spot_img

Latest Posts

ଲେଖକରୁ ମୁଖ୍ୟମନ୍ତ୍ରୀ: ଜଣେ ନିଆରା ବ୍ୟକ୍ତି,ନିଆରା ରାଜନେତା

ସ୍ୱପ୍ନ ଗୋଟିଏ…କେବଳ ରାଜ୍ୟ ଆଉ ରାଜ୍ୟବାସୀଙ୍କ ଉନ୍ନତି । ରାଜନୀତିରେ ପ୍ରବେଶ କରିବାର ଅଭିପ୍ରାୟ ହିଁ ଏଇଆ ଥିଲା । ହେଲେ ୧୯୯୯ ମହାବାତ୍ୟା ତାଙ୍କର ରାଜନୈତିକ କ୍ୟାରିଅରକୁ ଏକ ନୂତନ ଦିଗକୁ ଟାଣି ନେଇଥିଲା । ଆମେ କହୁଛୁ.. ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା ।  ବର୍ଷ ୨୦୦୦ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଆରମ୍ଭ ହୋଇଥିବା ସେହି ଯାତ୍ରା ଅଦ୍ୟାବଧି ଜାରି ରହିଛି । କ୍ରମାଗତ ଭାବରେ ପାଞ୍ଚଥର ମୁଖ୍ୟମନ୍ତ୍ରୀ ହେବାପରେ ସଫଳତାର ଏକ ବିରଳ ଉପଲବ୍ଧି ହାସଲ କରିଛନ୍ତି ନବୀନ ପଟ୍ଟନାୟକ । ହେଲେ ତାଙ୍କର ଏଭଳି ସଫଳତା ଆଉ ପ୍ରଚଣ୍ଡ ଲୋକପ୍ରିୟତାର କାରଣ କଣ । ଏହା ମଧ୍ୟ ଏକ ତର୍ଜମାର ବିଷୟବସ୍ତୁ । ତେବେ ସମସ୍ତ ରାଜ୍ୟବାସୀଙ୍କ ପାଖରେ ରହିଛି ଏହାର ଉତ୍ତର । ନବୀନ ପଟ୍ଟନାୟକଙ୍କ ସରଳ, ଅମାୟିକ ଆଉ ନିରାଡମ୍ବର ଜୀବନଶୈଳୀ ହିଁ ତାଙ୍କୁ ଏତେ ଲୋକପ୍ରିୟ କରିପାରିଛି । ତାଙ୍କର ସେହି ଲୋକପ୍ରିୟତା ଏବଂ ଜୀବନଶୈଳୀରୁ ହିଁ ତାଙ୍କୁ ସବୁ ମୁଖ୍ୟମନ୍ତ୍ରୀ ନିଆରା କୁହାଯାଏ ସେଥିପାଇଁ ତ ତାଙ୍କୁ ନିଆରା ନବୀନର ଆଖ୍ୟା ଦିଆଯାଇଛି ।

ଦେଶର ପ୍ରମୁଖ ରାଜନେତାଙ୍କ ଭିତରେ ନିଆରା ଆଉ ଅନନ୍ୟ ନବୀନ ପଟ୍ଟନାୟକ । କ୍ରମାଗତ ଭାବରେ ପାଞ୍ଚଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନଙ୍କ ଲୋକପ୍ରିୟତାକୁ ନେଇ ସନ୍ଦେହର କୈାଣସି ଅବକାଶ ନାହିଁ । ହେଲେ ତାଙ୍କର ଏଭଳି ସଫଳତା ପଛରେ ତାଙ୍କ ସରଳ ଓ ନିରାଡ଼ମ୍ବର ଜୀବନଶୈଳୀର ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କୈାଣସି ବିଳାସବ୍ୟସନ ଅପେକ୍ଷା ନିଜର ଦାୟିତ୍ୱ ଏବଂ କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଉଥିବା ନବୀନଙ୍କ ପାଇଁ ଏଭଳି ଲାଇଫଷ୍ଟାଇଲ ଏବେ ଅନ୍ୟ ରାଜନେତାଙ୍କ ପାଇଁ ମଧ୍ୟ ପ୍ରେରଣା ପାଲଟିଛି । ନିଜର ସରଳ ଜୀବନଯାପନ ପାଇଁ ରାଜ୍ୟବାସୀଙ୍କ ମନ ମଧ୍ୟ ଜିଣି ପାରିଛନ୍ତି ।

