ରାଜ୍ୟ ସରକାରଙ୍କ ସର୍ବଶ୍ରେଷ୍ଠ ୩ଟି ଯୋଜନାକୁ ନୀତି ଆଯୋଗଙ୍କ ପ୍ରଶଂସା

ଭୁବନେଶ୍ବର: ମିଲେଟ କ୍ଷେତ୍ରରେ ଓଡିଶା ମିଲେଟ ମିଶନର ଅବଦାନକୁ ଜାତୀୟ ସ୍ତରରେ ମିଳିଛି ପ୍ରଶଂସା । ନିମୋନିଆ ଓ ଡାଇରିଆ ଭଳି ରୋଗର ନିୟନ୍ତ୍ରଣ ଯୋଗୁଁ ରାଜ୍ୟରେ କମିଛି ଶିଶୁ ମୃତ୍ୟୁ ହାର । ଏହାସହ କୋରାପୁଟ ଭଳି ଆଦିବାସୀ ବହୁଳ ଅଞ୍ଚଳରେ କମ୍ୟୁନିଟି ରେଡ଼ିଓ ମାଧ୍ୟମରେ ସଚେତନତା ବାର୍ତ୍ତା ପହଞ୍ଚାଇବା ଭଳି ପଦକ୍ଷେପକୁ ନୀତି ଆୟୋଗଙ୍କ ପ୍ରଶଂସା । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତୀ ଉପଲ୍ଲକ୍ଷେ ନୀତି ଆୟୋଗ ଦେଶର ୭୫ଟି ବେଷ୍ଟ ପ୍ରାକ୍ଟିସକୁ ନେଇ ପ୍ରକାଶ କରିଛି ସ୍ୱତନ୍ତ୍ର ସୋସିଆଲ ସେକ୍ଟର ରିପୋର୍ଟ ।

ଓଡ଼ିଶା ମିଲେଟ ମିଶନ ଦେଇଛି ନୂଆ ପରିଚୟ । ସବୁଠି ଓଡ଼ିଶା ପାଇଛି ସଫଳତା । ଶିଶୁ ମୃତ୍ୟୁହାର କମାଇବାରେ ଓଡ଼ିଶା ଜାତୀୟ ହାରଠାରୁ ଆଗରେ । ଯୋଗାଯୋଗ କ୍ଷେତ୍ରରେ ବି କମ୍ୟୁନିଟି ରେଡ଼ିଓ କରୁଛି କମାଲ । ଓଡ଼ିଶାର ୩ଟି ସରକାରୀ କାର୍ଯ୍ୟକ୍ରମକୁ ନୀତି ଆୟୋଗଙ୍କ ପ୍ରଶଂସା । ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲ୍ଲକ୍ଷେ ବିଭିନ୍ନ ରାଜ୍ୟର ୭୫ଟି ସର୍ବଶ୍ରେଷ୍ଠ କାର୍ଯ୍ୟକ୍ରମକୁ ନେଇ ନୀତି ଆୟୋଗ ପ୍ରକାଶ କରିଛି ସ୍ବତନ୍ତ୍ର ରିପୋର୍ଟ । ‘ବେଷ୍ଟ ପ୍ରାକ୍ଟିସ ଇନ୍ ସୋସିଆଲ ସେକ୍ଟର: ଏ କମ୍ପେଡ଼ିୟମ ୨୦୨୩’ ରିପୋର୍ଟରେ ସାମାଜିକ କ୍ଷେତ୍ରରେ ବିଭିନ୍ନ ରାଜ୍ୟ ସରକାର ନେଉଥିବା ଭଲ ପଦକ୍ଷେପକୁ ପ୍ରଶଂସା କରାଯାଇଛି । ଏପରିକି ସବୁ ସର୍ବଶ୍ରେଷ୍ଠ କାର୍ଯ୍ୟକ୍ରମକୁ ଅନ୍ୟମାନେ ଅନୁକରଣ କରିବା ଉଚିତ ବୋଲି ନୀତି ଆୟୋଗ ପରାମର୍ଶ ଦେଇଛି ।

ରାଜ୍ୟରେ ମିଲେଟ ଚାଷ ବୃଦ୍ଧି ସହ ବ୍ୟାପକ ବ୍ୟବହାର ଉପରେ ଗୁରୁତ୍ବ ଦେଉଛି ଓଡ଼ିଶା । ୨୦୧୭ରୁ ୫ ଜିଲ୍ଲାରେ ଆରମ୍ଭ ହୋଇଥିବା ଓଡ଼ିଶା ମିଲେଟ ମିଶନ ଏବେ ୩୦ ଜିଲ୍ଲାର ୧୭୭ ବ୍ଲକରେ କାମ କରୁଛି । ଏହାକୁ ଛତିଶଗଡ଼ ଓ ମହାରାଷ୍ଟ୍ର ସରକାର ଅନୁକରଣ କରିଛନ୍ତି । ଓଡ଼ିଶା ମିଲେଟ ମିଶନ ବିଷୟରେ ଅଧିକ ଜାଣିବା ପାଇଁ କେନ୍ଦ୍ର ସରକାର ଏକ ଟାସ୍କ ଫୋର୍ସ ଗଠନ କରିବା ସହ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ ଏହା ଉପରେ ଗବେଷଣା କରୁଛି । ସେହିପରି ନିମୋନିଆ ଓ ଡାଇରିଆ ରୋଗର ନିରାକରଣ ପାଇଁ ରାଜ୍ୟ ସରକାର ଏଚବିଏନସି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି  । ଘରେ ନବଜାତ ଶିଶୁଙ୍କ ଯତ୍ନ ନେବା ପାଇଁ ଏହି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ବୋଲି ନୀତି ଆୟୋଗ ମତ ଦେଇଛି । ଏହାଦ୍ବାରା ରାଜ୍ୟରେ ଶିଶୁ ମୃତ୍ୟୁହାର କମିପାରିଛି । କୋରାପୁଟ ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଉତ୍ତମ ଯୋଗାଯୋଗ ପାଇଁ ଜିଲ୍ଲା ପ୍ରଶାସନର ‘ଢେମସା ରେଡ଼ିଓ’ ଆଦିବାସୀ ଭାଷାରେ ସରକାର ବିଭିନ୍ନ କାର୍ଯ୍ୟକ୍ରମ ପହଞ୍ଚାଇବାରେ ସଫଳ ହୋଇଛନ୍ତି । ସ୍ବାସ୍ଥ୍ୟ ସମ୍ପର୍କୀତ ଗୁରୁତ୍ବପୂର୍ଣ୍ଣ ସୂଚନା ସ୍ଥାନୀୟ ଅଞ୍ଚଳରେ ଖୁବ୍ ଗ୍ରହଣୀୟ ହୋଇଛି ।

ପୂବର୍ରୁ ଓଡ଼ିଶା ସରକାରଙ୍କ ମମତା ଯୋଜନା, ସ୍ବଚ୍ଛ ଖଣି କାରବାର ପାଇଁ ଆଇଥ୍ରୀଏମ୍ଏସ୍ ଭଳି କାର୍ଯ୍ୟକ୍ରମକୁ ଅନ୍ୟ ରାଜ୍ୟଗୁଡ଼ିକ ଆପଣାଇବା ପାଇଁ କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ । ଏବେ ରାଜ୍ୟର ଆଉ ୩ଟି ସର୍ବଶ୍ରେଷ୍ଠ ଯୋଜନାକୁ ନୀତି ଆୟୋଗର ସ୍ବୀକୃତି ଦେଇଛି ।