spot_img

Latest Posts

ନିଟ୍-ୟୁଜି ପେପର ଲିକ୍‌ ମାମଲା: ସିବିଆଇ ଓ କେନ୍ଦ୍ରକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସତ୍ଯପାଠ ଦାଖଲ କରିବାକୁ କେନ୍ଦ୍ର ସରକାର, ଏନଟିଏ ଏବଂ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ନିଟ୍ କୁ ନେଇ ଦାଖଲ ହୋଇଥିବା ସବୁ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ପଚାରିଛନ୍ତି, ଯେଉଁମାନେ ଲିକ୍ କରିଛନ୍ତି, ସେମାନଙ୍କୁ ଚିହ୍ନଟ କରାହୋଇଛି କି, ସେମାନଙ୍କ ବିରୋଧରେ କଣ କାର୍ଯ୍ଯାନୁଷ୍ଠାନ ହୋଇଛି। ଯେଉଁ ପିଲା ଲିକ୍ ପ୍ରଶ୍ନପତ୍ର ପାଇଛନ୍ତି, ତାଙ୍କ ଫଳ ସ୍ଥଗିତ ରଖାଯାଇଛି କି । କେଉଁ କେଉଁ ଅଞ୍ଚଳରେ ଲିକ୍ ହୋଇଛି। ଆସନ୍ତା ବୁଧବାର ସଂଧ୍ଯା ୫ଟା ସୁଦ୍ଧା ଏସବୁର ଉତ୍ତର ସହିତ ସତ୍ଯପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମକୋର୍ଟ କହିଛନ୍ତି – ପ୍ରଶ୍ନପତ୍ର ଲିକ୍ ହୋଇଛି। ଏଥିରେ କୌଣସି ସନ୍ଦେହ ନାହିଁ। ଏହାର ବ୍ଯାପକତା କେତେ, କେବଳ ତାହା ଜାଣିବାକୁ ପଡ଼ିବ। ତେବେ ପୁଣି ଥରେ ପରୀକ୍ଷା କରିବା ଶେଷ ବିକଳ୍ପ ହେବ। କାରଣ ଏହା ଦ୍ଵାରା ଲକ୍ଷ ଲକ୍ଷ ପିଲା ପ୍ରଭାବିତ ହେବେ। ନିଟ୍ ପ୍ରଶ୍ନପତ୍ର ଲିକ୍ ନେଇ ହୋଇଥିବା ବହୁ ଆବେଦନର ଏକାଥରେ ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ପାଟନା, ଦିଲ୍ଲୀ, ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଏତଲା ଦିଆଯାଇଛି। ବ୍ଯବସ୍ଥାଗତ ଭାବେ ପ୍ରଶ୍ନପତ୍ର ଲିକ୍ ହୋଇଛି କି ତାହା ଜାଣିବାକୁ ଚାହିଁଛନ୍ତି ସୁପ୍ରିମକୋର୍ଟ।  ଆସନ୍ତା ଗୁରୁବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Latest Posts

Don't Miss