ଧଳା ପାଇଜାମା, କୋହ୍ଲାପୁରୀ ଚପଲ ହଳେ ଆଉ ତା ସାଙ୍ଗକୁ କାଠର ଗୋଟେ ଆରାମ ଚୌକି । ଘରେ ଦୁଇଟି ପୋଷା କୁକୁର ବ୍ରୁନୋ ଆଉ ରକ୍ସି । ଜଣେ ମୁଖ୍ୟମନ୍ତ୍ରୀଙ୍କ ୟେ ହେଉଛି ଜୀବନଶୈଳୀ । ସକାଳୁ ଉଠିବା ପରେ ବ୍ୟାୟାମରୁ ଆରମ୍ଭ ହୁଏ ନବୀନଙ୍କ ଜୀବନଚର୍ଯ୍ୟା । ସକାଳୁ ଉଠି ନବୀନ ନିବାସ ଗାର୍ଡେନରେ ମର୍ଣ୍ଣଂ ଓ୍ବାକ୍‌ କରିବା ପରେ ନିଜକୁ ଫିଟ୍‌ ରଖିବାକୁ ପ୍ରତିଦିନ ସେ କିଛି ସମୟ ଘରେ ଥିବା ଜିମ୍‌ରେ ବିତାଇଥାନ୍ତି । ତାଙ୍କର ଖାଇବା ମଧ୍ୟ ବେଶ୍‌ ସାଧାରଣ ଆଉ ମେନୁ ଏକଦମ୍‌ ସାଦାସିଧା । ରାଜ୍ୟବାସୀଙ୍କ ପାଇଁ  ସବୁବେଳେ କାମ କରୁଥିବା ନବୀନ ନିଜକୁ ଫିଟ୍‌ ରଖିବାକୁ ଏବେବି ଚେଷ୍ଟା ଚଳାଇଛନ୍ତି ।

ସାଧାରଣ ଜୀବନଯାପନ କରୁଥିବା ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନଶୈଳୀ । ପାଞ୍ଚ ପାଞ୍ଚଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ତାଙ୍କର ନିରାଡମ୍ବର ଜୀବନଶୈଳୀରେ କୈାଣସି ପରିବର୍ତ୍ତନ ଆସିନାହିଁ । ନା କୈାଣସି ବିଳାସପୂର୍ଣ୍ଣ ଗାଡି ବ୍ୟବହାର କରନ୍ତି ନା ଦାମୀ ପୋଷାକ ପ୍ରତି ଅଛି ତାଙ୍କର କୈାଣସି ରୁଚି । ୧୯୯୭ରେ ରାଜ୍ୟ ରାଜନୀତିରେ ପ୍ରବେଶ କରିଥିଲେ ନବୀନ ଆଉ ସେହି ଦିନରୁ ହିଁ ତାଙ୍କର ଲାଇଫଷ୍ଟାଇଲ ଏଭଳି ଭାବରେ ଚଳିଆସିଛି । ପଲ୍ଲୀରୁ ଦିଲ୍ଲୀ ଯାଏଁ ସବୁଠି ତାଙ୍କର ଏମିତି ସରଳ, ନିରାଡମ୍ବର ଜୀବନଶୈଳୀକୁ ନେଇ ଚର୍ଚ୍ଚା ।

ରାଜ୍ୟ ରାଜନୀତି ସହ କେନ୍ଦ୍ର ରାଜନୀତିରେ ମଧ୍ୟ ନବୀନଙ୍କ ବେଶ କାଟ୍‌ତି ରହିଛି । ବିଭିନ୍ନ କେନ୍ଦ୍ରୀୟ ନେତାଙ୍କ ପାଇଁ ନବୀନ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛନ୍ତି । କେତେବେଳେ ତାଙ୍କର ଶାସନ ପଦ୍ଧତି, ସରକାରୀ ଯୋଜନାର ପ୍ରଣୟନ ତ ଆଉ କେତେବେଳେ ସିମ୍ପଲ ଲାଇଫଷ୍ଟାଇଲ୍‌ ପାଇଁ ନବୀନ ଚର୍ଚ୍ଚାରେ ରହିଆସିଛନ୍ତି । ସେ ବିରୋଧୀ ହୁଅନ୍ତୁ  କିମ୍ବା ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦି, ସମସ୍ତେ ନବୀନଙ୍କ ଲାଇଫଷ୍ଟାଇଲକୁ ସମ୍ମାନ ଜଣାଇ ଆସିଛନ୍ତି ।

