ରାଜ୍ୟରେ ଫେରିଲା ନାଇଟ କର୍ଫ୍ୟୁ, ସଂକ୍ରମଣ ବଢ଼ୁଛି କଟକଣା କଡ଼ାକଡ଼ି ହେଉଛି ! ହେବ କି ଲକ୍‌ ଡାଉନ୍‌

1 min read
Night Curfew

ମାଲକାନଗିରି: ମାଲାକାନଗିରିକୁ ଫେରିଲା ନାଇଟ କର୍ଫ୍ୟୁ । ମାର୍ଚ୍ଚ ୨୩ ରୁ ୩୧ ତାରିଖ ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ ବୋଲି କୁହାଯାଇଛି । ରାତି ୯ରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ମାଲକାନଗିରି ବଡ଼ଯାତ୍ରାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । ଓଡ଼ିଶାରେ ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ କଟକଣା ପୁଣି କଡ଼ାକଡ଼ି କରାଯାଉଛି । ସ୍ଥାନୀୟ ପ୍ରଶାସନକୁ ଏଥିପ୍ରତି ଗୁରୁତ୍ୱ ଦେବାକୁ ମଧ୍ୟ କୁହାଯାଉଛି । କରୋନାକୁ ମାତ୍‌ ଦେବାକୁ ହେଲେ କଟକଣା କଡ଼ାକଡ଼ି କରିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ପୂର୍ବରୁ କହିଛନ୍ତି । ତେବେ ଆବଶ୍ୟକ ପଡ଼ିଲେ ଲକ୍‌ଡାଉନ୍‌ ମଧ୍ୟ ହୋଇପାରେ ବୋଲି କୁହାଯାଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କହିଥିଲେ ଯେ, କରୋନା ସହ ଲଢ଼ିବାର ଅଭିଜ୍ଞତା ରହିଛି । ତେଣୁ ଆବଶ୍ୟକ ପଡ଼ିଲେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ମଧ୍ୟ ଘୋଷଣା କରାଯାଇପାରିବ । ସ୍ଥାନୀୟ ପ୍ରଶାସନ ଏନେଇ ନିଷ୍ପତି ନେବ ।

ସେହିଭଳି କରୋନା ପ୍ରସଂଗରେ DMET ନିର୍ଦ୍ଦେଶକ ଡ. ସିବିକେ ମହାନ୍ତି ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବିଗତ ଏକ ବର୍ଷରେ ଯାହା ଅନୁଭବ ପାଇଛୁ, ତାକୁ ପାଥେୟ କରି ପଦକ୍ଷେପ ନେବୁ । ଆମ ରାଜ୍ୟରେ ପ୍ରସ୍ତୁତି ସବୁ ଦିନ ପାଇଁ ରହିଛି । ଏହାକୁ ଅଧାର କରି ଆଗାମୀ ସମୟରେ ପଦକ୍ଷେପ ନିଆଯିବ । ରାଜ୍ୟର ଅଳ୍ପ କେତୋଟି ସ୍କୁଲ, କଲେଜରେ ସଂକ୍ରମିତ ବାହାରିଛି । ଯଦି ଆବଶ୍ୟକ ହୁଏ ଅନ୍ୟ ରାଜ୍ୟ ଭଳି ଏଠି ବି ଲକ୍‌ଡାଉନ୍‌ କରାଯିବ । ହସ୍ପିଟାଲର ମୂଳ ଲକ୍ଷ ଚିକିତ୍ସା ଯୋଗାଇବା, ଦରକାର ପଡିଲେ ନିଶ୍ଚୟ ବେଡ୍‌ ସଂଖ୍ୟା ବଢାଯିବ । ଏଥିରେ ଦ୍ୱିମତ ନାହିଁ । ରାଜ୍ୟରେ ଲକ୍‌ଡାଉନ୍‌ ଭଳି ପରିସ୍ଥିତିକୁ ଏଡ଼ାଇବାକୁ ହେଲେ ସମସ୍ତେ ନିୟମ ମାନିବା ଦରକାର, ସରକାର ପଦକ୍ଷେପ ନେଉଛନ୍ତି, ହେଲେ ଲୋକମାନେ ଏହାକୁ ମାନିବା କଥା । ଲୋକ ନିଜେ ସମୀକ୍ଷା କରିବା କଥା, ଯେ ସେମାନେ କେତେ ନିୟମ ମାନୁଛନ୍ତି । କୋଭିଡ୍‌ ସଂପର୍କରେ ସମୀକ୍ଷା ଏକ ନିୟମିତ ପ୍ରକିୟା, ଦରକାର ପଡିଲେ ଉଚ୍ଚ ସ୍ତରୀୟ ବୈଠକ ହେବ । ଅନ୍ୟ ରାଜ୍ୟ ଭଳି କଟକଣା ଜାରି ହୋଇପାରେ ।

ସେହିଭଳି ସୋମବାର ବିଏମ୍‌ସି କମିଶନର ପ୍ରେମ୍‌ଚାନ୍ଦ ଚୌଧୁରୀ ମଧ୍ୟ କରୋନା ସଂକ୍ରମଣକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଗତ ସପ୍ତାହ ହେଲା ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କ ଛୁଉଁଛି । ତେଣୁ ଏହାକୁ ରୋକିବାକୁ ହେଲେ ପ୍ରଶାସନକୁ କଡ଼ା ପଦକ୍ଷେପ ନେବାକୁ ପଡ଼ିବ । ପୋଲିସ ପ୍ରଶାସନ ମାସ୍କ ବ୍ୟବହାର ଓ ସାମଜିକ ଦୂରତା ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ସାଧାରଣ ଲୋକ ଯେପରି ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ଅବଲମ୍ବନ କରିବେ ତାହା ଉପରେ ବିଏମ୍‌ସି ଓ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ନଜର ରହିବ । ଏଣିକି ଆଉ ଅବହେଳାକୁ ବରଦାସ୍ତ କରାଯିବନି । ରେଗୁଲାର ଚେକିଂ ହେବ । ଏନ୍‌ଫୋର୍ସମେଣ୍ଟ ଟିମ୍‌ ଏଣିକି ପ୍ରତ୍ୟେକ ଦିନ ଚଢ଼ାଉ କରିବେ ।

Leave a Reply