spot_img

Latest Posts

ମୁଣ୍ଡ ନୁଆଁଇଲେ ନେପାଳ ସରକାର ; ହଟିଲା ୨୬ଟି ସୋସିଆଲ ମିଡିଆ ଉପରେ ଜାରି ନିଷେଧାଦେଶ

ନନ୍ଦିଘୋଷ ବ୍ୟୁରୋ: ଜେନେରେସନ-ଜେଡ୍ ଆନ୍ଦୋଳନକାରୀଙ୍କ ଚାପରେ ମୁଣ୍ଡ ନୁଆଁଇଲେ ନେପାଳ କେ.ପି. ଶର୍ମା ଓଲି ସରକାର । ଯେଉଁ ୨୬ଟି ସୋସିଆଲ ମିଡିଆ ଉପରେ ସରକାର ନିଷିଦ୍ଧାଦେଶ ଜାରି କରିଥିଲେ ତାହାକୁ ହଟାଇନେଇଛନ୍ତି। ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ସାରା ଦେଶରେ ହୋଇଥିବା ଆନ୍ଦୋଳନରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ। ବିଶେଷ କରି ଆନ୍ଦୋଳନ ଯୋଗୁ କାଠମାଣ୍ଡୁ ଗଭୀର ପ୍ରଭାବିତ ହୋଇଥଇଲା । ସୋସିଆଲ ମିଡିଆ ଉପରେ ବ୍ୟାନ ଓ ଦୁର୍ନୀତି ପ୍ରତିବାଦରେ ଏହି ଆନ୍ଦୋଳନ ହୋଇଥିଲା। ଗତକାଲି ରାତିରେ ବସିଥିବା ଜରୁରୀ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ପ୍ରତ୍ୟାହାର ହେଲା ବୋଲି କହିଛନ୍ତି ଯୋଗାଯୋଗ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପୃଥ୍ବୀ ସୁବା ଗୁରୁଙ୍ଗ। ନେପାଳର ଯୋଗାଯୋଗ, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗ ଏହି ପ୍ରତିବନ୍ଧକ ହଟାଇବା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ହିଂସା ଏବଂ ପ୍ରତିବାଦକୁ ଦୃଷ୍ଟିରେ ରଖି, ନେପାଳ କ୍ୟାବିନେଟର ଏକ ଜରୁରୀକାଳୀନ ବୈଠକ ଡକାଯାଇଥିଲା। ଯେଉଁଥିରେ ସର୍ବସମ୍ମତିକ୍ରମେ ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଥିଲା।ସେପଟେ ଏହି ଘଟଣାକୁ ନେଇ ଇସ୍ତଫା ଦେଇଛନ୍ତି ନେପାଳ ଗୃହମନ୍ତ୍ରୀ ରମେଶ ଲେଖାକ ।

ନୈତିକତା କାରଣରୁ ସେ ଇସ୍ତଫା ଦେଇଥିବା କୁହାଯାଇଛି । ଗତକାଲି ଏହି ଘଟଣାକୁ ନେଇ ୭ଟି ସହରରେ କର୍ଫ୍ୟୁ ଜାରି ହୋଇଥିଲା । କାଠମାଣ୍ଡୁସ୍ଥିତ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବାସଭବନ ନିକଟରେ କର୍ଫ୍ୟୁ ଜାରି ହୋଇଥିଲା । ଆନ୍ଦୋଳନକାରୀଙ୍କ ଉପରକୁ ପୋଲିସ ଲୁହବୁହା ଗ୍ୟାସ ଓ ପାଣିମାଡ଼ କରିଥିଲା । ୧୯୯୫ରେ ଜେନ ଜେଡର ଉତ୍ପତ୍ତି ଘଟିଥିଲା ଏବଂ ୧୮ରୁ ୩୦ ବର୍ଷ ବୟସର ଯୁବକ ଯୁବତୀମାନଙ୍କୁ ଏଥିରେ ସାମିଲ ହୋଇଥାନ୍ତି । ଦେଶରେ ଉତ୍ତେଜନା ପରେ ଭାରତ-ନେପାଳ ସୀମାରେ ସୁରକ୍ଷା ବଢାଇ ଦିଆଯାଇଥିଲା । ଯୋଗାଯୋଗ ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗ କହିଛନ୍ତି ଯେ ଏବେ ନେପାଳରେ ସମସ୍ତ ସାମାଜିକ ନେଟୱାର୍କିଂ ସାଇଟ୍ ହ୍ୱାଟ୍ସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍, ଏକ୍ସ (ଟ୍ୱିଟର) ଏବଂ ଅନ୍ୟାନ୍ୟ ୨୬ଟି ପ୍ଲାଟଫର୍ମ ସକ୍ରିୟ ହୋଇଗଲାଣି।

Latest Posts

Don't Miss