ବିଜୁବାବୁଙ୍କ କର୍ମଭୂମି ପ୍ରତି ମୁଖ୍ଯମନ୍ତ୍ରୀଙ୍କ ସ୍ବତନ୍ତ୍ର ଫୋକସ

ନନ୍ଦିଘୋଷ ବ୍ୟୁରୋ: ଗତଥର ଭଳି ଏଥର ମଧ୍ୟ କେନ୍ଦ୍ରାପଡ଼ା ଲୋକସଭା ଆସନ ଚର୍ଚ୍ଚାରେ ରହିଛି। କାରଣ ବିଜେପିର ବୈଜୟନ୍ତ ଜୟ ପଣ୍ଡା କେନ୍ଦ୍ରାପଡ଼ାରୁ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କୁ ଟକ୍କର ଦେବା ପାଇଁ ବିଜେଡି ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ଉଭୟ ନେତା ନିଜ ନିଜ ସମର୍ଥକଙ୍କୁ ନେଇ ପ୍ରଚାର ଆରମ୍ଭ କରିଛନ୍ତି। ସେପଟେ କଂଗ୍ରେସ ଲୋକସଭା ପ୍ରାର୍ଥୀ ଭାବେ ଯୁବ ଚେହରା ସଦ୍ଧାର୍ଥ ସ୍ବରୂପ ଦାସଙ୍କୁ ଟିକେଟ ଦେଇଛି। ସିଦ୍ଧାର୍ଥ କେନ୍ଦ୍ରାପଡ଼ା ଲୋକ ସଭା ପାଇଁ ନୂଆ ଚେହେରା | ତିନି ପ୍ରମୁଖ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ।

କେନ୍ଦ୍ରାପଡ଼ା ହେଉଛି ବିଜେଡିର ଗଡ଼। ବିଜୁ ବାବୁଙ୍କର କର୍ମଭୂମି ସେଥିପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା କେନ୍ଦ୍ରାପଡ଼ା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆସୁଛନ୍ତି । ଗତଥର କେନ୍ଦ୍ରାପଡାରେ ଅନୁଭବ ମହାନ୍ତି ବିଜେଡିରୁ ବାଜିମାତ କରିଥିଲେ। ଅନୁଭବ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀଙ୍କୁ ୧ଲକ୍ଷ ୮୧ହଜାର ୪୮୩ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ଅନୁଭବ ମହାନ୍ତି ୬ଲକ୍ଷ ୨୮ ହଜାର ୯୩୯ ଖଣ୍ଡ ଭୋଟ ପାଇଥିବା ବେଳେ ବୈଜୟନ୍ତ ପଣ୍ଡା ୪ ଲକ୍ଷ ୪୭ହଜାର ୪୫୬ଖଣ୍ଡ ଭୋଟ ପାଇଥିଲେ। ସେହିପରି କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ୧ ଲକ୍ଷ ୧୩ ହଜାର ୮୪୧ ଖଣ୍ଡ ଭୋଟ ପାଇଥିଲେ।

ରାଜନୀତି ସମୀକ୍ଷକଙ୍କ ମତରେ ୨୦୧୯ରେ ପାଟକୁରାରୁ ବିଜୟ ମହାପାତ୍ର ପ୍ରାଥୀ ହୋଇଥିଲେ ଯାହା ଫଳରେ ବିଜୟଙ୍କ ଭୋଟ ବୈଜୟନ୍ତ ପଣ୍ଡାଙ୍କ ପାଖକୁ ଯାଇଥିଲା କିନ୍ତୁ ଏବେ ସ୍ଥିତି ବଦଳିଛି। ବିଜୟ ମହାପାତ୍ର ଙ୍କ ପୁଅ ଅରବିନ୍ଦ ବିଜେଡିରୁ ପ୍ରାଥୀ ହୋଇଥିବାରୁ ଅଂଶୁମାନ ମହାନ୍ତିଙ୍କ ପାଖକୁ ଅଧିକ ଭୋଟ ଯିବାର ସମ୍ଭାବନା ରହିଛି,ହେଲେ ମତଦାନ ଏକପାଖିଆ ନହୋଇ ପ୍ରତିଦ୍ବନ୍ଦୀତା କଡ୍ଡା ଟକ୍କର ହେବ ବୋଲି  ମତ ଦେଇଛନ୍ତି ଭୋଟର ତଥା ରାଜନୈତିକ ସମୀକ୍ଷକ ମାନେ।

