ଆସନ୍ତାକାଲି କେନ୍ଦୁଝର ଜିଲ୍ଲାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ରବିବାର କେନ୍ଦୁଝର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳିକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ୧୦ଟା୧୫ ମିନିଟରେ ପ୍ରଥମେ ସଦର ନିର୍ବାଚନମଣ୍ଡଳିର ସିଲିସୁଆଁ ଫୁଟବଲ ପଡ଼ିଆରେ ବିମାନ ଯୋଗେ ଅବତରଣ କରି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବେ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଠାରେ ୪୦ ହଜାର ଲୋକଙ୍କର ବସିବା ପାଇଁ ଆୟୋଜନ କରାଯାଇଥିବା ବେଳେ, ୫ଟି ନିର୍ବାଚନମଣ୍ଡଳିର ବିଜେଡ଼ି ବିଧାୟକ ପ୍ରାର୍ଥୀ ତଥା ସାଂସଦ ପ୍ରାର୍ଥୀ ଉପସ୍ଥିତ ରହିବେ । ଏହାପରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ନିର୍ବାଚନମଣ୍ଡଳିର ହାଟଡିହି ନିକଟ ଅଣା ଫୁଟବଲ୍ ପଡିଆରେ ୧୧ଟା ୧୫ ମିନିଟରେ ପହଞ୍ଚି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କର ଗସ୍ତ କାର୍ଯ୍ୟକ୍ରମ ପାଇଁ ପୋଲିସ୍‌ ତରଫରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।