ଡବଲ ଇଞ୍ଜିନ ଶାସନରେ ଓଡ଼ିଶା ସବୁଠି ହତାଶ: ନବୀନ
ନନ୍ଦିଘୋଷ ବ୍ୟୁରୋ: ୨୦୨୪ ଯାଏଁ ଥିଲା ଓଡ଼ିଶା ବିକାଶର ସୁବର୍ଣ୍ଣ ଯୁଗ । ଏହା ପରଠାରୁ ରାଜ୍ୟରେ ଡବଲ ଇଞ୍ଜିନ ଶାସନରେ ଓଡ଼ିଶା ସବୁଠି ହତାଶ । ବଡ଼ କଥା ହେଲା ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଧ୍ବସ୍ତ ହୋଇଯାଇଛି ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସରେ ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କୁ ଏପରି କଟାକ୍ଷ କରିଛନ୍ତି ନବୀନ ।
ସେ କହିଛନ୍ତି, ମାଆମାନଙ୍କ ଉପରେ ଅତ୍ୟାଚାର ବଢି ଚାଲିଛି । ମାଆମାନେ ସବୁଠି ଆଜି ହଇରାଣ ହେଉଛନ୍ତି । ନାବାଳିକା ଦୁଷ୍କର୍ମ ହେଉଛି । ଚାଷୀ ସାର ପାଉନି । ମଣ୍ଡି ଖୋଲୁନି । ଯୁବପିଢି ଆଜି ହତାଶ । ବିଜେପି ସରକାରରେ ବାରମ୍ବାର ପ୍ରଶ୍ନପତ୍ର ଲିକ ହେଉଛି । ଓଡି଼ଶାରେ ସରକାର ନଥିଲା ଭଳି ଅନୁଭବ ହେଉଛି ।
ବିଜେଡି ୧୯୯୯ ପରଠାରୁ ରାଜ୍ୟବାସୀଙ୍କ ସେବା କରିଆସୁଛି । ସେବା ବିଜେଡିର ପରିଚୟ ଥିଲା ଓ ରହିବ । ବିକାଶର ଶିଖରରେ ପହଞ୍ଚି ଓଡ଼ିଶା ନୂଆ ପରିଚୟ ସୃଷ୍ଟି କରିଥିଲା । ମାଆମାନଙ୍କୁ ରୋଜଗାର ଦିଆଯାଇଥିଲା । BSKY ପରି ମାଗଣା ସ୍ୱାସ୍ଥ୍ୟ ସେବା ଦେଇଥିଲା ବିଜେଡି । ରାଜ୍ୟର ଅର୍ଥନୀତିକୁ ମଜଭୁତ କରିଥିଲା ବିଜେଡି । ଏବେ କିନ୍ତୁ ଲୋକ ହତାଶ । ନିର୍ବାଚନରେ ହାର ଜିତ ଲାଗି ରହିଛି । ବିଜେଡି ଶାସନରେ ନଥାଇ ସୁଦ୍ଧା ଲୋକଙ୍କ ସ୍ବର ହୋଇ ରହିଛି । ବିଜେଡି ଜଣେ ଦୁଇ ଜଣରେ ପରିଚାଳିତ ନୁହେଁ, ଏହା ଲୋକଙ୍କ ଦଳ । ଦଳୀୟ ଭିତ୍ତିରେ ବିଜେଡି ପରିଚାଳିତ ହେଉଛି । କିଛି ଲୋକ ଦଳ ବିଷୟରେ ଅପପ୍ରଚାର କରୁଛନ୍ତି । ଏହା ଲୋକଙ୍କ ଆନ୍ଦୋଳନରୁ ଜନ୍ମ ହୋଇଛି । ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନକୁ ନେଇ ବିଜେଡି ଗଠନ ହୋଇଛି । ବିଜେଡି ରହିଛି ଓ ଆଗାମୀ ଶହେ ବର୍ଷ ଯାଏଁ ଓଡ଼ିଶାର ସ୍ୱର ହୋଇ ରହିବ ବୋଲି ନବୀନ କହିଛନ୍ତି ।
ଯୁବଶକ୍ତି ଆମର ସବୁଠୁ ବଡ଼ ଆସେଟ । ଅଧିକ ଆକ୍ଟିଭ ହୋଇ କାମ କରିବାକୁ ମୁଁ ତାଙ୍କୁ ନିବେଦନ କରୁଛି । ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ହୋଇ ପ୍ରଭାବଶାଳୀ କାମ କରିବାକୁ କର୍ମୀଙ୍କୁ ଆହ୍ୱାନ ଦେବା ସହ ରାଜନୀତିରେ ଧୈର୍ଯ୍ୟ ବହୁତ ଗୁରୁତ୍ୱପୂର୍ଣ ବୋଲି ମତ ଦେଇଥିଲେ । ଦଳର ଲକ୍ଷ ଲକ୍ଷ କର୍ମୀ ଭାଇ ଭଉଣୀମାନଙ୍କ କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ଉପରେ ତାଙ୍କର ଗଭୀର ବିଶ୍ୱାସ ରହିଛି । ତେଣୁ ବର୍ତ୍ତମାନର ଆହ୍ୱାନକୁ ଭବିଷ୍ୟତ ପାଇଁ ସୁଯୋଗରେ ରୂପାନ୍ତରିତ କରି ଏକ ସଶକ୍ତ ଓଡିଶା ଗଠନ ଦିଗରେ ବ୍ରତୀ ହେବାକୁ ନବୀନ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

