ଅନ୍ତଃରାଷ୍ଟ୍ରୀୟ ରେଟିଂ ସଂସ୍ଥା ଭାରତକୁ ଦେଇ ଚାଲିଥିବା ରେଟିଂକୁ ନେଇ ନୂଆ ବିତର୍କ

1 min read

ଭୁବନେଶ୍ବର: ଦରଦାମ କମୁନି କି ଖାଉଟିଙ୍କୁ ନିସ୍ତାର ମିଳୁନି । ତଥାପି ଦେଶ ଆର୍ଥିକ କ୍ଷେତ୍ରରେ ଉନ୍ନତି କରୁଛି । ହେଲେ ଅନ୍ତଃରାଷ୍ଟ୍ରୀୟ ରେଟିଂ ସଂସ୍ଥା ଭାରତର ଆର୍ଥିକ ରେଟିଂକୁ ୧୫ ବର୍ଷ ଧରି ଅପରିବର୍ତ୍ତିତ ରଖୁଛନ୍ତି । ଏହା ଗ୍ରହଣୀୟ ନୁହେଁ । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ରେଟିଂ ଏଜେନ୍ସି ଉପରେ ଅସନ୍ତୋଷ ଦେଶରେ ସୃଷ୍ଟି କରିଛି ନୂଆ ବିତର୍କ । ଆର୍ଥିକ ପରିଚାଳନା ସଠିକ କରିବାକୁ ରାଜ୍ୟକୁ ପରାମର୍ଶ ଦେଇ ଚାଲିଛି କେନ୍ଦ୍ର । ଅଥଚ ନିଜ ନିୟମ ନିଜେ ପାଳନ କରିପାରିନାହାନ୍ତି । କେନ୍ଦ୍ର ସରକାର ନିଜେ ଆତ୍ମ ବିଶ୍ଲେଷଣ କରିବା ଦରକାର ବୋଲି ମତ ପ୍ରକାଶ ପାଇଛି ।

ଭାରତର ଆର୍ଥିକ ପ୍ରଗତି ଆନ୍ତର୍ଜାତିକ ରେଟିଂ ଏଜେନ୍ସିକୁ ଦେଖାଯାଉନି । ମୁଡି, ଫିଚ୍, ଷ୍ଟାଣ୍ଡାର୍ଡ ଆଣ୍ଡ ପୁଅର୍ ରେଟିଂ ଏଜେନ୍ସିଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଲେ କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି.ଅନନ୍ତ ନାଗେଶ୍ବରନ୍ । ୨୦୦୮ରେ ଆର୍ଥିକ ପ୍ରଗତିରେ ଦ୍ବାଦଶ ସ୍ଥାନରେ ଥିବା ଦେଶ ଆଜି ପଞ୍ଚମ ସ୍ଥାନରେ ପହଞ୍ଚିଲାଣି । କିନ୍ତୁ ୧୫ ବର୍ଷ ଧରି ଭାରତର ସୋଭେରିନ୍ ରେଟିଂ BBBରେ ଅପରିବର୍ତ୍ତିତ ରହିଛି । ଏସବୁ ଆନ୍ତର୍ଜାତିକ ରେଟିଂ ଏଜେନ୍ସି କେତେବେଳେ କ’ଣ କହୁଛନ୍ତି ତାହାର ତାଳମେଳ ରହୁନି ।

