ଦାଦନ ଖଟିବାକୁ ଯାଇଥିଲେ ବାଙ୍ଗାଲୋର, NEET ପରୀକ୍ଷାରେ ସଫଳତା ହାସଲ କଲେ ଚାଷୀ ପରିବାରର ଯୁବକ

1 min read

ନନ୍ଦିଘୋଷ ବ୍ୟୁରୋ: ଇଚ୍ଛାଶକ୍ତି ଆଗରେ ହାର ମାନେ ସବୁ ବାଧାବିଘ୍ନ। ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଚାଷୀ ପରିବାରର ଯୁବକ ଶୁଭମ ଶବର। ଆର୍ଥିକ ଅନଟନ ଭିତରେ ସଫଳତା ପାଇବାରେ ସେ ସକ୍ଷମ ହୋଇଛନ୍ତି । ନିଟ ପରୀକ୍ଷାରେ ସଫଳତା ପାଇବା ପରେ ଏବେ MKCG ମେଡିକାଲରେ ନାମ ଲେଖାଇଛନ୍ତି । ପ୍ରବଳ ଆର୍ଥିକ ସମସ୍ୟା ସତ୍ତ୍ବେ ସଫଳତା ତାଙ୍କ ପାଦ ଚୁମିଥିବାରୁ ତାଙ୍କୁ ଏବେ ଛୁଟିଛି ଶୁଭେଚ୍ଛାର ସୁଅ । ଆସନ୍ତୁ ଦେଖିବା ନୀଳାଦ୍ରି ପ୍ରସାଦ ମୁଦୁଲି ଡିହ, ବିନ୍ଧାଣୀ ସାହିର ଶୁଭମ ଶବରଙ୍କ ସଫଳତାର କାହାଣୀ ।

ଦାଦନ ଖଟିବାକୁ ଯାଇଥିଲେ ବାଙ୍ଗାଲୋର । ହଠାତ୍ ଆସିଲା ଫୋନ୍। MKCG ରେ ଆଡମିସନ ହେବ କହି ଡକେଇଥିଲେ ସାର୍ । ବାଣପୁର ନୀଳାଦ୍ରି ପ୍ରସାଦ ପଞ୍ଚାୟତ ମୁଦୁଲି ଡିହ ବିନ୍ଧାଣୀ ସାହିର ଶୁଭମ ଶବର । NEET ପରୀକ୍ଷାରେ ୧୮ ହଜାର ୨୧୨ RANK ରଖି ସେ ସଫଳତା ହାସଲ କରିଛନ୍ତି । ଶୁଭମ ସ୍ଥାନୀୟ ନୀଳାଦ୍ରି ଆଶ୍ରମ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା କରିବା ପରେ ବୋଲଗଡ଼ ସ୍ଥିତ ହରିପୁର ଉଚ୍ଚ ବିଦ୍ୟାଳୟରୁ ଦଶମ ପାସ କରିଥିଲେ । ପରେ ସେ BJB କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ପାଠ ପଢି ପାସ କରିଥିଲେ । ଅର୍ଥ ଅଭାବ ଯୋଗୁଁ ବ୍ରହ୍ମପୁରରେ ନିଟ୍ ପାଇଁ କୋଚିଂ ନେଇଥିଲେ । ସାରଙ୍କର କିଛି ମାସର ପଇସା ବାକି ଥିବାରୁ ସେ ଋଣ ଶୁଝିବା ପାଇଁ ବାପାଙ୍କ ସହ ମିଶି ବାଙ୍ଗାଲୋରରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। କିନ୍ତୁ ସାରଙ୍କ ଗୋଟିଏ ଫୋନ କଲ ତାଙ୍କ ଭାଗ୍ୟ ବଦଳାଇଦେଲା। ଜଣେ ଶ୍ରମିକ ଭାବରେ କାମ କରିବାର ଯେଉଁ କଷ୍ଟ ଅନୁଭବ ହେଉଥିଲା ସାରଙ୍କ ଠାରୁ ଶୁଣିବା ପରେ ସବୁ କଷ୍ଟ ଦୂର ହୋଇଗଲା ବୋଲି କୁହନ୍ତି ଶୁଭମ । ଏହାସହ ସବୁ ସଫଳତାର ଶ୍ରେୟ ବାପା ମା, ପଦାର୍ଥ ବିଜ୍ଞାନ ଶିକ୍ଷକ ବାସୁଦେବ ମହାରଣା ଓ ରସାୟନ ବିଜ୍ଞାନ ଶିକ୍ଷକ ଦେବଦତ୍ତ ମହାନ୍ତିଙ୍କୁ ଦେଇଛନ୍ତି ଶୁଭମ ।

ଜଣେ ଅଦିବାସୀ ଅଧ୍ୟୁଷିତ ବଣ ଜଙ୍ଗଲ ଘେରା ଗାଁର ପିଲା ପଢ଼ିବ ଡାକ୍ତରୀ ପାଠ । ଯେଉଁ ଗାଁକୁ ଭଲ ରାସ୍ତା ଖଣ୍ଡେ ନାହିଁ ଦଦରା ଚାଳ ଛପର ଘର । ବାପା ଗାଁରେ ଥିବା ବେଳେ ତାଙ୍କ ସହ ବିଲରେ କାମ ବି କରନ୍ତି ଶୁଭମ । ଏଭଳି ଜଣେ ନିପଟ ମଫସଲରୁ ଆସିଥିବା ଗରିବ ଘରର ପୁଅର ଏତେ ବଡ ସଫଳତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ମାହୋଲ ଦେଖିବାକୁ ମିଳିଛି । କିଏ କହୁଛି ଆମ ପିଲା ଡାକ୍ତର ହେଲା, ତା ପାଖରେ ଆମେ ଚିକିତ୍ସିତ ହେବୁ । ସମାଜରେ ଲୋକଙ୍କ ସେବା କରିବ ଏଥିପାଇଁ ଆମେ ବହୁତ ଗର୍ବ କରୁଛୁ ।