ଅଭିନେତା ବିଜୟଙ୍କ ରଣହୁଙ୍କାର ; ୨୦୨୬ ବିଧାନସଭା ନିର୍ବାଚନ ଲାଗି ହେଲେଣି ପ୍ରସ୍ତୁତ

ନନ୍ଦିଘୋଷ ବ୍ୟୁରୋ: ତାମିଲନାଡୁରେ ବିଗ୍ ଫାକ୍ଟର ସାଜିଲେଣି ଅଭିନେତା ତଥା ତାମିଲଗା ଭେଟ୍ରି କାଜାଗମ ନେତା ବିଜୟ । ଡିଏମକେ ସହ ମେଣ୍ଟ ହେବ ନାହିଁ ବୋଲି ସେ ଘୋଷଣା କରିବା ପରେ ବଢିଛି ଚର୍ଚ୍ଚା। ଏପରିକି ବିଜେପି ବିରୋଧରେ ସେ ଗର୍ଜନ କରିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ମଦୁରାଇରେ ଏକ ବଡ଼ ଧରଣର ରାଲି କରି ସେ ଏହି ଘୋଷଣା କରିବା ପରେ ସେ ଆସନ୍ତା ୨୦୨୬ ନିର୍ବାଚନରେ ପ୍ରମୁଖ ଫାକ୍ଟର ହେବାକୁ ଯାଉଛନ୍ତି ତାହା ସ୍ପଷ୍ଟ ହୋଇଛି। ସେ ବିଜେପିକୁ ଫାଶିଷ୍ଟ ଓ ଡିଏମକେକୁ ବିଷ ବୋଲି ସମ୍ବୋଧନ କରିବା ପରେ ରୋଚକ ସ୍ଥିତି ସୃଷ୍ଟି ହୋଇଛି । ତାମିଲନାଡୁକୁ ବିଜେପି ଅବହେଳା ପ୍ରଦର୍ଶନ କରିଆସୁଛି ଏବଂ ଆରଏସଏସ ସହ ବିଜେପି ସମ୍ପର୍କ ରଖିଛି ବୋଲି କହିଛନ୍ତି ବିଜୟ।

ତାମିଲ ଧୀବରମାନଙ୍କୁ ଗିରଫ କରାଯାଉଥିବାରୁ କଚ୍ଚଥିବୁ ଦ୍ବୀପକୁ ଅଧିକାରକୁ ଅଣାଯାଉ ବୋଲି ସେ କହିଛନ୍ତି । ସେ ଏଆଇଏଡିଏମକେକୁ ବି ସମାଲୋଚନା କରିଛନ୍ତି। ସେହିପରି ମହିଳା ବିକାଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କୁ ବି ସେ ତୀବ୍ର ସମାଲୋଚନା କରିଛନ୍ତି। ଖୁବ ଶୀଘ୍ର ୨୦୨୬ ନିର୍ବାଚନ ଲାଗି ଟିଭିକେ ପ୍ରାର୍ଥୀ ଦେବ ଏବଂ ଦଳ ସମସ୍ତ ୨୩୪ ଆସନରେ ଲଢିବ ବୋଲି ସେ କହିଛନ୍ତି। ବିଜୟ ମଦୁରାଇ ପୂର୍ବ ଆସନରୁ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।ତାମିଲନାଡୁ ବିଧାନସଭାରେ ଇଣ୍ଡିମେଣ୍ଟର ସଦସ୍ୟଙ୍କ ସଂଖ୍ୟା ୧୫୯ ଥିବାବେଳେ ଏନଡିଏର ସଦସ୍ୟ ସଂଖ୍ୟା ରହିଛି ୭୪। ଇଣ୍ଡିମେଣ୍ଟର ସଦସ୍ୟ ଥିବା ଡିଏମକେର ୧୩୪, କଂଗ୍ରେସର ୧୭ ଓ ଭିସିକେର ୪ ସଦସ୍ୟ ରହିଛନ୍ତି। ଏନଡିଏର ସଦସ୍ୟ ଏଆଇଏଡିଏମକେ ବିଧାୟକଙ୍କ ସଂଖ୍ୟା ରହିଛି ୬୧। ବିଜେପିର ୪ ଓ ପିଏମକେର ରହିଛନ୍ତି ୫ ବିଧାୟକ।