ଏକ ସମ୍ଭ୍ରାନ୍ତ ଏବଂ ଆଭିଜାତ୍ୟସମ୍ପନ୍ନ ପରିବାରର ଦାୟାଦ ହିସାବରେ ନବୀନ ଚାହିଁଥିଲେ କୈାଣସି ବିଳାସପୂର୍ଣ୍ଣ ଅଟ୍ଟ।ଳିକାରେ ଅଏସ ଆରାମରେ ରହିପାରିଥାନ୍ତେ । ହେଲେ ଯେଉଁ ଶ୍ରଦ୍ଧାରେ ନବୀନ ନିବାସର ନାମକରଣ ହୋଇଥିଲା ତାକୁ ସାଙ୍ଗରେ ଧରି ସେ ଏଠାରେ ହିଁ ରହିବାକୁ ଉଚିତ ମନେ କରିଥିଲେ । ନବୀନ ନିବାସରେ ହିଁ ବାପା ବିଜୁ ପଟ୍ଟନାୟକ ଓ ମା ଜ୍ଞାନଦେବୀଙ୍କ ସଂସ୍କୃତିକୁ ସାଉଁଟିଛନ୍ତି ମୁଖ୍ୟମନ୍ତ୍ରୀ । କଟକରେ ଥିବା ତାଙ୍କର ଜନ୍ମସ୍ଥାନ ଆନନ୍ଦଭବନକୁ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି ନବୀନ ପଟ୍ଟନାୟକ ।

ଲେଖକ ନବୀନ

ଜଣେ ବିଚକ୍ଷଣ ରାଜନେତା ଭାବରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି ନବୀନ ପଟ୍ଟନାୟକ । ଏହାଛଡା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ରାଜ୍ୟର ହିତ ଆଉ ବିକାଶ ପାଇଁ ସମସ୍ତ ସମ୍ଭବ ପ୍ରୟାସ କରୁଛନ୍ତି । ତାଙ୍କ ଶାସନକାଳ ଭିତରେ ରାଜ୍ୟ ଅନେକ ଦିଗରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ହେଲେ ରାଜନୀତି ବ୍ୟତିରେକ ଜଣେ ସୁସାହିତ୍ୟକ ଏବଂ ସ୍ତମ୍ଭକାର ଭାବରେ ମଧ୍ୟ ନବୀନଙ୍କ ବେଶ୍‌ ସୁଖ୍ୟାତି ରହିଛି । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ନବୀନ ପଟ୍ଟନାୟକ କେତେକ ପୁସ୍ତକ ରଚନା କରିବା ସହ ବିଭିନ୍ନ ପତ୍ରପତ୍ରିକା ଏବଂ ସମ୍ବାଦପତ୍ର ପାଇଁ ନିୟମିତ ଆର୍ଟିକିଲ ଲେଖୁଥିଲେ । ଏହାଛଡା ଚିତ୍ର ଆଙ୍କିବା ଏବଂ ଖେଳ ପ୍ରତି ମଧ୍ୟ ତାଙ୍କର ବିଶେଷ ରୁଚି ରହିଛି ।

ରାଜନୀତିରେ ନବୀନ ପଟ୍ଟନାୟକଙ୍କ ରହିଛି ଏକ ଭିନ୍ନ ପରିଚୟ । ସେ ରାଜ୍ୟ ତଥା କେନ୍ଦ୍ର ରାଜନୀତିରେ ବିଚକ୍ଷଣ ବୋଲି ପ୍ରମାଣିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଭାବରେ ସେ ତାଙ୍କର ଦାୟିତ୍ୱକୁ ସୁଚାରୂ ରୂପେ ସମ୍ପାଦନ କରିଥିଲେ । ତେବେ ରାଜନୈତିକ ପରିଚୟ ବାହାରେ ନବୀନ ପଟ୍ଟନାୟକଙ୍କ ଆଉ ମଧ୍ୟ କିଛି ଭିନ୍ନ ପରିଚୟ ରହିଛି । ସରଳ, ନିରାଡମ୍ବର ଜୀବନଶୈଳୀକୁ ଭଲ ପାଉଥିବା ନବୀନ ଜଣେ ଉଚ୍ଚକୋଟୀର ଲେଖକ ଭାବରେ ମଧ୍ୟ ଅନେକ ପ୍ରସିଦ୍ଧି ପାଇଛନ୍ତି । ଜୀବନକୁ ଏକ ଭିନ୍ନ ଢଙ୍ଗରେ ଦେଖିଥିବା ନବୀନ ତାଙ୍କ ଅନୁଭୂତିକୁ ବିଭିନ୍ନ ଭାବରେ ପରିପ୍ରକାଶ କରିଛନ୍ତି ।

