spot_img

Latest Posts

ବର୍ଷେ ଜେଲରେ ରହିବା ପରେ ମୁକୁଳିଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ବୁଧବାର ଜେଲରୁ ମୁକୁଳିଛନ୍ତି । ଆର୍ଥର ରୋଡ ଜେଲରେ ବର୍ଷେ ରହିବା ପରେ ଆଜି ମୁକୁଳିଛନ୍ତି । ବାହାରକୁ ଆସିବା ପରେ ସେ ହାତ ଯୋଡ଼ି ସମର୍ଥକଙ୍କ ଅଭିବାଦନ କରିଥିଲେ । ଦୁର୍ନୀତି ମାଲମାରେ ଜାମିନ ଆଦେଶ ଉପରେ ରୋକ ଲଗାଇବାକୁ ବମ୍ବେ ହାଇକୋର୍ଟ ମନା କରିବା ପରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଜେଲରୁ ମୁକ୍ତ କରାଯାଇଛି । ଏନସିପି ନେତା ଅଜିତ ପୱାର କହିଛନ୍ତି ଯେ ଆମେ ବହୁତ ଖୁସି ଅଛୁ ।

ଶେଷରେ ନ୍ୟାୟ ମିଳିଲା । ଅନିଲ ଦେଶମୁଖ ଦୀର୍ଘ ସମୟ ହେବ ଜେଲରେ ରହିଥିଲେ । ଏନସିପିର ଅନେକ କର୍ମକର୍ତ୍ତା ମୁମ୍ବାଇର ଆର୍ଥର ରୋଡ ଜେଲ ବାହାରେ ସ୍ୱାଗତରେ ଏକାଠି ହୋଇଥିଲେ ଏବଂ ତାଙ୍କ ସମର୍ଥନରେ ନାରାବାଜୀ କରିଥିଲେ । ପ୍ରକାଶଥାଉକି, ବମ୍ବେ ହାଇକୋର୍ଟ ସିବିଆଇ ପକ୍ଷରୁ ରୁଜୁ ଦୁର୍ନୀତିର ଏକ ମାମଲାରେ ଅନିଲ ଦେଶମୁଖଙ୍କୁ ଜାମିନ ଦେବାର ଆଦେଶ ଉପରେ ସ୍ଥଗିତାଦେଶ ବଢ଼ାଇବା ପାଇଁ ମଙ୍ଗଳବାର ମନା କରିଦେଇଥିଲେ ।

ଜଷ୍ଟିସ ଏମଏସ କାର୍ଣ୍ଣିକ ଏନସିପି ନେତା ଅନିଲଙ୍କୁ ୧୨ ଡିସେମ୍ବରରେ ଜାମିନ ଦେଇଥିଲେ, କିନ୍ତୁ ସିବିଆଇ ଏହି ମାମଲାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବା ପାଇଁ ସମୟ ମାଗିଥିଲା ଏବଂ କୋର୍ଟ ଜାମିନ ଆଦେଶ ଉପରେ ୧୦ ଦିନ ପାଇଁ ରୋକ ଲଗାଇ ଦେଇଥିଲେ । ଯାହା ଗତକାଲି ଶେଷ ହୋଇଥିଲା । ଅନିଲ ଦେଶମୁଖ ନଭେମ୍ବର ୨୦୨୧ରୁ ଜେଲରେ ଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରିଥିଲା ।

ସିବିଆଇ ଚଳିତ ବର୍ଷ ଏପ୍ରିଲରେ ଦୁର୍ନୀତିର ଏକ ମାମଲାରେ ତାଙ୍କୁ ଗିରଫ କରିଥିଲା । ଦେଶମୁଖ ନିଜ ବିରୋଧରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ । ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ମାର୍ଚ୍ଚ ୨୦୨୧ରେ ଆରୋପ ଲଗାଇଥିଲେ ଯେ ତତ୍କାଳୀନ ଗୃହମନ୍ତ୍ରୀ ଦେଶମୁଖ ପୋଲିସ ଅଧିକାରୀଙ୍କୁ ମୁମ୍ବାଇର ରେଷ୍ଟୁରାଣ୍ଟ ଏବଂ ବାରରୁ ପ୍ରତି ମାସରେ ୧୦୦ କୋଟି ଟଙ୍କା ଆଦାୟ କରିବାକୁ ଟାର୍ଗେଟ ଦେଇଥିଲେ ।

Latest Posts

Don't Miss