ନୀତୀଶଙ୍କ ବଡ଼ ଘୋଷଣା: କେନ୍ଦ୍ରରେ ଅଣ-ବିଜେପି ସରକାର ଗଢିଲେ, ମିଳିବ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା

1 min read

ପାଟନା: ୨୦୨୪ ଲାଗି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବଡ଼ ଘୋଷଣା । ଯଦି ଅଣବିଜେପି ଦଳ କେନ୍ଦ୍ରରେ ସରକାର କରନ୍ତି ତେବେ ସମସ୍ତ ପଛୁଆ ରାଜ୍ୟଗୁଡିକୁ ସ୍ବତନ୍ତ୍ର ମର୍ଯ୍ୟାଦା ଦିଆଯିବ ବୋଲି କହିଛନ୍ତି ନୀତୀଶ । କିଛିଦିନ ଧରି ଚର୍ଚ୍ଚାରେ ଥିବା ନୀତୀଶଙ୍କ ଏହି ଘୋଷଣା ପୁଣି ରାଜନୈତିକ ସ୍ତରରେ ହଟଚମଟ ସୃଷ୍ଟି କରିଛି ।  ଯଦି ଅଣବିଜେପି ଦଳ ସରକାର ଗଠନ ଲାଗି ସୁଯୋଗ ପାଆନ୍ତି ତେବେ କେବଳ ବିହାର କାହିଁକି ଅନ୍ୟ ପଛୁଆ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ମର୍ଯ୍ୟାଦା ଦିଆଯିବ ବୋଲି କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।

ଯଦି ସ୍ବତନ୍ତ୍ର ମର୍ଯ୍ୟାଦା ଦିଆଯାଏ ତେବେ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଲାଗି କେନ୍ଦ୍ର-ରାଜ୍ୟ ପାଣ୍ଠି ଅନୁପାତ ରହିବ ୯୦ ଓ ୧୦ । ବର୍ତ୍ତମାନ ୧୧ଟି ସ୍ବତନ୍ତ୍ର ମର୍ଯ୍ୟାଦା ବର୍ଗର ରାଜ୍ୟରେ ଦେଶରେ ଅଛନ୍ତି । ସେଗୁଡିକ ହେଲା ଅରୁଣାଚଳ ପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, ଜାମ୍ମୁ ଓ କାଶ୍ମୀର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ, ତ୍ରିପୁରା ଓ ଉତ୍ତରାଖଣ୍ଡ । କିଛିଦିନ ତଳେ ନୀତୀଶ ଦିଲ୍ଲୀ ଯାଇ କଂଗ୍ରେସ ନେତା ରାହୁଲ ଗାନ୍ଧି, ଏନସିପି ନେତା ଶରଦ ପାଓ୍ବାର ଓ ବିଭିନ୍ନ ବାମପନ୍ଥୀ ଦଳ ନେତାଙ୍କ ସହ ଆଲୋଚନା କରିଥିଲେ । ପାଟନା ଗସ୍ତରେ ବି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଯାଇ ନୀତୀଶଙ୍କୁ ସାକ୍ଷାତ କରିଥିଲେ ।