ଦିଲ୍ଲୀରେ ପଢିବା ସମୟରେ ହିଁ ସାହିତ୍ୟ ଆଉ ଲେଖାଲେଖି ପ୍ରତି ତାଙ୍କର ରୁଚି ବଢିଥିଲା । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନରେ କିରୋରୀମଲ କଲେଜରେ ଇତିହାସରେ ସ୍ନ।ତକ ଡିଗ୍ରୀ ହାସଲ କରିବା ପରେ ଇତିହାସ ପ୍ରତି ନବୀନଙ୍କ ଆଗ୍ରହ ବଢିଥିଲା । ଆଉ ସେହି ଆଗ୍ରହକୁ ସେ ପୁସ୍ତକ ରଚନାରେ ପ୍ରତିଫଳିତ କରିଛନ୍ତି । ଭାରତୀୟ ଇତିହାସର କେତେକ ସ୍ୱର୍ଣ୍ଣିମ ଯ଼ୁଗର ଇତିବୃତ୍ତକୁ ସେ ତାଙ୍କ ପୁସ୍ତକ A SECOND PARADISE ରେ ସ୍ଥାନିତ କରିଛନ୍ତି । ୧୫୯୦ ଶ୍ରୀଷ୍ଟାବ୍ଦରୁ ୧୯୪୭ ପର୍ଯ୍ୟନ୍ତ ଭାରତୀୟ ଇତିହାସର କେତେକ ପ୍ରମୁଖ ଘଟଣାବଳୀକୁ ସେ ଏହି ପୁସ୍ତକରେ ସ୍ଥାନିତ କରିଛନ୍ତି । ଭାରତର ବିଭିନ୍ନ ରାଜ ପରିବାର ଗାରିମା, ଐତିହ୍ୟକୁ ବେଶ୍‌ ଦୃଢ ଭାବରେ ଏହି ପୁସ୍ତକରେ ସାମିଲ କରିଛନ୍ତି । ଇତିହାସ ପ୍ରତି ନବୀନ ପଟ୍ଟନାୟକଙ୍କ ରୁଚି ରହିଛି ଏବଂ ସେଥିପାଇଁ ସେ INDIA’S NATIONAL HISTORIC TRUSTସଦସ୍ୟ ମଧ୍ୟ ରହିଛନ୍ତି ।

ତେବେ କେବଳ ଇତିହାସ ନୁହେଁ ବରଂ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ତାର ବିଭବ ପ୍ରତି ମଧ୍ୟ ନବୀନଙ୍କ ବେଶ ଦୁର୍ବଳତା ରହିଛି । ସେଥିପାଇଁ ସେ ରାଜସ୍ଥାନର ଉତ୍ତପ୍ତ ମରୁଭୂମିରେ ମଧ୍ୟ ପ୍ରକୃତିର ସୁନ୍ଦରତାକୁ ଉପଲବ୍ଧ କରିପାରିଥିଲେ । ସେଥିପାଇଁ ତାଙ୍କ ରଚିତ DESERT KINGDOM ପୁସ୍ତକରେ ସେ ରାଜସ୍ଥାନର ସୌନ୍ଦର୍ଯ୍ୟ ସହ କେତେକ ରାଜପରିବାର ଏବଂ ସେମାନଙ୍କ ସାମ୍ରାଜ୍ୟ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ତାଙ୍କର ଏହି ପୁସ୍ତକ ପଢିଲେ ଭାରତର ଇତିହାସ ଏବଂ ଏହାର ଗୌରବ ସମ୍ପର୍କରେ ଅନେକ ଧାରଣା ମିଳେ ।

