PUCCକୁ ପାଇଁ ବାରମ୍ବାର ତାରିଖ ବଦଳାଯାଇ ଲୋକଙ୍କୁ ହଇରାଣ କରାଯିବାକୁ ନେଇ ଚିନ୍ତା ପ୍ରକଟ କଲେ ନବୀନ
ନନ୍ଦିଘୋଷ ବ୍ୟୁରୋ: PUCC ପାଇଁ ବାରମ୍ବାର ତାରିଖ ବଦଳା ପ୍ରସଙ୍ଗ । ଲୋକଙ୍କ ହଇରାଣ ଓ ହରକତକୁ ଦେଖି ଚିନ୍ତା ପ୍ରକଟ କଲେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେ କହିଛନ୍ତି, ରାଜ୍ୟ ସରକାରଙ୍କ ଦ୍ବାରା ଚାଲିଥିବା PUCC ପ୍ରକ୍ରିୟାରେ ଘୋର ଅବ୍ୟବସ୍ଥା ଦେଖାଦେଇଛି । ଏନେଇ ବାରମ୍ବାର ମତ ବଦଳାଉଛନ୍ତି ରାଜ୍ୟ ସରକାର । ଫଳରେ ରାଜ୍ୟରେ ଏକ କଠିନ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ନୀତି ଯୋଗୁଁ ଲୋକେ ହଇରାଣ ହେଉଛନ୍ତି ।
ଆଗକୁ ସେ କହିଛନ୍ତି, ଜାନୁଆରୀ ପହିଲାରେ ରାଜ୍ୟ ସରକାରଙ୍କ ନୋ ପିୟୁସିସି ନୋ ଫୁଏଲ ଘୋଷଣା ଗାଡ଼ି ଚାଳକଙ୍କୁ ହରଡ଼ଘଣାରେ ପକାଇଛି । ରାଜ୍ୟ ସାରା ଟେଷ୍ଟିଂ ସେଣ୍ଟର ଆଗରେ ଲୋକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା । ଆଗୁଆ ପ୍ରସ୍ତୁତି ନକରି, ଭିତ୍ତିଭୂମି ନ ଯୋଗାଇ ଏପରି ଏକ ନିଷ୍ପତ୍ତି ନେବା ଫେଲ୍ ସାବ୍ୟସ୍ତ ହୋଇଛି । ଲୋକଙ୍କ ଅସନ୍ତୋଷ ଦେଖି ରାଜ୍ୟ ସରକାର ବାଧ୍ୟ ହୋଇ ବାରମ୍ବାର ୟୁଟର୍ଣ୍ଣ ନେଇଛନ୍ତି । ଏହାକୁ ପ୍ରଥମେ ଫେବୃଆରୀ ପହିଲା ଯାଏଁ, ପରେ ମାର୍ଚ୍ଚ ୩୧ ଯାଏଁ ଏବଂ ଶେଷରେ ଏପ୍ରିଲ ପହିଲା ଯାଏଁ ଘୁଞ୍ଚାଇ ଚାଲିଛନ୍ତି । ଏହା ଭିତରେ ଟୋଲଗେଟ ଫାଇନ ଅବଧି ବି ଘୁଞ୍ଚାଇ ଚାଲିଛନ୍ତି । ଏହା ପରିବହନ ବିଭାଗର ଅପାରଗତାକୁ ପଦାରେ ପକାଇଛି ।
ରାଜ୍ୟବାସୀ ହଇରାଣ ନହେବା ଲାଗି ଏକ ସୁପ୍ରଶାସନ ଓ ସରକାରୀ ନୀତି ପ୍ରଣୟନ ହେବା ଜରୁରୀ ବୋଲି କହିଛନ୍ତି ନବୀନ । ଯଦିଓ ଯାନବାହାନ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଗୁରୁତ୍ବପୂର୍ଣ୍ଣ କିନ୍ତୁ ଏହା ଜନସାଧାରଣଙ୍କୁ ଅସୁବିଧାରେ ପକାଇ କାର୍ଯ୍ୟ କରାଯାଇ ନପାରେ । ସରକାରଙ୍କ ଏପରି ଅବ୍ୟବସ୍ଥାବେଳେ ବିଜେଡି ଲୋକଙ୍କ ସହ ଦୃଢ ଭାବେ ଠିଆ ହୋଇଛି । ସେଥିଲାଗି ପିୟୁସି ଟେଷ୍ଟିଂ ସୁବିଧା ବୃଦ୍ଧି କରାଯାଉ । ଏହାସହ ପ୍ରକ୍ରିୟାକୁ ସରଳୀକରଣ କରିବା ସହ ଅନଧୀକୃତ ଫାଇନ କିପରି ନପଡିବ ସେଥିପ୍ରତି ଦୃଷ୍ଟି ଦିଆଯାଉ । ନିଜ ତ୍ରୁଟିରୁ ଶିକ୍ଷା ଲାଭ କରି ରାଜ୍ୟବାସୀଙ୍କ ଲାଗି କଲ୍ଯାଣକରୀ ନିଷ୍ପତ୍ତି ନେବାକୁ ସରକାରଙ୍କ ନିକଟରେ ବିଜେଡି ସୁପ୍ରିମୋ ଦାବି କରିଛନ୍ତି ।

