spot_img

Latest Posts

ଅବହେଳିତ ଅବସ୍ଥାରେ ପ୍ରଭୁ ଦଧିବାମନଙ୍କ ଗୁପ୍ତଲୀଳା କ୍ଷେତ୍ର ଦଧିବାମନ ଖୋଲ ;ସରକାରୀ ପ୍ରୋତ୍ସାହନ ଅଭାବରୁ ହରାଇଲାଣି ଅସ୍ତିତ୍ଵ

ନନ୍ଦିଘୋଷ ବ୍ୟୁରୋ : ଆସିଲା କଳାପାହାଡ, ଭାଙ୍ଗିଲା ସିଂହଦୁଆର । କଳାପାହାଡର ଆକ୍ରମଣ ବିଷୟ ସମଗ୍ର ଓଡିଆ ଜାତି ପାଇଁ ଆଜି ବି ଏକ ଲୋମଟାଙ୍କୁରା ଇତିହାସ  । ହେଲେ ଆଜି ବି ଅବହେଳିତ ଅବସ୍ଥାରେ ପଡିରହିଛି ଶ୍ରୀ ଜଗନ୍ନାଥ ସଂସ୍କୃତି ସହ ଜଡିତ ପ୍ରଭୁ ଦଧିବାମନଙ୍କ ଗୁପ୍ତଲୀଳା କ୍ଷେତ୍ର ଦଧିବାମନ ଖୋଲ । ଏଥିପ୍ରତି ସରକାର ଦୃଷ୍ଟି ଦେଇ ଖୋଲର ଉନ୍ନତିକରଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଅବହେଳିତ ଅବସ୍ଥାରେ ପ୍ରଭୁ ଦଧିବାମନଙ୍କ ଗୁପ୍ତଲୀଳା କ୍ଷେତ୍ର ଦଧିବାମନ ଖୋଲ । ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସହ ଜଡିତ ଐତିହାସିକ ସ୍ଥାନର ଉନ୍ନତିକରଣ ଦାବି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ଆଳତୁମା ଗାଁରେ କାହିଁ ଅନାଦିକାଳରୁ ପୂଜା ପାଇ ଆସୁଛନ୍ତି ପ୍ରଭୁ ଶ୍ରୀ ଦଧିବାମନ ଜିଉ । ୧୫୬୮ ମସିହାରେ ଓଡ଼ିଶାକୁ କଳାପାହାଡ଼ ଆକ୍ରମଣ କରିଥିଲା । ଠିକ ସେହି ସମୟରେ ଆଳତୁମା ଗାଁର ଗ୍ରାମବାସୀ ପ୍ରଭୁ ଦଧିବାମନଙ୍କୁ କଳାପାହାଡ ନଜରରୁ ବଞ୍ଚାଇବାକୁ ବୁଢାପାହାଡ଼ ପର୍ବତ ଶିଖରରେ ଲୁଚାଇ ଦେଇଥିଲେ  l ଯାହା ଆଜି ଦଧିବାମନ ଖୋଲ ଭାବେ ପରିଚିତ । ହେଲେ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ଦିବ୍ୟ ଲୀଳାସ୍ଥଳୀ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ।

ପ୍ରଭୁ ଦଧିବାମନଙ୍କ ଗୁପ୍ତଲୀଳା କ୍ଷେତ୍ରଟି କାମାକ୍ଷାନଗର ଠାରୁ କୋଡିଏ କିଲୋମିଟର ଦୂରରେ ଅବସ୍ଥିତ । ରାମିଆଳ ନଦୀ ପାର ହୋଇ ଘଞ୍ଚ ଜଙ୍ଗଲ ଓ ତିନୋଟି ପାହାଡ଼ ଡେଇଁ ଗଲେ ପଡେ ଦଧିବାମନ ଖୋଲ । କଳାପାହାଡ଼ ଆକ୍ରମଣ ସମୟରେ ଏଠାରେ ପ୍ରଭୁଙ୍କୁ ଗୁପ୍ତରେ ରଖି ଗ୍ରାମବାସୀ ପୂଜା କରୁଥିଲେ । ରଥଯାତ୍ରା ବି କରୁଥିଲେ । ଜଗନ୍ନାଥ ସଂସ୍କୃତିକୁ ଧରି ରଖିଥିବା ଏହି ସ୍ଥାନ ଆଜି ବି ଲୋକଲୋଚନକୁ ଆସିପାରିନାହିଁ । ତେଣୁ ଏହି ଖୋଲର ଉନ୍ନତିକରଣ କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ଆଳତୁମା ଗ୍ରାମବାସୀ । ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ସହ ଦଧିବାମନ ଖୋଲର ବହୁ ସାମଞ୍ଜସ୍ୟ ରହିଛି । ଏଥିପ୍ରତି ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେଇ ଏହି ଐତିହ୍ୟସ୍ଥଳୀର ଗୁଢ ରହସ୍ୟ ଉନ୍ମୋଚନ କରିବାକୁ ଦାବି ହୋଇଛି ।

Latest Posts

Don't Miss