ଭାରତୀୟ ଇତିହାସକୁ ନେଇ ନବୀନ ପଟ୍ଟନାୟକଙ୍କ ଲେଖା ଏତେ ସମୃଦ୍ଧ ଯେ ଏହାକୁ ନେଇ ଅନେକ ଗବେଷଣା ମଧ୍ୟ ହୋଇଛି । ନବୀନ ପଟ୍ଟନାୟକଙ୍କ ଏହି କୃତିକୁ ସମ୍ବଳିତ କରି ଢେଙ୍କାନାଳ ଜିଲ୍ଲା ଭୁବନ ବଡାସାହିର ମାନସ ନାୟକ Indian History and Culture In The Literacy Works Of Naveen Patnaik :  A Story ପୁସ୍ତକ ରଚନା କରିଛନ୍ତି ।

ଭାରତୀୟ ଇତିହାସକୁ ଆଧାର କରି ନବୀନ ପଟ୍ଟନାୟକ ଏହି ଦୁଇ ପୁସ୍ତକ ରଚନା କରିଥିବାବେଳେ ଭାରତରେ ଆୟୁର୍ବେଦର ମହତ୍ୱ ଏବଂ ଗୁରୁତ୍ୱକୁ ନେଇ ମଧ୍ୟ ପୁସ୍ତକ ରଚନା କରିଛନ୍ତି । ସାଧାରଣ ଜୀବନରେ ମଣିଷକୁ ଗ୍ରାସ କରୁଥିବା ବିଭିନ୍ନ ରୋଗ ବ୍ୟାଧି ଏବଂ ଆୟୁର୍ବେଦରେ ତାର ଚିକିତ୍ସା କେମିତି ସମ୍ଭବ ତାକୁ ନେଇ ସେ ରଚନା କରିଛନ୍ତି THE GARDEN LIFE  ପୁସ୍ତକ ।  ଆୟୁର୍ବେଦର ବ୍ୟବହାର ପରେ କେମିତି ମଣିଷର ମନ ଏବଂ ଶରୀର ସୁସ୍ଥ ରହେ ତାହା ଏହି ବହିରେ ଲେଖିଛନ୍ତି ନବୀନ ପଟ୍ଟନାୟକ ।

ତେବେ କେବଳ ଏହି ତିନି ପୁସ୍ତକ ନୁହେଁ ବରଂ ଅନେକ ପତ୍ରିକା ଏବଂ ଖବରକାଗଜ ପାଇଁ ମଧ୍ୟ ନବୀନ ପଟ୍ଟନାୟକ ଅନେକ ସ୍ତମ୍ଭ ଲେଖିଛନ୍ତି ।ଦିଲ୍ଲୀରେ କଲେଜରେ ପଢିବାବେଳେ ସେ କେବଳ ଲେଖାଲେଖିରେ ନିଜକୁ ବ୍ୟସ୍ତ ରଖୁଥିଲେ ତା ନୁହେଁ ଚିତ୍ର ଆଙ୍କିବା ପ୍ରତି ମଧ୍ୟ ଥିଲା ନବୀନଙ୍କ ବେଶ୍‌ ଦୁର୍ବଳତା । ଏବେବି ଫୁରସତ୍‌ ମିଳିଲେ ନବୀନ ଚିତ୍ର ଆଙ୍କୁଥିବାର କେତେକ କାର୍ଯ୍ୟକ୍ରମରେ ମଧ୍ୟ ତାହା ଦେଖିବାକୁ ମିଳିଥିଲା । ତେବେ କେବଳ ଏତିକି ନୁହେଁ ବରଂ ନବୀନ ପଟ୍ଟନାୟକଙ୍କ ଜୀବନଶୈଳୀକୁ ନେଇ ମଧ୍ୟ ଅନେକ ପୁସ୍ତକ ରଚିତ ହୋଇଛି ।

