ସ୍କୁଲ, କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗର ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ନାପସନ୍ଦ

1 min read
Naveen Unsatisfied With Different Department Reaction On School And College Reopen

ଭୁବନେଶ୍ୱର: ସ୍କୁଲ, କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ମତ ଦିଆ ଯାଉଥିବା ବେଳେ ଏହାକୁ ନାପସନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଭଳି ମନ୍ତବ୍ୟ ନଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଗିଦ୍ କରିଛନ୍ତି । କୋଭିଡ୍ ସ୍ଥିତିକୁ ଆକଳନ କରିବା ପରେ ଯାହା ଠିକ୍ ସରକାର ଉପଯୁକ୍ତ ପଦକ୍ଷେପ ନେବେ । ତେଣୁ ଏଭଳି ବୟାନବାଜିରୁ ଦୂରେଇ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋଭିଡ୍ ମୁକାବିଲାର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର କୋଭିଡ୍ ମୁକାବିଲା କାର୍ଯ୍ୟକ୍ରମକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି- ପୂଜା ସମୟରେ ଯେଉଁ ଆଶଙ୍କା ଥିଲା, ତାକୁ ସଫଳତାର ସହ ଦୂରୀଭୂତ କରାଯାଇ ପାରିଛି । ସେହିପରି ଶୀତଋତୁର ଆଶଙ୍କା ମଧ୍ୟ ଦୂରୀଭୂତ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । କୋଭିଡ୍ ପରିଚାଳନାରେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି ଏବଂ ଏହାକୁ ନୀତି ଆୟୋଗ ମଧ୍ୟ ପ୍ରଶଂସା କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Naveen Unsatisfied With Different Department Reaction On School And College Reopen

ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋଭିଡ-୧୯ ଯୋଗୁ ଉପୁଜିଥିବା ଅର୍ଥନୈତିକ ଆହ୍ୱାନର ମୁକାବିଲା ପାଇଁ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ସଜାଗ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଯେ- ରାଜ୍ୟ ସରକାର ଜୀବିକା ସୃଷ୍ଟି ସମ୍ପର୍କିତ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି । ଜୀବିକା କାର୍ଯ୍ୟକ୍ରମ ସହିତ ଚାଷୀ, ମିଶନ ଶକ୍ତି, କୃଷକ ଓ MSME ମାନଙ୍କୁ ଋଣ ପ୍ରଦାନ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଡିସେମ୍ବର ୨୨ ତାରିଖ ଦିନ ଜିଲ୍ଲାପାଳ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ସମୀକ୍ଷା କରିବେ ବୋଲି କହିଥିଲେ । ଏହିସବୁ ଜୀବିକା କାର୍ଯ୍ୟକ୍ରମକୁ ଋଣ ପ୍ରଦାନରେ ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଅବହେଳା କରୁଥିବା ବ୍ୟାଙ୍କ ସମ୍ପର୍କରେ ସେହି ଦିନ ହିଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ ଅବଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଦେଶରେ ଟୀକାକରଣ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ- ଏଥିପାଇଁ ଓଡ଼ିଶାରେ ସମ୍ପୂର୍ଣ୍ଣ ଡାଟାବେସ୍‌ ପ୍ରସ୍ତୁତ ହୋଇଛି ଏବଂ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ଦେଶରେ ଟୀକାକରଣ ପ୍ରକ୍ରିୟା ଏକ ବର୍ଷରୁ ମଧ୍ୟ ଅଧିକ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି ବୋଲି ପ୍ରକାଶ କରି ଏ ସମୟରେ ସମସ୍ତ ପ୍ରକାର କୋଭିଡ୍ ନିୟମାବଳୀକୁ ପୂର୍ବ ଭଳି ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ । କୋଭିଡ୍ ନିୟମାବଳୀ ଓ ଟୀକାକରଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଉପଯୁକ୍ତ ସୂଚନା ଅଭିଯାନ ମଧ୍ୟ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ ।

ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଲେ ଯେ- ରାଜ୍ୟରେ କୋଭିଡ୍ ପରିସ୍ଥିତିରେ ଦ୍ରୁତ ଉନ୍ନତି ଜାରି ରହିଛି । ଟୀକାକରଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ସହ ପରାମର୍ଶ କରି କାର୍ଯ୍ୟକାରୀ କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କହିଥିଲେ- କୋଭିଡ୍ ମୁକାବିଲାରେ ରାଜ୍ୟର ଉନ୍ନତ ପ୍ରଦର୍ଶନ ଜାରି ରହିଛି । ଆରୋଗ୍ୟ ହାର ବର୍ତ୍ତମାନ ୯୮.୫୨ ପ୍ରତିଶତ ରହିଛି, ଯାହାକୁ ସାରା ଦେଶରେ ଦ୍ୱିତୀୟ ସର୍ବଶ୍ରେଷ୍ଠ ସୂଚକାଙ୍କ । ସେହିପରି ଦୈନିକ ସଂକ୍ରମଣ ହାର ପ୍ରଥମ ଥର ପାଇଁ ୧ ପ୍ରତିଶତରୁ କମି ବର୍ତ୍ତମାନ ୦.୯୬ ପ୍ରତିଶତରେ ରହିଛି ବୋଲି ସେ କହିଥିଲେ ।

Naveen Unsatisfied With Different Department Reaction On School And College Reopen

ଡିସେମ୍ବର ୩୧ ତାରିଖ ସୁଦ୍ଧା ଗଞ୍ଜାମ, ନୟାଗଡ଼ ଓ କୋରାପୁଟରେ ସେରୋ ସର୍ଭେ କରାଯିବ । ଜାନୁଆରୀରେ କଟକ ଓ ଭୁବନେଶ୍ୱରରେ କରାଯିବ ସେରୋ ସର୍ଭେ । ଟୀକାକରଣର ମଡ୍ୟୁଲ୍ ଅନୁଯାୟୀ ସମସ୍ତ ପ୍ରସ୍ତୁତି କରାଯାଉଛି । ନିର୍ବାଚନ ପ୍ରକ୍ରିୟାର ଅନୁକରଣରେ ଟୀକାକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଥିଲେ । କୋଲ୍ଡ ଚେନ୍, ସିରିଞ୍ଜ ଏବଂ ଅନ୍ୟାନ୍ୟ ଆନୁସଂଗିକ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ ସୂଚନା ଦେଇଥିଲେ । ପୋଲିସ ମହାନିର୍ଦ୍ଦେଶକ ଅଭୟ ପୋଲିସ ପ୍ରଶାସନର କୋଭିଡ୍ ମୁକାବିଲା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ବୈଠକରେ ଉନ୍ନୟନ କମିଶନର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।

Leave a Reply