ସ୍ବଦେଶ ଫେରିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ

1 min read

ଇସଲାମବାଦ: ସ୍ବଦେଶ ଫେରିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ । ତିନିଥରର ପ୍ରଧାନମନ୍ତ୍ରୀ ସରିଫଙ୍କୁ ସ୍ବାଗତ ଲାଗି ହୋଇଛି ବ୍ୟାପକ ବ୍ୟବସ୍ଥା । ଚାରିବର୍ଷର ଆତ୍ମନିର୍ବାସନ ପରେ ସେ ସ୍ବଦେଶ ଫେରିଛନ୍ତି । ଅଜିଜିଆ ଓ ଆଭେନଫିଲ୍ଡ ଦୁର୍ନୀତି ମାମଲାରେ ଜାମିନ ପାଇବା ପରେ ସରିଫଙ୍କ ଲାଗି ବାଟ ଉନ୍ମୁକ୍ତ ହୋଇଥିଲା । ଦୁର୍ନୀତି ମାମଲାରେ ଇସଲାମାବାଦ ହାଇକୋର୍ଟ ତାଙ୍କୁ ସୁରକ୍ଷିତ ଜାମିନ ପ୍ରଦାନ କରିବା ପରେ ସେ ସ୍ବଦେଶ ଫେରିବା ନିଶ୍ଚିତ ହୋଇଥିଲା । ଆସନ୍ତା ବର୍ଷ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାବେଳେ ସରିଫଙ୍କ ଘରବାହୁଡା ଗୁରୁତ୍ବପୂର୍ଣ୍ଣ ହୋଇଛି ।

ଦୁବାଇରୁ ଆସୁଥିବା ସରିଫ ଇସଲାମାବାଦରେ ଅବତରଣ କରିବା ପରେ ଲାହୋର ଯିବେ । ଲାହୋରରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କୁ ଭରପୂର ସ୍ବାଗତ କରିବା ଲାଗି ପ୍ରସ୍ତୁତି ହୋଇଛି । ପାକିସ୍ତାନ ମୁସଲିମ ଲିଗ (ଏନ) ନେତା ନଓ୍ବାଜ ସରିଫ ଆସନ୍ତା ସାଧାରଣ ନିର୍ବାଚନରେ ଭାଗ ନେବା ସମ୍ଭାବନା ରହିଛି । ମିନାର-ଇ-ପାକିସ୍ତାନରେ ବିଶାଳ ସାଧାରଣ ସଭା ହେବ ଏବଂ ଜନସମାଗମ ଲାଗି ସ୍ବତନ୍ତ୍ର ଟ୍ରେନ ବ୍ଯବସ୍ଥା ରହିଛି । ସରିଫଙ୍କ ଉପରେ ଫୁଲ ବର୍ଷା ଲାଗି ଦୁଇଟି ବିମାନ ବ୍ଯବସ୍ଥା କରାଯାଇଛି । ପାକିସ୍ତାନରରେ ନିରାପତ୍ତା, ଅର୍ଥନୈତିକ ସ୍ଥିତି ଓ ରାଜନୈତିକ ସଂକଟ ଜାରି ରହିଥିବାବେଳେ ସରିଫଙ୍କ ଦେଶବାହୁଡାକୁ ଗୁରୁତ୍ବପୂର୍ଣ୍ଣ ଦର୍ଶାଯାଉଛି ।