ଭୁବନେଶ୍ବର : ଭୁବନେଶ୍ୱର ନୀଳାଦ୍ରି ବିହାରରେ ସତ୍ୟବ୍ରତ ପ୍ରଧାନ ହତ୍ୟାକାଣ୍ଡ ଘଟଣା। ଜଗତସିଂହପୁର ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ ଦିନେଶ କାଣ୍ଡି । ଭୁବନେଶ୍ୱର କମିଶନରେଟ ପୋଲିସ ଜଗତସିଂହପୁର ଥାନାରେ ପହଞ୍ଚି ଅଭିଯୁକ୍ତ ଦିନେଶକୁ ନିଜ ହେପଜାତକୁ ନେଇଆସିଛି । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନର୍ଗତ ନୀଳାଦ୍ରି ବିହାର ସେକ୍ଟର ୨ ଅଂଚଳରେ ପ୍ରେମ ସପ୍ତାହରେ ତ୍ରିକୋଣୀୟ ପ୍ରେମରୁ ଯୁବକକୁ ଅତି ବୀଭତ୍ସ ଭାବେ ତଣ୍ଟି କାଟି ହତ୍ୟା କରାଯାଇଥିଲା । ଏହାକୁ ପୂର୍ବତନ ପ୍ରେମିକ ଓ ପ୍ରେମିକା ଦ୍ବିତୀୟ ପ୍ରେମିକର ତଣ୍ଟି କାଟିଥିବା ନେଇ ଅଭିଯୋଗ ହେଇଥିଲା । ହତ୍ୟାକାଣ୍ଡ ପରେ ପୂର୍ବତନ ପ୍ରେମିକ ତଥା ମୁଖ୍ୟ ଅଭିଯୁକ୍ତ ଦିନେଶ କାଣ୍ଡି ଫେରାର ହୋଇଯାଇଥିଲା ।
ଦିନେଶ କାଣ୍ଡି ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଜଗତସିଂହପୁର ଥାନାରେ ଆତ୍ମସମର୍ପଣ କରିଥିଲା। ଦିନେଶର ଘର ବାଲିକୁଦା ଥାନା ଅରିଲ ଗ୍ରାମରେ ବୋଲି ସୂଚନା ମିଳିଛି । ଦିନେଶ ନାଁରେ ପୂର୍ବରୁ ଅନେକ ମାମଲା ରହିଛି ବୋଲି ପ୍ରକାଶ ପାଇଛି । ଦୀର୍ଘ ଆଠ ମାସରୁ ଉର୍ଦ୍ଧ୍ବ ହେବ ଦିନେଶ ଲିଜା ସ୍ୱାମୀ ସ୍ତ୍ରୀର ପରିଚୟ ଦେଇ ଭଡାରେ ରହୁଥିଲେ । ଲିଜା ନନ୍ଦନକାନନ ଅଂଚଳରେ ଏକ ସ୍ପାରେ କାର୍ଯ୍ୟ କରୁଥିଲା । ସତ୍ୟବ୍ରତ ଭୁବନେଶ୍ୱରରେ ଏକ ଟ୍ୟାକ୍ସି ଡ୍ରାଇଭର ଥିଲା । ସତ୍ୟବ୍ରତ ସଂସ୍ପର୍ଶରେ ଲିଜା ଆସିଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ଼ ହୋଇଥିଲା। ଉଭୟ ମିଳା ମିଶା ମଧ୍ୟରେ ଲିଜ଼ାର ପୂର୍ବରୁ ଦିନେଶ ସହ ସମ୍ପର୍କ ଥିବା ସତ୍ୟବ୍ରତ ଜାଣିବାକୁ ପାଇଥିଲା। ଏହାକୁ ନେଇ ଲିଜା ଓ ସତ୍ୟବ୍ରତ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେପଟେ ଲିଜା ସହ ସତ୍ୟବ୍ରତର ସଂପର୍କ କଥା ମଧ୍ୟ ଦିନେଶ ଜାଣି ପାରିଥିଲା। ତ୍ରିକୋଣୀୟ ପ୍ରେମରେ ଲିଜା ଫସି ଯାଇଥିଲା। ଆଉ ଟ୍ୟାକ୍ସି ଟ୍ରାଇଭର ସତ୍ୟବ୍ରତକୁ ରାସ୍ତାରୁ ହଟେଇବା ଲାଗି ଲିଜା ଓ ଦିନେଶ ମିଶି ଯୋଜନା କରିଥିଲେ। ରବିବାର ରାତିରେ ସତ୍ୟବ୍ରତକୁ ଡାକିଥିଲେ ଏବଂ ସେଠାରେ ସତ୍ୟବ୍ରତର ତଣ୍ଟି କାଟି ହତ୍ୟା କରାଯାଇଥିଲା।

