ଆଗାମୀ ୪୦ ଦିନ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ, ଜାନୁଆରୀରୁ ବଢ଼ିପାରେ କରୋନା ମାମଲା

1 min read

ନୂଆଦିଲ୍ଲୀ:  ସାରା ବିଶ୍ୱରେ ପୁଣିଥରେ କରୋନା ଆତଙ୍କ ଖେଳାଇଛି । ଅନ୍ୟ ଦେଶରେ କରୋନାର ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ଆଲର୍ଟରେ ରହିଛି । କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଆଗାମୀ ୪୦ ଦିନ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । ଭାରତରେ ଜାନୁଆରୀ ମାସରୁ କରୋନା ମାମଲାରେ ମଧ୍ୟ ବୃଦ୍ଧି ଘଟିପାରେ । ଗତଥରର ଟ୍ରେଣ୍ଡକୁ ଦେଖି ଏହି ଅନୁମାନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ପୂର୍ବରୁ ଏପରି ଦେଖାଯାଇଥିଲା ଯେ, ଇଷ୍ଟ ଏସିଆକୁ ପ୍ରଭାବିତ କରିବାର ୩୦ ରୁ ୩୫ ଦିନ ପରେ ହିଁ ଭାରତରେ କୋଭିଡ-୧୯ର ନୂଆ ଲହର ପହଞ୍ଚିଥିଲା । ସେଥିପାଇଁ ଏହା ଏକ ଟ୍ରେଣ୍ଡ ହୋଇଯାଇଛି । ଏହାରି ଆଧାରରେ ହିଁ ଏହି ଦାବି କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବିଶେଷଜ୍ଞଙ୍କ ଅନୁସାରେ, ଚୀନରେ ଆସିଥିବା କୋଭିଡ ଲହରର କାରଣ ଓମିକ୍ରନର ସବ ଭାରିଆଣ୍ଟ ବିଏଫ.୭ ଅଟେ । ଏହି ସବ ଭାରିଆଣ୍ଟ ଦ୍ରୁତ ଗତିରେ ସଂକ୍ରମଣ ସ୍ପ୍ରେଡ କରିଥାଏ ଏବଂ ଏକ ସମୟରେ ୧୬ ଜଣଙ୍କୁ ସଂକ୍ରମିତ କରିବାର କ୍ଷମତା ରଖିଛି ।

ଚୀନ ସମେତ କିଛି ଦେଶରେ କୋଭିଡ-୧୯ ମାମଲା ଦ୍ରୁତ ଗତିରେ ବୃଦ୍ଧି ମଧ୍ୟରେ କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟଗୁଡ଼ିକୁ ସମସ୍ତ କୋଭିଡ ହସ୍ପିଟାଲରେ ମକ ଡ୍ରିଲ କରିବାକୁ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଥିଲା । ଏହାପରେ ସମସ୍ତ ରାଜ୍ୟ କରୋନା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ, ଉପକରଣ ଏବଂ ମାନବ ସମ୍ବଳ ପ୍ରସ୍ତୁତ ରଖିବା ଆବଶ୍ୟକ ଅଟେ । ସାରା ବିଶ୍ୱରେ କରୋନାର ମାମଲା ବୃଦ୍ଧି ପାଉଛି ଏବଂ ଭାରତରେ ମଧ୍ୟ ସଂକ୍ରମଣରେ ବୃଦ୍ଧି ଘଟିପାରେ । ଏଥିପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ପଡ଼ିବ । ସେ କହିଥିଲେ ଯେ, ଲୋକଙ୍କୁ ଯେମିତି କୌଣସି ସମସ୍ୟା ନହେବ ସେଥିପାଇଁ ସରକାରୀ ଏବଂ ଘରୋଇ ହସ୍ପିଟାଲରେ ସମସ୍ତ ପ୍ରକାର ସୁବିଧା କରାଯାଉ ।

ସୂଚନାଥାଉକି ଆଜି ଭାରତରେ ଗୋଟିଏ ଦିନରେ କରୋନା ଭାଇରସ୍ ସଂକ୍ରମଣର ୧୮୮ ନୂଆ ମାମଲା ସାମ୍ନାକୁ ଆସିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୪ କୋଟି ୪୬ ଲକ୍ଷ ୭୭ ହଜାର ୬୪୭ରେ ପହଞ୍ଚିଛି । ସେହିପରି ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୩,୪୬୮ ହୋଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୩୦ ହଜାର ୬୯୬ ଜଣଙ୍କ ମୃତ୍ୟୁ ହୋଇସାରିଛି ।