ମୋହନ ଯାଦବଙ୍କ ଗୁରୁ ନେପାଳୀ ବାବା, ୨୦୧୬ରେ କରିଥିଲେ ଭବିଷ୍ୟବାଣୀ

ଭୋପାଳ: ଡ. ମୋହନ ଯାଦବ ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ  । ବିଜେପି ତାଙ୍କ ନାମ ଘୋଷଣା  କରିବା ପରେ କର୍ମୀଙ୍କ ସହ ଅନେକ ନେତା ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ  । ମୋହନ ଯାଦବ ଶିକ୍ଷାମନ୍ତ୍ରୀରୁ ସିଧାସଳଖ ମୁଖ୍ୟମନ୍ତ୍ରୀ ସାଜିଥିଲେ  । କିନ୍ତୁ ଅଧିକାଂଶଙ୍କ କହିବା କଥା ଯେ ଏହା ପଛରେ ଅଯୋଧ୍ୟାର ନେପାଳୀ ବାବା ଙ୍କ ଆଶୀର୍ବାଦ ରହିଛି  । ଯିଏ କି ଉଜ୍ଜୈନ ମହାକୁମ୍ଭ ୨୦୧୬ରେ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଭବିଷ୍ୟବାଣୀ କରିଥିଲେ  । ମୋହନ ଯାଦବ ନେପାଳୀ ବାବାଙ୍କ ଶିଷ୍ୟ ଅଟନ୍ତି  ।

ନେପାଳୀ ବାବା ଓରଫ ଆତ୍ମାନନ୍ଦ ଦାସ ସ୍ବାମୀ  । ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରହୁଥିବା ବାବା ରାମଘାଟରେ ସୀତାରାମ ଆଶ୍ରମର ପ୍ରତିଷ୍ଠା କରିଛନ୍ତି  । ମୋହନ ଯାଦବ ମୁଖ୍ୟମନ୍ତ୍ରୀ ହେବା ପରେ ନେପାଲୀ ବାବା ତାଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟରେ ଶୁଭେଚ୍ଛା ଜଣାଇଛନ୍ତି  । ନେପାଲୀ ବାବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବି ସମର୍ଥକ ଅଟନ୍ତି  । ନିକଟରେ ସେ ମୋଦିଙ୍କୁ ରାମ ଅବତାର ଓ ଯୋଗୀ ଆଦିତ୍ୟନାଥଙ୍କୁ ଲକ୍ଷ୍ମଣ କହିଥିଲେ  । ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଯୋଗ ଦେବାକୁ ଥିବା ୫୦ ଲକ୍ଷ ସନ୍ଥଙ୍କ ସେ ଭୋଜନର ବନ୍ଦୋବସ୍ତ କରିବା ପାଇଁ ଘୋଷଣା କରି ଚର୍ଚ୍ଚାରେ ଅଛନ୍ତି  । ପୂର୍ବରୁ ବି ଉଜ୍ଜୈନର କୁମ୍ଭମେଳାରେ ୮୦ ହଜାର ଭକ୍ତଙ୍କୁ ମାଗଣାରେ ଖାଦ୍ୟ ବାଣ୍ଟିଥିଲେ  ।

ଆତ୍ମାନନ୍ଦ ଦାସ ସ୍ବାମୀ ଓରଫ ନେପାଳୀ ବାବାଙ୍କ ନାଁ ଶୁଣିଲେ ଯେ କେହିବି ଭାବିବେ ସେ ନେପାଳର ଅଟନ୍ତି  । କିନ୍ତୁ ନେପାଳ ସହ ତାଙ୍କର କୌଣସି ସମ୍ପର୍କ ନାହିଁ  । ନେପାଳରେ ଯେଉଁଠି ଭଗବାନ ରାମ ଶିବଧନୁ ଭାଙ୍ଗିଥିଲେ ସେଠାରେ ବାବା ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ  । ସେଠାରୁ ନ ଆସିବା ପାଇଁ ଭକ୍ତ ମାନେ ତାଙ୍କୁ ଅନୁରୋଧ କରିଥିଲେ  । ବରଂ ନେପାଳକୁ ନିଜ ସହ ନେବା ପାଇଁ ସେମାନେ ନିବେଦନ କରିଥିଲେ  । ଏହା ପରଠୁ ସେ ନେପାଳୀ ବାବା ନାମରେ ପରିଚିତ ହୋଇଥିଲେ  ।