ସାପ୍ତାହିକ ଖବରକାଗଜ ‘ମୁମ୍ୱାଇ ମିରର’ର ପ୍ରକାଶନ ବନ୍ଦ

ମୁମ୍ବାଇ: ଦେଶର ଅର୍ଥନୈତିକ ରାଜଧାନୀ କୁହାଯାଉ ମୁମ୍ବାଇ ପାଇଁ ‘ମୁମ୍ୱାଇ ମିରର୍’ ନିଜ ପାଇଁ ଓ ସହର ପାଇଁ ଏକ ନିଆରା ପରିଚୟ ସୃଷ୍ଟି କରିପାରିଥିଲା । ଦୀର୍ଘ ୧୫ ବର୍ଷ ଧରି ସହରର ଟିକିନିକ୍ ଖବର ଉପରେ ନଜର ରଖି ଏକ ନିର୍ଭିକ ଖବରକାଗଜରେ ପରିଣତ ହୋଇଥିଲା । ନିଜର ନିର୍ଭିକପଣକୁ ଅସ୍ତ୍ର କରି ମୁମ୍ୱାଇ ସହରର ସବୁ ପ୍ରସଙ୍ଗ ଉପରେ ଖୋଲାଭାବେ ନିରପେକ୍ଷ ହେବାକୁ ଚେଷ୍ଟା କରିଥିଲା । ଆଜି ବିଦ୍ଧିବଦ୍ଧ ଭାବେ ଏହି ଖବରକାଗଜ ଅସ୍ତ ହୋଇଛି । ଖବରଦୁନିଆର ଏକ ସୀମିତ ବ୍ୟାପ୍ତି ସତ୍ତ୍ୱେ ମୁମ୍ୱାଇ ମିରରର ଚର୍ଚ୍ଚା ଦେଶବ୍ୟାପୀ ଥିଲା । ସାପ୍ତାହିକ ଖବର କାଗଜ ଭାବେ ଏହା ପୁଣେ ଓ ମହାରାଷ୍ଟ୍ରରେ ବେଶ ଲୋକପ୍ରିୟତା ହାସଲ କରିଛି । ତେବେ କରୋନା ସଙ୍କଟରେ ଆର୍ଥିକ ସ୍ଥିତି ସଙ୍କଟାପର୍ଣ୍ଣ ହେବା ପରେ ଟାଇମ୍ସ ଗ୍ରୁପ୍ ବାଧ୍ୟ ହୋଇ ଏହାର ପବ୍ଲିକେସନକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି ।

ଟାଇମ୍ସ ଗ୍ରୁପ ଏଭଳି ନିଷ୍ପତ୍ତିକୁ ହୃଦୟ ବିଦାରକ ବୋଲି କହିଥିବା ବେଳେ ଖବରକାଗଜ ପ୍ରକାଶନୀ ନେଇ ନିଜର ଅକ୍ଷମତା ମଧ୍ୟ ପ୍ରକାଶ କରିଛି । ଦର୍ଶାଇଛି ଯେ, କରୋନା ଏଭଳି ଆର୍ଥିକ ସଙ୍କଟ ଆଣିଛି, ଯାହା ଦ୍ୱାରା ଏହି ସାପ୍ତାହିକ ଖବର କାଗଜକୁ ଚଳାଇବା ଏବେ ଏକ ବୋଝରେ ପରିଣତ ହୋଇଛି । ଏଣୁ ଏହାକୁ ଆମେ ପ୍ରକାଶନୀରୁ ବିରତ ଦେଉଛୁ । ମାତ୍ର  ଡିଜିଟାଲ ପ୍ଲାଟଫର୍ମରେ ଏହା  ପୂର୍ବ ଭଳି ସକ୍ରିୟ ରହିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।

ସଂସ୍ଥା ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ମୁମ୍ୱାଇ ମିରର୍ ମୁମ୍ୱାଇର ଅନେକ ପ୍ରସଙ୍ଗ ଉପେ ନିର୍ଭିକ ଭାବେ ଆଲୋଚନା କରିଛି । ସମାଜ ପାଇଁ ଗଣମାଧ୍ୟମର ଭୂମିକା ଯାହା, ତାହା ପ୍ରତିପାଦିତ କରିବା ମୁମ୍ୱାଇ ମିରର୍ କେବେ ମଧ୍ୟ ଅବହେଳା କରିନାହିଁ । ଏସବୁ ସମ୍ଭବ ହୋଇଛି, କେବଳ ଉକ୍ତ ଖବରକାଗଜ ପାଇଁ କାମ କରୁଥିବା ସାମ୍ୱାଦିକ ଓ କର୍ମଚାରୀମାନଙ୍କ ପାଇଁ । ଏଭଳି ନିରନ୍ତର ସେବା ପାଇଁ ମୁମ୍ୱାଇ ମିରର୍ ସହ ଜଡ଼ିତ ଥିବା ସଭିଁଙ୍କୁ ଧନ୍ୟବାଦ ।

 

Leave a Reply