ଦୁର୍ଗାପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ନା: ପୂଜା ପେଣ୍ଡାଲ ନିକଟରୁ ହଟିବେ ବୁଲା କୁକୁର

ଦୁର୍ଗାପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ନା । ପୂଜା ପେଣ୍ଡାଲ ନିକଟରୁ ହଟିବେ ବୁଲା କୁକୁର । ଗର୍ତ୍ତମୁକ୍ତ ରାସ୍ତା ନେଇ ବିଏମସିର ଡେଡ ଲାଇନ୍ । ପାର୍କିଂ ନଥିଲେ ମୀନା ବଜାର କି ରାବଣ ପୋଡି ପାଇଁ ମିଳିବନି ଅନୁମତି। ପ୍ଲାଷ୍ଟିକ ମୁକ୍ତ ହେବ ପୂଜା ମଣ୍ଡପ । ମହିଳା ଓ ଶିଶୁ ସୁରକ୍ଷା ନେଇ ସଚେତନ କରିବ ପୋଲିସ । ଆଉ ମାସେ ପରେ ବିଭିନ୍ନ ମଣ୍ଡପରେ ପୂଜା ପାଇବେ ମହାମାୟା । ରାଜଧାନୀରେ ଶାନ୍ତି ଶୃଙ୍ଖଳା, ସ୍ବଚ୍ଛତା ନେଇ ବିଏମସି ରଣନୀତି ପ୍ରସ୍ତୁତ କରିଛି । ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ଯ ହେଲେ ନିଆଯିବ କଡ଼ା କାର୍ଯ୍ଯନୁଷ୍ଠାନ । ପ୍ରମୁଖ ରାସ୍ତାରୁ ଗଳିକନ୍ଦି ଗର୍ତ୍ତମୁକ୍ତ କରାଯିବ । ବୈଠକରେ ବିଦ୍ୟୁତ ସମସ୍ୟାକୁ ନେଇ କର୍ପୋରେଟରଙ୍କ ପାଟିତୁଣ୍ଡ ଦେଖିବାକୁ ମିଳିଥିଲା । ସଠିକ ବିଦ୍ଯୁତ ସେବା ଯୋଗାଇ ଦେବା ସହ ପୂଜା ପୂର୍ବରୁ ବିଦ୍ୟୁତ ଖୁଣ୍ଟ ଓ ତାର ମରାମତି କରିବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି । ରାସ୍ତା ମରାମତି ନେଇ ସବୁ ୱାର୍ଡକୁ ଦିଆଯିବ ୫ ଲକ୍ଷ ଟଙ୍କା ।

ପୂଜାରେ ମୁଖ୍ୟ ରାସ୍ତାରେ ତୋରଣ ଲଗାଇ ପାରିବେ ନାହିଁ ପୂଜା କମିଟି । ସବୁ ଭସାଣ ସ୍ଥାନରେ ଖୋଲିବ କଣ୍ଟ୍ରୋଲରୁମ । ପୂଜା ପେଣ୍ଡାଲ ଏବଂ ଭସାଣି ପୋଖରୀ ନିକଟରେ ରଖାଯିବ ଆମ୍ବୁଲାନ୍ସ । ପୂଜା ପେଣ୍ଡାଲରେ ନିଶାକୁ ନା ଓ ଜୀବନ ଜିନ୍ଦାବାନ୍ଦ ନେଇ ସଚେତନତା ବାର୍ତ୍ତା ବାଣ୍ଟିବ ପୋଲିସ । ବାସିଖାଦ୍ଯ ଓ ଅସ୍ବାସ୍ଥ୍ଯକର ପରିବେଶ ଉପରେ ନଜର ରଖିବ ଫୁଡ୍ ସ୍କ୍ବାଡ । ସେହିଭଳି ଟ୍ରାଫିକ, ପାର୍କିଂ, ଆଇନ ଶୃଙ୍ଖଳା ନେଇ କମିଶନର ପଚାରି ବୁଝିଛନ୍ତି । ଏହାସହ ପୂଜା ପୂର୍ବରୁ ରାସ୍ତରୁ ଗଛ କଟାକୁ ଗୁରୁତ୍ବ ଦିଆଯାଇଛି । ଜୁରୁରୀକାଳି ସ୍ଥିତି ହେଲେ ନିୟନ୍ତ୍ରଣ ପାଇଁ ବିଏମସି ସଜାଗ ଅଛି ବୋଲି କହିଛନ୍ତି କମିଶନର । ବୈଠକରେ ବିଏମସି କମିଶନର, ମେୟର, ଡେପୁଟି ମେୟର, ବିଭିନ୍ନ ୱାର୍ଡର କର୍ପୋରେଟର, ସମସ୍ତ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ, ପୋଲିସ, ୱାଟକୋ, ଫାୟାର ଏବଂ ସମସ୍ତ ବିଭାଗୀୟ ଅଧିକାରୀ ସାମିଲ ଥିଲେ ।