ନାଗେଶ୍ବରନଙ୍କ ଏପରି ମନ୍ତବ୍ୟ ଏବେ ସୃଷ୍ଟି କରିଛି ନୂଆ ବିତର୍କ । ଆନ୍ତର୍ଜାତିକ ରେଟିଂ ସଂସ୍ଥା ଯଦି ବାସ୍ତବରେ ପାତରଅନ୍ତର କରୁଥାନ୍ତି ତାହା ନିନ୍ଦନୀୟ । ତା’ସହ କେନ୍ଦ୍ର ସରକାର ନିଜେ ନିଜକୁ ଆତ୍ମସମୀକ୍ଷା କରିବା ଦରକାର । ଏବେର କେନ୍ଦ୍ର ସରକାର କ୍ଷମତାକୁ ଆସିବା ପରଠୁ ଦରଦାମ ନିୟନ୍ତ୍ରଣରେ ନାହିଁ । ଗଲା ନଭେମ୍ବରରେ ପାଇକରୀ ମୁଦ୍ରାସ୍ଫୀତି ସବୁ ରେକର୍ଡ ଭାଙ୍ଗିଲା । କରୋନା ପୂର୍ବରୁ ଓ ପରେ ବେରୋଜଗାରୀ ବଢି ଚାଲିଛି । କ୍ଷୁଧା ସୂଚକାଙ୍କ, ନିରନ୍ତର ବିକାଶ ଲକ୍ଷ୍ୟ, ମାନବସମ୍ବଳ ବିକାଶ ସୂଚକାଙ୍କରେ ଭାରତ ଅନ୍ୟ ଦେଶ ତୁଳନାରେ ପଛରେ ପଡିଛି । ସଂଘୀୟ ବ୍ୟବସ୍ଥାରେ ଅଣ ବିଜେପି ଶାସିତ ରାଜ୍ୟଙ୍କୁ ଏବେ କେନ୍ଦ୍ର ଅବହେଳାର ଶିକାର ହେବାକୁ ପଡୁଛି । ଏସବୁ କାହିଁକି କେନ୍ଦ୍ରର ଆଖି ଦେଖାଯାଉନି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ।

ଭାରତର ରେଟିଂ ଅପରିବର୍ତ୍ତିତ ରହିବାରୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଭାରତକୁ ପୁଞ୍ଜି ଆସିବାରେ ଅନ୍ତରାୟ ସୃଷ୍ଟି କରୁଛି । ଏକଥା ସତ, କିନ୍ତୁ ରେଟିଂ ପାଇଁ ଧାର୍ଯ୍ୟ ୬ଟି ସର୍ତ୍ତକୁ କେନ୍ଦ୍ର ସରକାର ପୂରଣ କରିପାରିନାହାନ୍ତି । ମୁଣ୍ଡପିଛା ଆୟ, ମୁଦ୍ରାସ୍ଫୀତି, ବେରୋଜଗାରୀ, ଚଳନ୍ତି ଖାତା ନିଅଣ୍ଟ, ଋଣଭାର, ଡଲାର ତୁଳନାରେ ମୁଦ୍ରା ବିନିମୟ । ଏହି ୬ଟିରେ ଭାରତ ଏପର୍ଯ୍ୟନ୍ତ ସଫଳତା ପାଇନି । ପେଟ୍ରୋଲ-ଡିଜେଲ ମୂଲ୍ୟ କମୁନି । ମହଙ୍ଗା ମାଡ଼ରେ ସନ୍ତୁଳି ହେଉଛନ୍ତି ଲୋକେ । ଖୋଦ ରିଜର୍ଭ ବ୍ୟାଙ୍କ ମଧ୍ୟ ଏକାଧିକ ଥର ମୁଦ୍ରାନୀତି ସଂଶୋଧନ କରି ବି ଲାଭ ମିଳୁନି । କେନ୍ଦ୍ର ସରକାରଙ୍କ ଅଖିକୁ କ’ଣ ଏହା ଦିଶୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅର୍ଥନୀତି ସମୀକ୍ଷକ ପ୍ରଦୀପ ପଣ୍ଡା ।

ଦେଶ ଆର୍ଥିକ ପ୍ରଗତି କରୁ, ଏକଥା ତ ସମସ୍ତେ ଚାହାଁନ୍ତି । କିନ୍ତୁ ବାସ୍ତବ ଅଭିବୃଦ୍ଧି ବଦଳରେ ନାମମାତ୍ର ଅଭିବୃଦ୍ଧିକୁ ନେଇ ଉତ୍ସାହିତ ହେବା ଆଦୌ ଗ୍ରହଣୀୟ ନୁହେଁ । ତା’ ସହିତ ଦେଶରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ଆର୍ଥିକ ମାନଦଣ୍ଡରେ କିପରି ଉନ୍ନତି ଆସିବ ସେ ନେଇ ପଦକ୍ଷେପ ନେବା କେନ୍ଦ୍ର ସରକାରଙ୍କ ଦାୟିତ୍ବ ।