କେନ୍ଦ୍ରାପଡ଼ାର ନିର୍ବାଚନ ରାଜନୀତି ସବୁବେଳେ ଚର୍ଚ୍ଚାରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚାରେ କେନ୍ଦ୍ରାପଡ଼ା ଲୋକସଭା ଆସନ। ଅଂଶୁମାନ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନଳିନୀ ମହାନ୍ତିଙ୍କ ପୁତ୍ର। ଫଳରେ ଅଂଶୁମାନଙ୍କ କେବଳ ରାଜନଗର ନୁହେଁ ପୁରା କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳିରେ ରହିଛି ପତିଆରା। ପୂର୍ବରୁ ବାପା ନଳିନୀ ମହାନ୍ତିଙ୍କ ବିଜୁବାବୁଙ୍କ ସହ ଘନିଷ୍ଠତା ଥିଲା। ତେଣୁ କେନ୍ଦ୍ରାପଡ଼ାରେ ଅଣ କଂଗ୍ରେସ ଭୋଟ ର ଗୁରୁତ୍ବ ସବୁବେଳେ ରହି ଆସିଛି ।

ସେହିଭଳି ବୈଜୟନ୍ତ ପଣ୍ଡା ବିଜୁ ଜନତା ଦଳରେ ଥିବା ସମୟରେ କେନ୍ଦ୍ରାପଡ଼ାର ଦୁଇ ଦୁଇଥର ସାଂସଦ ଥିଲେ କିନ୍ତୁ ସେ ବିଜେଡି ଛାଡି ବିଜେପି କୁ ଗଲାପରେ ୨୦୧୯ନିର୍ବାଚନରେ ଲୋକଙ୍କ ଅସ୍ଥା ହରାଇଥିଲେ। ବୈଜୟନ୍ତ ପଣ୍ଡା ବିଜେପି ରୁ ଟିକେଟ ପାଇବା ପରେ ଏବେ କେନ୍ଦ୍ରାପଡ଼ାରେ ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛନ୍ତି। ସେହିଭଳି କଂଗ୍ରେସ ନୂଆ ଚେହେରା ଦେଇଛି। କଂଗ୍ରସ ଲୋକସଭା ପ୍ରାର୍ଥୀ ସିଦ୍ଧାର୍ଥ ଦାସ ଛାତ୍ର ଜୀବନରୁ ରାଜନୀତି ସହ ଜଡିତ ରହିଛନ୍ତି। ଏହା ସହ ସେ ସମାଜସେବା କ୍ଷେତ୍ରରେ ମଧ୍ୟ ଜଡିତ। ତେବେ କେନ୍ଦ୍ରାପଡ଼ା ବିଜେଡିର ଗଡ଼ କୁହାଯାଉଥିବା ବେଳେ ଏଥର ପ୍ରତିଦ୍ବନ୍ଦୀଙ୍କୁ ହାଲକାରେ ନେବା ମହଙ୍ଗା ସାବ୍ୟସ୍ତ ହୋଇପାରେ ।

ନିର୍ବାଚନରେ ପ୍ରାର୍ଥୀଙ୍କ ଅପେକ୍ଷା ବିକାଶ ସବୁବେଳେ ଭୋଟରଙ୍କ ପ୍ରଥମ ପସନ୍ଦ ହୋଇରହିଛି। ରୁପାନ୍ତର ପକ୍ରିୟାରେ କେନ୍ଦ୍ରାପଡା ସାମିଲ ହେବାପରେ ଏଠାରେ ଦଳୀୟ ପ୍ରାର୍ଥୀଙ୍କ ଭାଷଣ ଅପେକ୍ଷା ବିକାଶ ହିଁ ମୁଖ୍ୟ ମୁଦ୍ଦା ହେବ ବୋଲି ଭୋଟରଙ୍କ ମତ ।