ବିଜୁ ବାବୁଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ, ନବୀନ ବଖାଣିଲେ ସ୍ମୃତି…

ଭୁବନେଶ୍ୱର: ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଯୋଗଦେଇ କହିଛନ୍ତି ଯେ ଆଜି ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ । ଏହି ଅବସରରେ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ବିଜୁବାବୁଙ୍କ ଜୀବନୀ ହେଉଛି ଆଧୁନିକ ଓଡ଼ିଶାର ବିକାଶର ଇତିହାସ । କୃଷିରୁ ଶିଳ୍ପ, ଶିକ୍ଷାରୁ ସଶକ୍ତିକରଣ ସବୁକ୍ଷେତ୍ରରେ ତାଙ୍କର ବିପୁଳ ଅବଦାନ ରହିଛି । ସେ ଥିଲେ ତାଙ୍କ ସମୟଠାରୁ ବହୁତ ଆଗରେ । ଶିଳ୍ପ ବିକାଶ ହେଉ ବା ଭିତ୍ତିଭୂମି, ଗରିବ ଲୋକଙ୍କ କଲ୍ୟାଣ ହେଉ ବା ମା’ମାନଙ୍କ ସଶକ୍ତିକରଣ ସବୁକ୍ଷେତ୍ରରେ ସେ ଜଣେ ଦୂରଦ୍ରଷ୍ଟା ପରି କାମ କରିଯାଇଛନ୍ତି ।

ଗରିବ ଲୋକଙ୍କ ସଶକ୍ତିକରଣ ତଥା ମା’ମାନଙ୍କ ସଶକ୍ତିକରଣ ତାଙ୍କର କାର୍ଯ୍ୟକ୍ରମ ସଶକ୍ତ ଓଡ଼ିଶାର ଲକ୍ଷ୍ୟକୁ ସୁଦୃଢ଼ କରିଛି । ଜଣେ ଓଡ଼ିଆ ଭାବରେ ସେ ଗର୍ବ କରୁଥିଲେ । ଆଜି ତାଙ୍କରି ପାଇଁ ଓଡ଼ିଆ ଜାତି ଗର୍ବିତ । ସାହସ ଓ ସ୍ୱାଭିମାନ ଥିଲା ତାଙ୍କର ପରିଚୟ । ସେବା ଓ ସଂଗ୍ରାମ ଥିଲା ତାଙ୍କ ଜୀବନର ବ୍ରତ । ଓଡ଼ିଶା ପାଇଁ, ଓଡ଼ିଆ ଜାତିର
ଉନ୍ନତି ପାଇଁ ଓ ଓଡ଼ିଆ ଜାତିର ଗୌରବ ପାଇଁ ସେ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥିଲେ । ଜଣେ ରାଜନେତା ନୁହେଁ ପରିବାରର ମୁରବୀ ପରି ଓଡ଼ିଶାବାସୀଙ୍କ ପାଇଁ ବିଜୁବାବୁ କାମ କରୁଥିଲେ । ରାଜନୀତିରେ ହାରଜିତ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନଥିଲା । ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ସେଥିପାଇଁ ସେ ସବୁବେଳେ ଓଡ଼ିଶାବାସୀଙ୍କ ହୃଦୟରେ ରହିଛନ୍ତି ଓ ରହିଥିବେ ।

ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଆଜି ଜୟଦେବ ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ  ପ୍ରଦିପ କୁମାର ଅମାତ କହିଲେ ଯେ ପ୍ରବାଦପୁରୁଷ ବିଜୁବାବୁ ଥିଲେ ଓଡ଼ିଶାର ସ୍ୱାଭିମାନ, ସ୍ପର୍ଦ୍ଧା ଓ ସମୃଦ୍ଧିର ପ୍ରତୀକ । ଓଡ଼ିଶା ବାହାରେ ଓଡ଼ିଶାର ଅନନ୍ୟ ପରିଚୟ । ପାରାଦୀପ ବନ୍ଦର, ମହିଳା ସଶକ୍ତିକରଣ, ଅନେକ ବିଶ୍ୱବିଦ୍ୟଳୟ ସ୍ଥାପନ, ୧୩ରୁ ୩୦ ଜିଲ୍ଲା ସଂଖ୍ୟା ବୃଦ୍ଧି, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଆଜି ଅନେକ ଅବଦାନ ମଧ୍ୟରୁ କେତେକ ଉଦାହରଣ ମାତ୍ର । ଆଧୁନିକ ଓଡ଼ିଶା ଗଠନରେ ତାଙ୍କର ଭୂମିକା ଅଗ୍ରଗଣ୍ୟ ବୋଲି ମନ୍ତ୍ରୀ
ଅମାତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ ଯେ ବିଜୁବାବୁ ଥିଲେ ସାହସିକତା ଓ ସ୍ୱାଭିମାନର ଏକ ସ୍ପର୍ଦ୍ଧିତ ଉଚ୍ଚାରଣ ।

ସେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ଯେଉଁ ନକ୍ସା ଆଙ୍କିଥିଲେ, ତାକୁ ଆମେ ସମୟର ଆବଶ୍ୟକତା ଭିତ୍ତିରେ ଅନୁସରଣ କରୁଛୁ । ଗରିବି ହଟାଓ ଅଭିଯାନ କ୍ଷେତ୍ରରେ ବିଜୁବାବୁ ସର୍ବଦା ସ୍ମରଣୀୟ ରହିବେ । ଦୀର୍ଘ ୩୦ ବର୍ଷ ଧରି ବିରୋଧୀ ରାଜନୀତିରେ ରହି ସେ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ବଳିଷ୍ଠ ଭୂମିକା ନିର୍ବାହ କରିଥିଲେ ।ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁୟ୍ୟୁ ସଂପାଦିକା କସ୍ତୁରୀ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜୁବାବୁଙ୍କ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ, କୃତି ଓ କୀର୍ତ୍ତି ଉପରେ ଆଲୋକପାତ କରିଥିଲେ । ମହିଳା ସମବାୟ ବିକାଶ ନିଗମ ଓ ମହିଳା କମିଶନ ଗଠନ କରି ନାରୀ ସଶକ୍ତିକରଣ କ୍ଷେତ୍ରରେ ସେ ଯେଉଁ ଯୋଗଦାନ ଦେଇଯାଇଛନ୍ତି ତାହା ରାଜ୍ୟ ତଥା ଦେଶର ରାଜନୀତିରେ ବିରଳ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ ।