ଶେର ବାହାଦୂର ଦେଉବାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଁ ନେପାଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କାଠମାଣ୍ଡୁ: ନେପାଳ ରାଜନୀତିରେ ହଟଚମଟ ଦେଖାଦେଇଛି । ନେପାଳୀ କଂଗ୍ରେସ ନେତା ଶେର ବାହାଦୂର ଦେଉବାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଅଧିଷ୍ଠିତ କରିବା ଲାଗି ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହାଛଡା ଭଙ୍ଗାଯାଇଥିବା ପ୍ରତିନିଧି ସଭାକୁ ଦ୍ୱିତୀୟ ଥର ଲାଗି ପୁନଃଅବସ୍ଥାପିତ କରିଛନ୍ତି ।

ଆସନ୍ତା ଦୁଇ ଦିନ ମଧ୍ୟରେ ଦେଉବାଙ୍କୁ ନିଯୁକ୍ତି ଦେବା ଲାଗି ସର୍ବୋଚ୍ଚ ଅଦାଲତ ଦେଇଛନ୍ତି ନିର୍ଦ୍ଦେଶ । ଗୃହରେ ଆସ୍ଥା ଭୋଟ ହରାଇ ଏକ ସଂଖ୍ୟାଲଘୁ ସରକାରରେ ପରିଣତ ହୋଇଥିବା ସତ୍ୱେ କେ.ପି. ଓଲି ପ୍ରଧାନମନ୍ତ୍ରୀ ହେବାର ମାତ୍ର ୨ ମାସ ପରେ ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଚୋଲେନ୍ଦ୍ର ସମସେର ରାଣାଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଷ୍ଟ୍ରପତି ଭଣ୍ଡାରୀଙ୍କ ଦ୍ୱାରା କରାଯାଇଥିବା ସଂସଦ ଭଙ୍ଗ ଆଦେଶକୁ ଅବୈଧ ଘୋଷଣା କରିବା ସହ ଓଲିଙ୍କ ପ୍ରଧାନମନ୍ତ୍ରୀତ୍ୱକୁ ଖାରଜ କରିଛନ୍ତି ।

୨୭୧ ସଦସ୍ୟ ବିଶିଷ୍ଟ ସଂସଦରେ ଦେଉବାଙ୍କ ସପକ୍ଷରେ ୧୪୯ ସଦସ୍ୟଙ୍କ ସ୍ୱାକ୍ଷର ସମ୍ବଳିତ ପ୍ରସ୍ତାବକୁ ରାଷ୍ଟ୍ରପତି ଭଣ୍ଡାରୀ ରଦ୍ଦ କରିଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିକଟରେ ଏହି ସାଂସଦମାନେ ଆବେଦନ କରିଥିଲେ ଯେ ରାଷ୍ଟ୍ରପତିଙ୍କ ଦ୍ୱାରା ସାମ୍ବିଧାନିକ ଉଲ୍ଲଂଘନ ହୋଇଛି । ଏହି ଆବେଦନର ଶୁଣାଣି କ୍ରମେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply