ମହଙ୍ଗା ପଡିଲା ଠାକୁର ଦର୍ଶନ: ବଡ଼ଚଣା ନିଲମ୍ବିତ ଆଇଆଇସିଙ୍କ ବିରୋଧରେ ନୂଆ ମାମଲା

ଭୁବନେଶ୍ୱର: ଲକ୍‌ଡାଉନ୍‌ ବେଳେ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ଯାଜପୁର ଜିଲ୍ଲା ବଡ଼ଚଣା ଥାନାର ନିଲମ୍ବିତ ଅଧିକାରୀ ଦୀପକ ଜେନାଙ୍କ ନାଁରେ ବଡ଼ଚଣା ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି । ତେବେ ଗତ କାଲି ଆଇଆଇସି ଦୀପକ କୁମାର ଜେନାଙ୍କୁ ପୋଲିସ ଡିଜି ଅଭୟ ସସ୍‌ପେଣ୍ଡ କରିଥିଲେ । ଏନେଇ ଯାଜପୁର ଏସ୍‌ପି ଟୁଇଟ୍‌ କରି ସୂଚନା ଦେଇଛନ୍ତି । କାର୍ଯ୍ୟରେ ଅବହେଳା ଓ ଲକ୍‌ଡାଉନ୍‌ ନିୟମ ଉଲଂଘନ କରିଥିବା ଅଭିଯୋଗରେ ସାନି ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ ପାଇଁ ବଡଚଣା ଏସ୍‌ଡିପିଓଙ୍କୁ ଯାଜପୁର ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି । ଗତ ରବିବାର ସନ୍ଧ୍ୟାରେ ଲକ୍‌ଡାଉନ ନିୟମ ଉଲଂଘନ କରି ଜୋର ଜବରଦସ୍ତ ପରିବାର ସହିତ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ ବଡଚଣା ଥାନାର ଅଧିକାରୀ ଦୀପକ ଜେନା । ଏଥିସହ ପୋଲିସ ସିଜ୍‌ କରିଥିବା ଏକ ପ୍ରାଇଭେଟ ଗାଡିକୁ ସେ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ।

ରିପୋର୍ଟ ଅନୁସାରେ ତାଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଏବେ ତାଙ୍କ ନାଁରେ ନୂଆ ମାମଲା ରୁଜୁ କରାଯାଇଛି । ଲକ୍‌ଡାଉନ୍‌ କଟକଣା ଭାଙ୍ଗି ରବିବାର ଦିନ ୩ ଜଣ  ମହିଳାଙ୍କ ସହିତ ବଡ଼ଚଣା ଥାନା ଆଇଆଇସି ଦୀପକ ଜେନା ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ । ଦକ୍ଷିଣଦ୍ଵାରରେ ନିୟୋଜିତ ଜେଟିପି ବାରଣ ସତ୍ତ୍ଵେ ସେ ଶ୍ରୀମନ୍ଦିରରେ ଜୋର ଜବରଦସ୍ତ ପ୍ରବେଶ କରିଥିଲେ । ଶ୍ରୀମନ୍ଦିର ଭିତରେ ସେବାୟତ ଦେଖିବା ପରେ ଖବର ଚର୍ଚ୍ଚାକୁ ଆସିଥିଲା । ଏନେଇ ପୁରୀ ସିଂହଦ୍ଵାର ଥାନାରେ ମାମଲା ରୁଜୁ ହୋଇଥିଲା । ଏହା ପରେ ପୋଲିସ ଡିଜି ଅଭୟ ତାଙ୍କୁ ଚାକିରିରୁ ସସ୍‌ପେଣ୍ଡ କରିଛନ୍ତି ।

Leave a Reply