍ଷରୁ ଅଧିକ ଶ୍ରମିକଙ୍କ ମାସିକ ପେନସନ ୭୦୦ ଟଙ୍କାରୁ ୧୨ ଶହ ଟଙ୍କା ବୃଦ୍ଧି ହୋଇଛି । ଆଶା କର୍ମୀଙ୍କ ମାସିକ ପାରିଶ୍ରମିକ ୪ ହଜାର ୫୦୦ରୁ ୭୦୦୦ ଓ ଅବସରକାଳୀନ ପ୍ରୋତ୍ସାହନ ରାଶି ୫୦ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି । ସମସ୍ତଙ୍କ ମୁହଁରେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କ ପ୍ରଶଂସା । ମାଆ ଓ ଶିଶୁଙ୍କ ଯତ୍ନ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଆଶାକର୍ମୀଙ୍କୁ ଉଚିତ ପ୍ରାପ୍ୟ ମିଳିଥିବାରୁ ସଂଘ ପକ୍ଷରୁ 5T ଅଧ୍ୟକ୍ଷଙ୍କୁ ଦିଆଯାଇଛି ଧନ୍ଯବାଦ ।

ସେପଟେ ଆଉଟ ସୋର୍ସିଂ କର୍ମଚାରୀଙ୍କ ପାରିଶ୍ରମିକ ୨୫ ପ୍ରତିଶତ ବଢ଼ିଥିବାରୁ ସେମାନେ ବି ଜଣାଇଛନ୍ତି କୃତଜ୍ଞତା । ତେଣେ ପରଜଙ୍ଗ ଏନଏସି ଗଠନ ହେବା ପରେ ବିଜେଡ଼ି ବିଧାୟକ ନୃସିଂହ ସାହୁଙ୍କ ନେତୃତ୍ବରେ ଶତାଧିକ ପରଜଙ୍ଗବାସୀ ଛୁଟି ଆସିଛନ୍ତି ନବୀନ ନିବାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ସହ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଭେଟି ଜଣାଇଛନ୍ତି କୃତଜ୍ଞତା ।