କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ନେଇ ଚର୍ଚ୍ଚା ମଧ୍ୟରେ ଦିଲ୍ଲୀ ଗସ୍ତରେ ଯିବେ ନୀତୀଶ କୁମାର

ପାଟଣା: ମଙ୍ଗଳବାର ଦିଲ୍ଲୀ ଗସ୍ତରେ ଯିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆଲୋଚନା ମଧ୍ୟରେ ନୀତୀଶଙ୍କ ଏଭଳି ଗସ୍ତକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ଯୋଡ଼ାଯାଉଛି । ଅପରପକ୍ଷରେ ତାଙ୍କର ଏଭଳି ଗସ୍ତକୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୋଲି ଦଳ ପକ୍ଷରୁ କୁହାଯାଇଛି । କିନ୍ତୁ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ସାକ୍ଷାତକାର କାର୍ଯକ୍ରମ ଥିବା ସୂଚନା ରହିଛି । ମୁଖ୍ୟତଃ ଆଗକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ଭାବ୍ୟ ସମ୍ପ୍ରସାରଣ ଆଶା ରାଖାଯାଉଥିବା ବେଳେ ସେଥରେ ନୀତୀଶଙ୍କ ଜେଡିୟୁ ସାମିଲ ହେବା ଘଟଣା ପ୍ରମୁଖ ଆଲୋଚ୍ୟ ବିଷୟ ହୋଇଛି । ମଙ୍ଗଳବାର ନୀତୀଶ ତାଙ୍କର ଚକ୍ଷୁ ଚିକିତ୍ସା ପାଇଁ ଦିଲ୍ଲୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ମନ୍ତ୍ରିମଣ୍ଡଳରେ କିଏ ରହିବ ବା ଯିବ, ତାହା ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ଭର କରେ । ସୁତରାଂ ଏଥିରେ ନୀତୀଶଙ୍କର କୌଣସି ଭୂମିକା ନାହିଁ ବୋଲି ଜେଡିୟୁ ସାଂସଦ ଲାଲନ୍ ସିଂହ ସଫେଇ ଦେଇଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀ ମୋଦି ୨୦୧୯ରେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ ପରଠାରୁ ଏନ୍‌ଡିଏ ସହଯୋଗୀ ଜେଡିୟୁର ୧୬ ଜଣ ଲୋକସଭା ସାଂସଦ ଥାଇ ସୁଦ୍ଧା ନୀତୀଶଙ୍କ ଦଳ ଗତ ଦୁଇ ବର୍ଷ ହେଲା କେନ୍ଦ୍ରମନ୍ତ୍ରିମଣ୍ଡଳରୁ ଦୂରେଇ ରହିଛି । ଅପରପକ୍ଷ ନିକଟରେ ଚିରାଗ ପାଶ୍ୱାନଙ୍କ  ୬ ସାଂସଦ ବିଶିଷ୍ଟ ଲୋକଜନଶକ୍ତି ପାର୍ଟି ଏଲ୍‌ଜେପିରେ ୫ ଜଣ ବିଦ୍ରୋହ କରି ଦଳର ମୁଖ୍ୟ ପାଲଟିଥିବା ସଂସଦ ପଶୁପତି ପାରସ ଖୁବଶୀଘ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ସୁତରାଂ ନୀତୀଶଙ୍କ ଏହି ଗସ୍ତ ପଛରେ ତାଙ୍କ ଦଳକୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ଉଦ୍ଦେଶ୍ୟ ରହିଛି ବୋଲି ରାଜନୀତି ସମୀକ୍ଷକଙ୍କ ମତ ।

Leave a Reply