କଥା କମ୍‌ କାମ ବେଶୀ

କଥା କମ୍‌ କୁହନ୍ତି ହେଲେ କାମରେ ଦମ୍‌ ଦେଖାନ୍ତି । ୨୩ ବର୍ଷର ରାଜନୈତିକ କ୍ୟାରିୟରରେ ଏହା ହେଉଛି ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ପରିଚୟ । ସାମ୍ବାଦିକ ସମ୍ମିଳନୀ ନ ହେଲେ ବି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ବି ଦିଅନ୍ତି । ଲମ୍ବା ଭାଷଣରେ ବିଶ୍ୱାସ କରୁନଥିବା ନବୀନ ସବୁବେଳେ ସୀମିତ ଶବ୍ଦ ଆଉ ପଙକ୍ତିରେ ସମସ୍ତ ସନ୍ଦେଶ ଦିଅନ୍ତି ନବୀନ । ଗଣମାଧ୍ୟମ ପ୍ରତି ନବୀନ ପଟ୍ଟନାୟକଙ୍କ ବିଶେଷ ସମ୍ମାନ ରହିଥିବାବେଳେ ସେ ସାମ୍ବାଦିକଙ୍କ ପ୍ରତିଟି ପ୍ରଶ୍ନର ଉତ୍ତର ଦିଅନ୍ତି । ପୁଣି ମିଥ୍ୟ। ପ୍ରତିଶ୍ରୁତି ଅପେକ୍ଷା ନିଜର କର୍ତ୍ତବ୍ୟ ଏବଂ ରାଜ୍ୟବାସୀଙ୍କ ପ୍ରତି ଦାୟିତ୍ୱକୁ ନିର୍ବାହ କରିବାକୁ ସେ ଅଗ୍ରାଧିକାର ଦେଇ ଆସିଛନ୍ତି ।

କଥା କମ୍‌ କାମ ବେଶୀ । ଅଳ୍ପ କଥାରେ ଜଣାଇ ଦିଅନ୍ତି ଅନେକ କିଛି । ୟେ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ରେଡ୍‌ ମାର୍କ । କମ୍‌ କଥା କହନ୍ତି ଆଉ ବିବାଦରୁ ଦୂରେଇ ରହନ୍ତି । କାହାକୁ ଆକ୍ଷେପ କିମ୍ବା କାହା ବିରୋଧରେ କଟୁ ମନ୍ତବ୍ୟ ଦିଅନ୍ତି ନାହିଁ । ବ୍ୟକ୍ତି ଅପେକ୍ଷା ଦଳୀୟ ନୀତିକୁ ଦିଅନ୍ତି ଅଗ୍ରାଧିକାର । ରାଜନୀତି ମୈଦାନ ବାହାରେ ସମସ୍ତେ ନବୀନଙ୍କ ମିତ୍ର ।

ନବୀନ ପଟ୍ଟନାୟକଙ୍କୁ ବେଶ ଜଣା ଲମ୍ବାଲମ୍ବା ଭାଷଣ ଶୁଣିବା ପାଇଁ କାହାର ଧୈର୍ଯ୍ୟ ନଥାଏ । ସେଥିପାଇଁ ସୀମିତ ଶବ୍ଦ ଆଉ ପଙକ୍ତି ଭିତରେ କଥାର ସାରା ମର୍ମକୁ ସେ ପ୍ରକାଶ କରିଦିଅନ୍ତି । ରାଜନୈତିକ ସଭାସମିତିରେ ମାତ୍ର ୫ ମିନିଟରେ ଭାଷଣ ଶେଷ କରନ୍ତି ଆଉ ସେଥିରେ ଦଳୀୟ କର୍ମୀଙ୍କ ପାଇଁ ଥାଏ ଅନେକ ସନ୍ଦେଶ । ସେହି ସ୍ୱଳ୍ପ ଭାଷଣରେ ହିଁ ଥାଏ ଦଳୀୟ କର୍ମୀ, ପ୍ରାଶାସନିକ ଅଧିକାରୀଙ୍କ  ପାଇଁ ପ୍ରେରଣା ଏବଂ ବିରୋଧୀଙ୍କ ପାଇଁ ଉଚିତ ଜବାବ । କହିବାକୁ ଗଲେ ନବୀନଙ୍କ ଅଳ୍ପ ସମୟର ଅଭିଭାଷଣ ଶୁଣିଲେ ତାଙ୍କର ପ୍ରତିଟି ଶବ୍ଦ ପ୍ରତି ଆକୃଷ୍ଟ ହେବା ସ୍ୱାଭାବିକ ।

