ବିଜେଡିର ହେବ ନବକଳେବର: ନବମ ଥର ନବୀନ ହେବେ ସଭାପତି, ନୂଆ ରୂପ ନେବ ଦଳୀୟ ସଙ୍ଗଠନ

ଭୁବନେଶ୍ବର: ସର୍ବସମ୍ମତି କ୍ରମେ ନିର୍ଦ୍ବଦ୍ବରେ ନବମ ଥର ଲାଗି ବିଜେଡିର ସଭାପତି ହେବେ ନବୀନ ପଟ୍ଟନାୟକ । ବିଧିବଦ୍ଧ ଘୋଷଣା ପରେ ବିଜେଡିର ନବକଳେବର କରିବେ ନବୀନ । ରାଜ୍ୟ କାର୍ଯ୍ୟକାରିଣୀ ସହ ବିଜେଡି ସାଙ୍ଗଠନିକ ଢାଞ୍ଚାରେ ନବୀନ କି ପରିବର୍ତ୍ତନ ଆଣିବେ ତାକୁ ନେଇ ଜାରି ରହିଛି ସସପେନ୍ସ । ଦଳର ବରିଷ୍ଠ ନେତାଙ୍କ ଯୁକ୍ତି ହେଉଛି, ନବୀନଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବା ପାଇଁ ଓଡ଼ିଶାବାସୀ ଚାହୁଁଛନ୍ତି । ତେଣୁ ପଦ ପଦବୀ ନୁହେଁ, ବିଜେଡିର ସମସ୍ତ ନେତା ଓ କର୍ମୀ ଏକ ହୋଇ ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ସଂକଳ୍ପ ନେବେ । ଏହାସହ ଆସନ୍ତାକାଲି ବସିବ ବିଜେଡିର ରାଜ୍ୟ ପରିଷଦ ବୈଠକ ।

ଆସନ୍ତାକାଲି ନବମ ଥର ପାଇଁ ବିଜେଡିର ସଭାପତି ହେବେ ନବୀନ ପଟ୍ଟନାୟକ । ସଭାପତି ଲାଗି ଏକମାତ୍ର ପ୍ରାର୍ଥୀ ଭାବେ ନବୀନ ନାମାଙ୍କନ ଭରିବା ପରେ ସର୍ବସମ୍ମତି କ୍ରମେ ନିର୍ଦ୍ବଦ୍ବରେ ହେବେ ନିର୍ବାଚିତ । ରାଜ୍ୟ ପରିଷଦ ବୈଠକ ପରେ ସଭାପତିଙ୍କ ନାଁ ଘୋଷଣା କରାଯିବ । ସଭାପତି ହେବା ପରେ ନବୀନ ନିଜର ନୂଆ ଟିମ ଗଢିବେ । ରାଜ୍ୟ କାର୍ଯ୍ୟକାରିଣୀ ଗଠନ କରିବା ପରେ ଦଳର ଛାମୁଆ ସଙ୍ଗଠନ ମହିଳା, ଯୁବ ଓ ଛାତ୍ର ସଂଗଠନକୁ ଦିଆଯିବ ନୂଆ ରୂପ । ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ କହିବା କଥା, ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ଓଡ଼ିଶାବାସୀ ଗ୍ରହଣ କରିଛନ୍ତି । ତେଣୁ ବିଜେଡି ପୁଣି ଥରେ ତାଙ୍କ ନେତୃତ୍ବରେ ଓଡ଼ିଶାବାସୀଙ୍କ ସେବା କରିବା ସହ ହକ ପାଇଁ ଲଢ଼େଇକୁ ଜୋରଦାର କରିବ । ବିଜେଡି ସବୁବେଳେ ଓଡ଼ିଶାବାସୀଙ୍କ ସେବାରେ କାମ କରୁଛି ଓ କରୁଥିବ ବୋଲି କହିଛନ୍ତି ବିଜେଡି ନେତା ।

ନବୀନ ପଟ୍ଟନାୟକ ନବମ ଥର ଭାବେ ସଭାପତି ହେବା ପରେ ଦଳୀୟ ନେତା ଓ କର୍ମୀଙ୍କୁ ବାର୍ତ୍ତା ଦେବେ । ରାଜ୍ୟ ପରିଷଦର ୩୫୫ ଜଣ ସଦସ୍ୟ ଓ ୮୧ ଜଣ ଷ୍ଟେଟ କାଉନସିଲ ଏକଜିକ୍ୟୁଟିଭ ସଦସ୍ୟ ରହିବେ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ଏବେ ସିନା ସରକାର ବଦଳିଛି, ହେଲେ ନବୀନଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବାକୁ ଅନୁଭବ କଲେଣି ରାଜ୍ୟବାସୀ । ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହ ଦରଦାମରେ ଲୋକେ ଅତିଷ୍ଟ ହେଲେଣି । ତେଣୁ ଦଳକୁ ସଶକ୍ତ କରିବା ସହ ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ଲୋକେ ଏକାଠି ହେଲେଣି ବୋଲି କହିଛନ୍ତି ବରିଷ୍ଠ ନେତା ପ୍ରତାପ ଜେନା ।

ବିଜେଡିର ୩୩ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ଅଧିକାଂଶ ଜିଲ୍ଲା ସଭାପତି ନିର୍ବାଚନ ଶେଷ ହୋଇଛି । ଆଗକୁ ନବୀନ ବିଜେଡି ସଙ୍ଗଠନରେ ନୂଆ ପଦବୀ ସୃଷ୍ଟି କରିବେ କି ନାହିଁ ତାକୁ ନେଇ ଜାରି ରହିଛି ସସପେନ୍ସ ।