ଆଉ ଦଶମରେ ବୋର୍ଡ ପରୀକ୍ଷା ରହିବ ନାହିଁ: ସିଧା ଦ୍ବାଦଶରେ ବୋର୍ଡ ପରୀକ୍ଷା ହେବ

ବିଜେପି ସରକାର ଆସୁ ଆସୁ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରି ଦେଲେ । ଯାହା ଅନୁସାରେ ଆଉ ଦଶମରେ ବୋର୍ଡ ପରୀକ୍ଷା ରହିବ ନାହିଁ । ସିଧା ଦ୍ବାଦଶରେ ବୋର୍ଡ ପରୀକ୍ଷା ହେବ । ଯେଉଁ ହିସାବରେ ଶ୍ରେଣୀ ବିଭକ୍ତ କରାଯାଇଛି, ସେଥିରେ ନବମରୁ ଦ୍ବାଦଶ ଯାଏଁ ସ୍କୁଲରେ ହିଁ ପଢା ହେବ । ଯେଉଁଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୨ ସ୍କୁଲ ଅପଗ୍ରେଡ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏହା ପରେ ଆହୁରି ଅଧିକ ସ୍କୁଲ ଅପଗ୍ରଡ କରାଯିବ । ରାଜ୍ୟରେ ସମୁଦାୟ ୨୪୧୫ ଯୁକ୍ତ ଦୁଇ କଲେଜ ଅଛି । ଯାହାକୁ ଉଚ୍ଚମାଧ୍ୟମିକ ସ୍କୁଲ କୁହାଯାଉଛି । ସ୍କୁଲ ଗୁଡ଼ିକର ଅପଗ୍ରେଡେସନ ଯେତେ ବଢିବ ସେତେ ପ୍ରଭାବିତ ହେବ ଉଚ୍ଚମାଧ୍ୟମିକ ସ୍କୁଲ ଗୁଡ଼ିକରେ ନାମଲେଖା । ଚଳିତ ବର୍ଷ ପ୍ରଥମ ସିଲେକସନ ପରେ ୨ଲକ୍ଷ ୧୩ହଜାର ୫୪୭ ସିଟ ଖାଲି ପଡ଼ିଛି । ଦିନକ ପରେ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢା । ଛାତ୍ର ସଂଖ୍ୟା ବୃଦ୍ଧି କରିବାକୁ ପାଠପଢା ଚାଲିଥିବା ସହ ଚାଲିବ ନାମଲେଖା । ଏବେ ଯଦି ଏପରି ସ୍ଥିତି, ସରକାରୀ ସ୍କୁଲ ଗୁଡ଼ିକରେ ଦ୍ବାଦଶ ଯାଏଁ ପାଠପଢା ହେଲେ, ବିଜେବି, ରମାଦେବୀ, ରେଭେନସା, ଫକୀର ମୋହନ ପରି ଏକକ କଲେଜ ଗୁଡ଼ିକରେ ନାମଲେଖା କମିବ । ବାଧ୍ୟ ହୋଇ ଏହି ସବୁ କଲେଜ ଗୁଡ଼ିକ ବନ୍ଦ କରି ସେହି ବିଲଡିଂ ସରକାର ନିଜ ଅକ୍ତିଆରକୁ ନେବେ ।
ସ୍କୁଲଗୁଡିକର ଅପଗ୍ରେଡସନ ଚାଲିଛି । ନାମଲେଖାକୁ ତାହା ସେତେ ପ୍ରଭାବିତ କରିବନି ବୋଲି ସରକାର ଆଶା ରଖିଛନ୍ତି । ଚଳିତ ବର୍ଷ ନାମଲେଖା ଆବେଦନକୁ ନେଇ ବଡ଼ ବିଭ୍ରାଟ ଦେଖା ଦେଇଥିଲା । ଦଶମ ପରୀକ୍ଷା ଫଳ ବାହାରି ନଥିଲା । ହେଲେ ସରିବାକୁ ବସିଥିଲା ନାମଲେଖାର ଅନଲାଇନ ଆବେଦନ । ଶେଷ ମୁହୂର୍ତ୍ତରେ ଭୁଲ ବୁଝି ପାରି ଆବେଦନ ତାରିଖ ବୃଦ୍ଧି କରିଥିଲେ ସରକାର ।