ରାଜନୈତିକ କ୍ୟାରିଅରରେ କେବେ ସାମ୍ବାଦିକ ସମ୍ମିଳନୀ ଡକାଇ ନାହାନ୍ତି । ହେଲେ ସାମ୍ବାଦିକଙ୍କୁ ସେ କେବେ ହେୟଜ୍ଞାନ ମନେ କରିନାହାନ୍ତି କି ଗଣମାଧ୍ୟମକୁ ଉପେକ୍ଷା ମଧ୍ୟ କରିନାହାନ୍ତି । ଆବଶ୍ୟକସ୍ଥଳେ ସାମ୍ବାଦିକଙ୍କ ପ୍ରତିଟି ପ୍ରଶ୍ନର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଇଂରାଜୀ, ହିନ୍ଦୀ, ଓଡ଼ିଆ ପ୍ରାୟ ସମସ୍ତ ଭାଷାରେ ସେ ସ୍ପଷ୍ଟ ଉତ୍ତର ଦିଅନ୍ତି ।  ସାମ୍ବାଦିକଙ୍କ କଲ୍ୟାଣ ପାଇଁ ସେ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଥିବାବେଳେ ସେମାନଙ୍କ ପାଇଁ ବୀମା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁ୍ଖ୍ୟମୃନ୍ତ୍ରୀ ଘୋଷଣା କରିଛନ୍ତି । ତାଙ୍କର ଆଚରଣ ଓ ଉଚାରଣ ପାଇଁ ତାଙ୍କର ଅନେକ ମିତ୍ର ଏବଂ ପ୍ରଶଂସକ ରହିଛନ୍ତି । ବିରୋଧୀ ବି ତାଙ୍କ ପ୍ରଶଂସାରେ ଶତମୁଖ । ସଂସଦକୁ ଯାଉଥିବା ଓଡିଶାର ନୂଆ ନେତାଙ୍କୁ ସମ୍ମାନର ସହ ପଚରାଯାଏ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ।

କଥା କମ, କାମ ବେଶି । ଏହି ମୂଳମନ୍ତ୍ର ନେଇ ୨୦ ବର୍ଷରୁ ରାଜ୍ୟବାସୀଙ୍କ ସେବା କରି ଆସୁଛନ୍ତି ନବୀନ । କୈାଣସି ବାହାପିଆ କଥା କିମ୍ବା ମିଥ୍ୟ। ପ୍ରତିଶ୍ରୁତିର ଜାଲରେ ରାଜ୍ୟବାସୀଙ୍କୁ ଛନ୍ଦିବା ଅପେକ୍ଷା ପ୍ରକୃତ କଥା କହି ସେମାନଙ୍କୁ ସେମାନଙ୍କ ହକ୍‌ ଦେବାକୁ ସବୁବେଳେ ଚେଷ୍ଟାରତ ନବୀନ ।

ସାକ୍ଷାତକାର

ଏକ ନିଆରା ବ୍ୟକ୍ତିତ୍ୱର ନାମ ନବୀନ ପଟ୍ଟନାୟକ । ତାଙ୍କର ସରଳ ଏବଂ ନିରାଡମ୍ବର ଜୀବନଯାପନ ଶୈଳୀ ତାଙ୍କୁ ଏକ ଭିନ୍ନ ପରିଚୟ ପ୍ରଦାନ କରିଛି । ରାଜ୍ୟ ରାଜନୀତିରେ ନିଜକୁ ଅପ୍ରତିଦ୍ୱନ୍ଦି ବୋଲି ପ୍ରମାଣିତ କରିବା ସହ କେନ୍ଦ୍ର ରାଜନୀତିରେ ମଧ୍ୟ ନିଜର କାଟତିକୁ ଅନେକ ଥର ସାବ୍ୟସ୍ତ କରିଛନ୍ତି । କ୍ରମାଗତ ଭାବରେ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ହେବା, ଓଡ଼ିଶାର ଜନମାନସକୁ ପ୍ରଭାବିତ କରିବା, ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ସଫଳତାର ସହ ପ୍ରଣୟନ କରିବା ଭଳି ପ୍ରସଙ୍ଗକୁ ନେଇ ସେ ସବୁବେଳେ ଗଣମାଧ୍ୟମର ଶୀର୍ଷକ ହୋଇଥାନ୍ତି । ପୁଣି ତାଙ୍କର ଏଭଳି ବିରଳ ସଫଳତା ଏବଂ ଲୋକପ୍ରିୟତାକୁ ନେଇ ଜାତୀୟସ୍ତରର ଗଣମାଧ୍ୟମ ମଧ୍ୟ ନବୀନ ପଟ୍ଟନାୟକଙ୍କ ସାକ୍ଷାତକାର  ନେବାକୁ ଉତ୍ସୁକ ରହିଥାନ୍ତି ।

Latest Posts

Don't Miss