ଉତ୍ତରପ୍ରଦେଶର ୫ ସହରରେ ଲାଗୁ ହେବନି ଲକଡାଉନ୍, ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ୫ ସହରରେ ଲାଗୁ ହେବନି ଲକଡାଉନ୍ । ସୋମବାର ଦିନ ଆହ୍ଲାବାଦ ହାଇକୋର୍ଟ ବାରଣାସୀ,ଗୋରଖପୁର ସମେତ ୫ ସହରରେ ଏପ୍ରିଲ ୨୬ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ କରିବା ପାଇଁ ଆଦେଶ ଦେଇଥିଲେ । ତେବେ ହାଇକୋର୍ଟଙ୍କ ଏହି ଆଦେଶକୁ ଉତ୍ତର ପ୍ରଦେଶ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଂଜ୍ କରିଥିଲେ । ଯାହାର ଶୁଣାଣି କରି ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଲାଗୁ କରିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଯୁକ୍ତି କରାଯାଇଥିଲା ଯେ, ଲକଡାଉନ୍ ଲାଗୁ କରିବା ରାଜ୍ୟ ସରକାରଙ୍କ ଅଧିକାର କ୍ଷେତ୍ରରେ ଆସେ । ଲକଡାଉନ୍ ଲାଗୁ କରିବା ପୂର୍ବରୁ ରାଜ୍ୟ ସରକାରଙ୍କୁ ଅନେକ ବିଷୟକୁ ଧ୍ୟାନରେ ରଖିବାକୁ ପଡେ । ଏମିତିରେ ହାଇକୋର୍ଟଙ୍କ ପକ୍ଷରେ ନୀତିଗତ ନିଷ୍ପତିରେ ହସ୍ତକ୍ଷେପ କରିବା ଅନୁଚିତ ।

ଅନ୍ୟପକ୍ଷରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟାରେ କୁହାଯାଇଛି ଯେ, ଉତ୍ତର ପ୍ରଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ତେବେ ଏହାର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ କିଛି ପଦକ୍ଷେପ ଉଠା ଯାଇଛି । ଆଗକୁ ମଧ୍ୟ ପଦକ୍ଷେପ ନିଆଯିବ । ଜୀବନ ବଂଚାଇବା ସହିତ ଗରିବଙ୍କ ଜୀବିକାକୁ ମଧ୍ୟ ରକ୍ଷା କରିବାକୁ ପଡିବ । ତେଣୁ ଉତ୍ତର ପ୍ରଦେଶର ୫ ବଡ ସହରରେ ଏବେ ଲକଡାଉନ୍ ଲାଗୁ ହେବ ନାହିଁ । ତେବେ ଲୋକ ଅନେକ ସ୍ଥାନରେ ନିଜ ଇଛାରେ ଲକଡାଉନ ଭିତରେ ରହୁଛନ୍ତି । ଏଥିରେ ଆମର କୌଣସି ଆପତ୍ତି ନାହିଁ ।

Leave a Reply