୧୯୯୯ ମହାବାତ୍ୟା । ତା ପଛକୁ ପଛକୁ ଆସିଲାଣି ଅନେକ ବାତ୍ୟା । ଓଡ଼ିଶା କିନ୍ତୁ ସାହସର ସହିତ କରିଛି ମୁକାବିଲା । ତା ପଛରେ ରହିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଫଳ ମୁକାବିଲା ଫର୍ମୁଲା । ୨୪ ବର୍ଷ ଧରି ବିପର୍ଯ୍ୟୟ ମୁକାବିଲା ପାଇଁ ନବୀନ ଓଡିଶାବାସୀଙ୍କ ମନରେ ଭୟ ଦୂର କରି ସାହସ ଜୁଟାଇ ପାରିଛନ୍ତି । ମିଶନ ମୋଡରେ ବିପର୍ଯ୍ୟୟର ସଫଳ ବିନ୍ଧାଣୀ ସାଜିଥିଲେ ନବୀନ । ତେଣୁ ଏବେ ନବୀନଙ୍କ ମଡେଲକୁ ଅନୁକରଣ କରୁଛି । ନବୀନଙ୍କୁ ସେଥିଲାଗି ଜାତିସଂଘରେ ମଧ୍ୟ ପ୍ରଶଂସା ମିଳିଥିଲା । ଜିରୋ କାଜୁଆଲଟି ସହ ଧନ ସମ୍ପତ୍ତି ରକ୍ଷା କରିବା ନବୀନଙ୍କ ବାତ୍ୟା ମୁକାବିଲାର ମୁଳମନ୍ତ୍ର ଥିଲା । ଓଡିଶାର ଶାସନ ମଙ୍ଗ ଧରିବା ପରେ ନବୀନ ୨୦୦୦ ମସିହାରେ ବାତ୍ୟା ମୁକାବିଲା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଥିଲେ । ସେହିଦିନ ଠାରୁ ଓଡିଶା ଆଉ ପଛକୁ ଚାହିଁନାହିଁ । ଏହାରି ଭିତରେ ଫନି, ହୁଡହୁଡ, ତିତିଲି, ଦାନା, ୟାସ ପରି ବହୁ ବାତ୍ଯା ଲଗାତର ସାମ୍ନା କରିଛି ଓଡିଶା । ଯାହାକୁ ସଫଳତାର ସହ ମଧ୍ୟ ଓଡିଶା ମୁକାବିଲା କରିଛି । ଏବେ ବାତ୍ୟା ମୋନ୍ଥା ଆସୁଛି । ତେଣୁ ସ୍ବତଃ ସଭିଁଙ୍କର ନବୀନଙ୍କ ମୁକାବିଲା ଫର୍ମୁଲା ମନେପଡିଯାଇଛି । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡା କହିଛନ୍ତି, ଓଡିଶା ମହାବାତ୍ୟାରେ ୧୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୂ ହୋଇଥିଲା । ବହୁ ଧନ ଜୀବନ କ୍ଷୟକ୍ଷତି ହୋଇଥିଲା । ତାପରେ ନବୀନ ପଟ୍ଟନାୟକ ବିପର୍ଯ୍ୟୟ ମୁକାବିଲା ପାଇଁ ଯେଉଁ ଦୀର୍ଘମିଆଦୀ ଯୋଜନା କରିଥିଲେ ତାହା ସୁଫଳ ଆଜି ଓଡିଶା ପାଉଛି ।
ବାତ୍ୟାକୁ ଅତି ନିକଟରୁ ଦେଖିଛନ୍ତି ନବୀନ । ପ୍ରତ୍ୟେକ ବାତ୍ୟାରେ ଓଡିଶାବାସୀଙ୍କ ଜୀବନ ରକ୍ଷା ଉପରେ ଗୁରୁତ୍ବ ଦେଇ ମିଶନ ମୋଡରେ କାମ କରନ୍ତି । ବାତ୍ୟା ପାଇଁ ଆଗୁଆ ସଜାଗ ରହିବା ସହ ବାତ୍ୟା ଆଶ୍ରୟସ୍ଥଳୀ , ଭିତ୍ତିଭୂମି ଓ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ବିପର୍ଯ୍ୟୟର ସଫଳ ମୁକାବିଲା କରିଥିଲେ ନବୀନ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ୧୯୯୯ ମହାବାତ୍ୟା ପରେ ଓଡିଶା ଅନେକ କିଛି ଶିକ୍ଷା ପାଇଛି । ପ୍ରତିବର୍ଷ ଓଡିଶା ବାତ୍ୟାକୁ ସଫଳତାର ସହ ମୁକାବିଲା କରିଛି । ତେଣୁ ଆଜି ବି ସେ ଧାରା ଜାରି ରହିଛି । ମୋନ୍ଥା ବାତ୍ୟା ମଧ୍ୟ ଆନ୍ଧ୍ର ଓ ଓଡିଶା ମୁହାଁ ହୋଇଛି । ଆଉ ଠିକ ଏମିତି ବେଳେ ମନେ ପଡିଛି ନବୀନଙ୍କ ବିପର୍ଯ୍ୟୟ ମୁକାବିଲାର ସଫଳ ଫର୍ମୁଲା ।

