ନବୀନଙ୍କ ନାଁରେ ନୂଆ ରେକର୍ଡ, ଖୁବଶୀଘ୍ର ହେବେ ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନବୀନଙ୍କ ନାଁରେ ନୂଆ ରେକର୍ଡ। ଖୁବଶୀଘ୍ର ହେବେ ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ । ଜୁଲାଇ ୨୨ରେ ଜ୍ୟୋତି ବସୁଙ୍କୁ ପଛରେ ପକାଇବେ ନବୀନ। ୨୪ରେ ନବୀନଙ୍କ ରାଜନୈତିକ କ୍ୟାରିଅରରେ ଯୋଡ଼ିହେବ ନୂଆ ରେକର୍ଡ। ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ । ୨୫ ବର୍ଷ ଜନସେବାରେ ଏଯାଏଁ ୨୩ ବର୍ଷ ୧୨୭ ଦିନ ଧରି ମୁଖ୍ୟମନ୍ତ୍ରୀ ପଦବୀରେ ରହିଆସିଛନ୍ତି ନବୀନ । ଜୁଲାଇ ୨୨ ତାରିଖରେ ସେ ଦ୍ୱିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ କରିବେ । ଜ୍ୟୋତି ବସୁ ପଶ୍ଚିମବଙ୍ଗରେ ସିପିଏମର ୩୪ ବର୍ଷ ସରକାରରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ । ଜୁଲାଇ ୨୨ରେ ଏହି ରେକର୍ଡକୁ ଭାଙ୍ଗିବେ ନବୀନ । ଭାରତ ବର୍ଷରେ ଦ୍ବିତୀୟ ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବା ନେଇ ନବୀନଙ୍କ ନାଁରେ ଯୋଡ଼ିହେବ ନୂଆ ରେକର୍ଡ। ଓଡ଼ିଶାବାସୀଙ୍କ ପାଇଁ ଏହା ଗର୍ବର ବିଷୟ ବୋଲି ବିଜେଡି କହିଛି । ରାଜ୍ୟବାସୀଙ୍କ ଆଶୀର୍ବାଦରେ ୨୦୨୪ରେ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ ନବୀନ ଭାରତ ରାଜନୀତିର ସବୁ ରେକର୍ଡ ହାସଲ କରିବେ ବୋଲି ବିଜେଡି କହିଛି ।

୧୯୯୭ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ । ମାର୍ଚ୍ଚ ୨୦୦୦ରେ ସେ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ନବୀନ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ୨୩ ବର୍ଷ ଧରି ନବୀନ ପଟ୍ଟନାୟକ ଓଡ଼ିଶାର ଅର୍ଥନୀତି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛନ୍ତି । ସେହିପରି ଶିଳ୍ପାୟନରେ ଓଡ଼ିଶାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ବିଦେଶ ପୁଞ୍ଜିନିବେଶରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନ ହାସଲ କରିଛି। ଏସବୁ ସମ୍ଭବ ହୋଇପାରିଛି ନବୀନଙ୍କ ଦୃଢ ନେତୃତ୍ବ ଓ ସ୍ଥିର ସରକାର ପାଇଁ । ନବୀନଙ୍କ ଅନେକ ଜନହିତକାରୀ ଯୋଜନା ଏବେ ଦେଶକୁ ବାଟ ଦେଖାଇଛି ।

ଦେଶରେ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ପଦବୀରେ ରହିବାରେ ପ୍ରଥମ ସ୍ଥାନରେ ରହିଛନ୍ତି ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପଓ୍ବନ କୁମାର ଚାମଲିଙ୍ଗ। ଜୁଲାଇ ୨୨ରେ ନବୀନ ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହେବେ । ୨୩ ବର୍ଷ ଶାସନରେ ନବୀନଙ୍କ ନାଁରେ ରେକର୍ଡ ନୂଆ ନୁହେଁ। ଶ୍ରେଷ୍ଠ ପ୍ରଶାସନ, ନମ୍ବର ଓ୍ବାନ୍ ମୁଖ୍ୟମନ୍ତ୍ରୀ ସହ ବିଭିନ୍ନ ରେକର୍ଡ ରହିଛି ନବୀନଙ୍କ ନାଁରେ ।