୯ ତାରିଖ ପରେ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୁକୂଳ

1 min read

ଭୁବନେଶ୍ୱର: ଓଡ଼ିଶାରୁ ଫେରିଯିବ ମୌସୁମୀ। ୯ ତାରିଖ ପରେ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୁକୂଳ ହୋଇଛି । ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବଡ ବର୍ଷାର ସମ୍ଭାବନା ନାହିଁ । ତାପମାତ୍ରା ବୃଦ୍ଧି କରିବ ଶୁଖିଲା ପାଗ । ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ବଢିବ ପାରଦ । ଆଜି ଓ କାଲି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ଥିବା ବେଳେ ୭ ତାରିଖରୁ ସାରା ଓଡ଼ିଶାରେ ଶୁଖିଲା ପାଗ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହେବା ପରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। କାଲି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡରେ ହାଲୁକା ବର୍ଷା ହେବ। ୭ ତାରିଖରୁ ବର୍ଷାର ପରିମାଣ କମିବା ସହ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ।

ଓଡ଼ିଶାକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ବଢିଥିବା ବେଳେ ବାୟୁମଣ୍ଡଳରୁ କମୁଛି ଜଳୀୟବାଷ୍ପର ପରିମାଣ। ଏହାସହ ଉତ୍ତର ପଶ୍ଚିମ ଭାରତରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି। ଫଳରେ ଆସନ୍ତା ୯ ତାରିଖରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୁଳ ହୋଇଛି। ଚଳିତ ବର୍ଷ ଜୁନ୍ ୨୨ରେ ଓଡ଼ିଶା ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।

୮ ଦିନ ବିଳମ୍ବରେ ଆସିଥିଲେ ମଧ୍ୟ ୫ ଦିନ ପୂର୍ବରୁ ଫେରିଯିବା ନେଇ ଆକଳନ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜସ୍ଥାନ, ଗୁଜୁରାଟ, ହରିଆନା, ପଞ୍ଜାବ ସମେତ ମଧ୍ୟପ୍ରଦେଶ, ଜାମ୍ମୁ-କାଶ୍ମୀରର କେତେକ ଅଞ୍ଚଳରୁ ସମ୍ପୂର୍ଣ୍ଣ ରୂପରେ ଅପସାରଣ ହୋଇଛି। ଓଡ଼ିଶାରେ ମୌସୁମୀ ଫେରିବାର ସ୍ବାଭାବିକ ସମୟ ଅକ୍ଟୋବର ୧୫ ଥିବା ବେଳେ ୫ ଦିନ ପୂର୍ବରୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି।