ପୁଣି ଅଧ୍ୟକ୍ଷ ହେବେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ

1 min read

ଇସଲାମାବାଦ : ପାକିସ୍ତାନ ମୁସଲିମ ଲିଗ(ଏନ)ର ପୁଣି ଅଧ୍ୟକ୍ଷ ହେବେ ତିନି ଥରର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ । ଚୀନ ଗସ୍ତରୁ ଫେରିବା ପରେ ଦଳର ନେତୃତ୍ବ ନେବେ ସରିଫ । ପାନାମା ପେପର୍ସ ମାମଲାରେ କୌଣସି ସାଧାରଣ ପଦବୀରେ ରହିପାରିବେ ନାହିଁ ବୋଲି ସାତ ବର୍ଷ ତଳେ ଅର୍ଥାତ ୨୦୧୭ରେ ସୁପ୍ରିମକୋର୍ଟ ଦର୍ଶାଇଥିବାରୁ ସେ ଅଧ୍ୟକ୍ଷ ପଦ ତ୍ଯାଗ କରିଥିଲେ ।

ଆସନ୍ତା ମେ ୧୧ତାରିଖରେ ଦଳର ଅଧ୍ଯକ୍ଷ ଭାବେ ତାଙ୍କୁ ନିର୍ବାଚିତ କରାଯିବ । ଦରିଆପାରି ଅଞ୍ଚଳରେ ବିପୁଳ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ କ୍ରମେ ସରିଫ ଦୋଷୀ ସାବ୍ଯସ୍ତ ହେବା ପରେ ତାଙ୍କୁ ପଦତ୍ଯାଗ କରିବାକୁ ପଡିଥିଲା । ପିଏମଏଲ-ଏନ ନେତା ରାଣ ସାନାଉଲ୍ଲା କହିଛନ୍ତି- ନଓ୍ବାଜଙ୍କୁ ପୁଣି ଅଧ୍ଯକ୍ଷ କରିବା ଲାଗି ଦଳର ବୈଠକରେ ନିଷ୍ପତ୍ତି ହୋଇଛି ।

ଅତୀତରେ ହୋଇଥିବା ଷଡ଼ଯନ୍ତ୍ର କ୍ରମେ ତାଙ୍କୁ ପଦତ୍ଯାଗ କରିବାକୁ ପଡିଥିଲା । ମାତ୍ର ସମସ୍ତ ଅଭିଯୋଗରୁ କୋର୍ଟ ତାଙ୍କୁ ମୁକ୍ତି ଦେବା ପରେ ସେ ଅଧ୍ଯକ୍ଷ ପଦ ସମ୍ଭାଳିବା ନିଶ୍ଚିତ ହୋଇଛି ବୋଲି କହିଛନ୍ତି ସାନାଉଲ୍ଲା । ଦୁର୍ନୀତି ମାମଲାରେ ଛନ୍ଦି ହୋଇଯିବା ପରେ ଲଣ୍ଡନ ଚାଲିଯାଇଥିଲେ ନଓ୍ବାଜ । ଗତବର୍ଷ ଅକ୍ଟୋବରରେ ସେ ଆତ୍ମନିର୍ବାସନ ସାରି ଲଣ୍ଡନରୁ ସ୍ବଦେଶ ଫେରିବା ସହ ନିର୍ବାଚନରେ ଭାଗ ନେଇଥିଲେ । ମାତ୍ର ତାଙ୍କ ଦଳ ପୂର୍ଣ୍ଣ ସଂଖ୍ଯା ଗରିଷ୍ଠତା ହାସଲ ନ କରିବାରୁ ତାଙ୍କ ଭାଇ ଶେହବାଜ ପ୍ରଧାନମନ୍ତ୍ରୀ ହୋଇଥିଲେ ।